ସଂକ୍ରମଣ କମୁଛି ହେଲେ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍‌

କେବେ ଲାଗିବ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌?

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣରେ ବି ଘଟୁଛି ଦ୍ରୁତ ଅବନତି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୬୧ ଦିନରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। କ୍ରମାଗତ ୯ଦିନ ଧରି ସଂକ୍ରମଣ ୨ଲକ୍ଷ ତଳେ ରହିବା ପରେ ଆଜିର ରିପୋର୍ଟରେ ଲକ୍ଷେ ଛୁଇଁଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯ ହଜାର ୯୭୫କୁ ବୃଦ୍ଧି ପାଇଛି। ତେବେ ଦୈନିକ ମୃତ୍ୟୁ ସଂଖ୍ୟାରେ ସେଭଳି ଆଖିଦୃଶିଆ ହ୍ରାସ ଘଟୁନି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୨ହଜାର ୪୨୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ମୋଟ୍ ମୃତ୍ୟୁସଂଖ୍ୟା ୩ ଲକ୍ଷ ୪୯ ହଜାର ୧୮୬କୁ ବୃଦ୍ଧି ପାଇଛି। ସେପଟେ ଦେଶରେ କରୋନା ସଂକ୍ରମଣ କମିବା ଦୃଷ୍ଟିରେ ରଖି ଦିଲ୍ଲୀ, ମହାରାଷ୍ଟ୍ର ସମେତ ୫ରୁ ଅଧିକ ରାଜ୍ୟରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ଦେଢ ମାସ ଧରି ଚାଲିଥିବା ଲକଡାଉନ ପରେ ରାଜଧାନୀ ଦିଲ୍ଲୀରେ ଆଜିଠୁ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠାରୁ ଦିଲ୍ଲୀରେ ଅଡ୍ ଇଭିନ୍ ବା ଯୁଗ୍ମ ଅଯୁଗୁ ଫର୍ମୁଲାରେ ବଜାର ଓ ମଲ୍ ଖୋଲିଛି। ମଲ୍ ଗୁଡିକ ଅଡ୍ ଇଭିନରେ ଦିନ ୧୦ଟାରୁ ରାତି ୮ଟା ଯାଏ ଖୋଲିବ। ଗୋଟିକିଆ ଦୋକାନ ବି ଖୋଲାଯାଇଛି। ରାଜ୍ୟ ସରକାରଙ୍କ ଅଫିସ ସବୁ ଖୋଲିଥିବା ବେଳେ, ୫୦ ପ୍ରତିଶତ ଉପସ୍ଥାନ ସହ ପ୍ରାଇଭେଟ ଅଫିସ ମଧ୍ୟ ଖୋଲିଛି।

ତେଣୁ ଲକଡାଉନ୍‌ କୋହଳ ହେବା ପରେ ହିଁ ଦିଲ୍ଲୀର ବିଭିନ୍ନ ମୁଖ୍ୟ ରାସ୍ତାରେ ଟ୍ରାଫିକ୍ ଜାମ୍ ଲାଗିଥିବା ଆଜି ଦେଖିବାକୁ ମିଳିଥିଲା। ସେହିପରି ମହାରାଷ୍ଟ୍ରରେ ଆଜିଠୁ ୫ଟି ପର୍ଯ୍ୟାୟରେ ଲକଡାଉନ୍‌ ନିୟମ କୋହଳ ହୋଇଛି। ଯେଉଁ ଜିଲ୍ଲାରେ ୫ ପ୍ରତିଶତରୁ କମ୍ ପଜିଟିଭିଟି ଏବଂ ୨୫ ପ୍ରତିଶତରୁ କମ ଅକ୍ସିଜେନ୍ ବେଡରେ ଆକ୍ରାନ୍ତ ରହିଛନ୍ତି ସେହି ସବୁ ଜିଲ୍ଲା ଗୁଡ଼ିକରେ ଲକଡାଉନ୍‌କୁ କୋହଳ କରିଛନ୍ତି ଉଦ୍ଧବ ସରକାର। ସେପଟେ ଗୁଜରାଟରେ ଶତ ପ୍ରତିଶତ କର୍ମଚାରୀରେ ଆଜିଠୁ ଅଫିସ ଖୋଲାଯାଇଛି। ଏହାଛଡ଼ା ଉତ୍ତରପ୍ରଦେଶରେ ବି ୫ଟି ସହରରେ ଲକଡାଉନ କଟକଣାକୁ କୋହଳ କରାଯାଇଛି ।

ସେପଟେ, ଆଜି ଦେଶରେ ୨୪ ଘଣ୍ଟାରେ ୨ ହଜାର ୪୨୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୯ ହଜାର ୧୮୬କୁ ବୃଦ୍ଧି ପାଇଛି । ଏବେ ଦେଶରେ ୧୪ ଲକ୍ଷ ୧ ହଜାର ୬୦୯ ଆକ୍ଟିଭ କେସ ଥିବା ବେଳେ ସୁସ୍ଥ ହେଲେଣି ୨ କୋଟି ୭୧ ଲକ୍ଷ ୫୯ ହଜାର ୧୮୦ ।

 

You might also like