ଏମିତି ଷ୍ଟେଟସ୍ ଦେଇ ୟୁଜର୍ସଙ୍କୁ ତାଜୁବ କରିଦେଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ଷ୍ଟେଟସ୍। ଦେଖିବା ପରେ ତାଜୁବ ହୋଇଗଲେ ୟୁଜର୍ସ।  ଷ୍ଟେଟସ୍ ଦେଖିଲା ପରେ ୟୁଜର୍ସ ଏବେ ଆଶ୍ୱସ୍ତ। ପ୍ରଥମ ଥର ପାଇଁ ଷ୍ଟେଟସ ଲଗାଇ ଚର୍ଚ୍ଚାକୁ ଆସିଛି ହ୍ୱାଟ୍ସଆପ୍। କିଛି ଦିନ ହେଲା ନୂଆ ପ୍ରାଇଭେସି ପଲିସୀକୁ ନେଇ ଚର୍ଚ୍ଚାରେ ଥିବା ହ୍ୱାଟ୍ସଆପ ଷ୍ଟେଟସରେ ସଫେଇ ଦେଇ ୟୁଜର୍ସଙ୍କ ମନ ଜିଣିବା ଆରମ୍ଭ କରି ଦେଇଛି। ଲୋକଙ୍କ ନେଗେଟିଭ ପ୍ରତିକ୍ରିୟା ଦେଖି ବିଭିନ୍ନ ପ୍ଲାଟଫର୍ମରେ ହ୍ୱାଟ୍ସଆପ ଲଗାତାର ସଫେଇ ଦେଇ ଚାଲିଛି। ପ୍ରଥମେ ହ୍ୱାଟ୍ସଆପ୍ ବ୍ଲଗ୍ ଜାରି କରିଥିଲା, ପରେ ଟ୍ୱିଟ କଲା, ଆଉ ଏବେ ପ୍ରଥମଥର ପାଇଁ ହ୍ୱାଟ୍ସଆପ୍ ନିଜେ ନିଜର ଷ୍ଟେଟସ୍ ଲଗାଇ ସଫେଇ ଦେଇଛି।

ନିଜ ଷ୍ଟେଟସରେ କଲିଂ, ପ୍ରାଇଭେଟ୍ ମେସେଜ୍, ଲୋକେସନ୍ ଓ କଣ୍ଟାକ୍ଟକୁ ନେଇ ହ୍ୱାଟ୍ସଆପ ୪ଟି ଷ୍ଟେଟସ୍ ଦେଇ ସଫେଇ ଦେଇଛି। ପ୍ରଥମରେ ଲେଖା ଅଛି ୟୁଜର୍ସଙ୍କ ପ୍ରାଇଭେସି ପାଇଁ ହ୍ୱାଟ୍ସଆପ୍ ପ୍ରତିବଦ୍ଧ। ଦ୍ୱିତୀୟରେ ଲୋକଙ୍କ ପର୍ଶନାଲ ଚାଟ୍ ରେକର୍ଡ ହ୍ୱାଟ୍ସଆପ୍ ରଖେ ନାହିଁ। କମ୍ପାନୀ ୟୁଜର୍ସଙ୍କ କଥା ଶୁଣେନି କାରଣ ଏହା ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟେଡ। ତୃତୀୟ ଷ୍ଟେଟସରେ ହ୍ୱାଟ୍ସଆପ କହିଛି ୟୁଜର୍ସ ସେୟାର କରିଥିବା ଲୋକେସନ୍ ଦେଖି ପାରିବ ନାହିଁ। ଶେଷ ଷ୍ଟେଟସରେ ହ୍ୱାଟ୍ସଆପ ୟୁଜର୍ସଙ୍କ କଣ୍ଟାକ୍ଟ ଫେସବୁକ୍ ସହ ସେୟାର୍ କରେ ନାହିଁ। ହ୍ୱାଟ୍ସଆପର ଏହି ଷ୍ଟେଟସ ଆପଣ ବି ଆପଣଙ୍କ ମୋବାଇଲରେ ଦେଖି ପାରିବେ।

ଏହା ପୂର୍ବରୁ ହ୍ୱାଟ୍ସଆପ୍ ଟ୍ୱିଟ୍ କରି ମଧ୍ୟ ସୂଚନା ଦେଇଥିଲା। ଗ୍ରୁପ୍ ଇନଭାଇଟକୁ ନେଇ କମ୍ପାନୀ କହିଥିଲା ଯେ, ନୂଆ ପ୍ରାଇଭେସି ପଲିସୀରେ ୟୁଜର୍ସଙ୍କ ହ୍ୱାଟ୍ସଆପ ଗ୍ରୁପ ପ୍ରାଇଭେଟ ରହିବ। ୟୁଜର୍ସ ଏବେ ବି ମେସେଜ ଡ଼ିସଆପିୟରିଂ ଫିଚର୍ ସେଟ୍ କରି ପାରିବେ। ଏହା ସହ ଡାଟା ବି ଡାଉନଲୋଡ୍ କରିପାରିବେ ବୋଲି କମ୍ପାନୀ କହିଥିଲା।

ନୂଆ ପଲିସୀ ଗ୍ରହଣ କରିବାକୁ ୟୁଜର୍ସଙ୍କୁ ହ୍ୱାଟ୍ସଆପ ଫେବୃଆରୀ ୮ ତାରିଖ ଯାଏଁ ସମୟ ଦେଇଥିଲା। କିନ୍ତୁ ଲୋକଙ୍କ ବିରୋଧ ଓ ପ୍ରତିକ୍ରିୟା ଦେଖି କମ୍ପାନୀ ବର୍ତ୍ତମାନ ନୂଆ ପ୍ରାଇଭେସି ପଲିସୀକୁ ସ୍ଥଗିତ ରଖିଛି। ଏମିତିକି କିଛି ୟୁଜର୍ସ ହ୍ୱାଟ୍ସଆପ୍ କଂପାନୀର ନୂଆ ପଲିସୀକୁ ବିରୋଧ  କରି ଟେଲିଗ୍ରାମ୍, ସିଗ୍ନାଲ୍ ଭଳି ଅନ୍ୟ ପ୍ଲାଟଫର୍ମ ଡାଉନଲୋଡ଼ କରୁଥିବା କୁହାଯାଉଛି।

 

You might also like