ସ୍ପୁଟନିକ୍-ଭିକୁ ତୃତୀୟ ଟିକା ଭାବେ ମଞ୍ଜୁରୀ, ଏହାର ନାମକରଣ ପଛର ରହସ୍ୟ କ’ଣ ?

ରୁଷରେ ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ୍-ଭିକୁ ବ୍ୟବହାର ଲାଗି କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । କୋଭାକ୍ସିନ, କୋଭିସିଲ୍ଡ ପରେ ଦେଶରେ ତୃତୀୟ କରୋନା ଟିକା ଭାବେ ସ୍ପୁଟନିକ୍ ଭି ପହଞ୍ଚିଯାଇଛି । ବିଶ୍ୱର ପ୍ରଥମ କରୋନା ଟିକା ଭାବେ ସ୍ପୁଟନିକ୍ ଭିକୁ ରୁଷ ରାଷ୍ଟ୍ରପତି ସମର୍ଥନ ଦେଇଥିଲେ ତେବେ ଏହି ଟିକାର ନାଁ ସ୍ପୁଟନିକ୍ କାହିଁକି ରଖାଗଲା, ଆସନ୍ତୁ ଜାଣିବା …

ଗତବର୍ଷ ଅଗଷ୍ଟ ମାସ ବିଶ୍ୱ ଯେତେବେଳେ କରୋନା କବଳରୁ ତ୍ରାହି ତ୍ରାହି ଡାକୁଥିଲା, ଟିକା ଉଦ୍ଭାବନ ପାଇଁ ଦିନ ରାତି ଏକ କରିଦେଇଥିଲେ ବୈଜ୍ଞାନିକ । ଆଉ ସେତେବେଳେ ବିଶ୍ୱର ପ୍ରଥମ କରୋନା ଟିକା ଭାବେ ସ୍ପୁଟନିକ-ଭି କୁ ସାଧାରଣରେ ପ୍ରଚଳନ ପାଇଁ ଅନୁମତି ଦେଇଥିଲା ଋଷ । ଋଷର ଗାମାଲିଆ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ୍ ଦ୍ୱାରା ବିକଶିତ ଏହି ଟିକାକୁ ମିଳିଥିଲା ଖୋଦ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ ‌ଆକୁଣ୍ଠ ସମର୍ଥନ । ତାଙ୍କର ଜଣେ ଝିଅ ମଧ୍ୟ ଏହି ଟିକା ନେଇସାରିଥିବା ସେତେବେଳେ କହିଥିଲେ ପୁତିନ । ଏହାର ପ୍ରାୟ ୮ ମାସ ପରେ ଭାରତ ସ୍ପୁଟନିକ-ଭି କୁ ତୃତୀୟ କରୋନା ଟିକା ଭାବେ ଅନୁମୋଦନ ମିଳିଛି ।

ତେବେ ଏହି ଟିକାର ନାଁ ସ୍ପୁଟନିକ-ଭି ରଖାଗଲା କାହିଁକି? ଏହା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ରହିଛି କି? ଟିକା ଉଦ୍ଭାବକମାନେ ଏହି ନାଁ ରଖିଥିଲେ ନା ଏହାକୁ ଧାର୍ଯ୍ୟ କରିଥିଲେ ଋଷ ସରକାର? କୁହାଯାଉଛି, ଟିକାର ଏଭଳି ନାମକରଣ ପଛରେ ରହିଛି ୬୪ ବର୍ଷ ତଳର ଏକ ଐତିହାସିକ ଘଟଣାର ସଂପର୍କ । ୧୯୫୭ ମସିହା ଅକ୍ଟୋବର ୪ରେ ମହାକାଶକୁ ପ୍ରଥମ ଥର ପାଇଁ ସାଟେଲାଇଟ୍ ପଠାଇବାରେ ସଫଳ ହୋଇଥିଲା ସୋଭିଏତ୍ ୟୁନିଅନ । ଏହାର ନାଁ ଥିଲା ସ୍ପୁଟନିକ୍  । ମହାକାଶ ଗବେଷଣା କ୍ଷେତ୍ରରେ ଆମେରିକା ସହ ଚାଲିଥିବା ଶୀତଳ ଯୁଦ୍ଧରେ ଏହି ବିରାଟ ସଫଳତା ପାଇଥିଲା ସୋଭିଏତ୍ ୟୁନିଅନ ।

ତେବେ କରୋନା ଟିକା ରେସରେ ବି ପ୍ରଥମେ ସଫଳତା ପାଇବା ପରେ, ୬ ଦଶନ୍ଧି ତଳର ଐତିହାସିକ ସଫଳତାକୁ ପୁଣି ଥରେ ବିଶ୍ୱକୁ ସ୍ମରଣ କରାଇବା ପାଇଁ ଋଷ ସ୍ୱପ୍ରସ୍ତୁତ ଟିକାର ନାଁ ସ୍ପୁଟନିକ୍ ସାଟେଲାଇଟ୍ ଅନୁସାରେ ସ୍ପୁଟନିକ୍ ଭ୍ୟାକ୍ସିନ ବା ସଂକ୍ଷେପରେ ସ୍ପୁଟନିକ୍-ଭି ରଖିଥିବା କୁହାଯାଉଛି ।

 

ସେପଟେ ଆଜି ଭାରତରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ପ୍ରଥମ ଲହରଠୁ ଆହୁରି ଭୟାନକ ରୂପ ଧାରଣ କରି ବ୍ୟାପିବାରେ ଲାଗିଛି ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ଏକ ଲକ୍ଷ ୬୦ ହଜାର ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ  ୮୮୦ ଜଣଙ୍କର ମୃତ୍ୟୁ ଘଟିଛି।

You might also like