Whatsappକୁ ଲାଗିବ କି ଝଟକା! ନୂଆ ପଲିସିକୁ ବଦଳାଇ ପାରନ୍ତି କେନ୍ଦ୍ର ସରକାର

କମୁଛି ହ୍ୱାଟ୍ସଆପ ଚାହିଦା

ନୂଆଦିଲ୍ଲୀ: କମୁଛି ହ୍ୱାଟ୍ସଆପ ଚାହିଦା। ବଢୁଛି ସିଗ୍‌ନାଲ ଓ ଟେଲିଗ୍ରାମ୍‌ ଆପର ବ୍ୟବହାର। ନୂଆ ନିୟମ ପରେ ସାରା ବିଶ୍ୱରେ ହ୍ୱାଟ୍ସଆପର ଲୋକପ୍ରିୟତା କମିବା ଆରମ୍ଭ ହୋଇଛି। ଏହାରି ଭିତରେ ଏକ ବଡ଼ ଖବର ସମ୍ନାକୁ ଆସିଛି। କେନ୍ଦ୍ର ସରକାର ହ୍ୱାଟ୍ସଆପ ଜାରି କରିଥିବା ନୂଆ ପଲିସି ଉପରେ ଅନୁଧ୍ୟାନ କରିବା ଆରମ୍ଭ କରି ଦେଇଛନ୍ତି…

ହ୍ୱାଟ୍ସଆପକୁ ଲାଗିବ ଝଟକା। ନୂଆ ପଲିସିକୁ ନେଇ ବିବାଦ। କେନ୍ଦ୍ର ସରକାର ବଦଳାଇ ପାରନ୍ତି ପଲିସି ନିୟମ। ଏମିତି ଖବର ଶୁଣିବା ପରେ ମୁଣ୍ଡରେ ହାତ ଦେବା ଆରମ୍ଭ କରି ଦେଇଛନ୍ତି ୟୁଜର୍ସ। ଏମିତି ହ୍ୱାଟ୍ସଆପର ନୂଆ ପଲିସିକୁ ନେଇ ଭାରତ କାହିଁକି, ସାରା ବିଶ୍ୱର ୟୁଜରମାନେ ଅସନ୍ତୋଷ ଜାହିର କରିଛନ୍ତି। ଏବେ ଏହି ଲୋକପ୍ରିୟ ସୋସିଆଲ ମିଡିଆ ଆପକୁ ବାଏ ବାଏ କରିବା ଆରମ୍ଭ କରି ଦେଲେଣି ୟୁଜର। ଏମିତିକି ନୂଆ ଆପ୍‌କୁ ବ୍ୟବହାର କରିବା ଆରମ୍ଭ କଲେଣି। ଦେଖାଯାଉଛି ଦେଶ ବିଦେଶରେ ସିଗ୍‌ନାଲ ଓ ଟେଲିଗ୍ରାମ୍‌ ଆପର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଆଉ ଭାରତରେ ହ୍ୱାଟ୍ସଆପ ବ୍ୟବହାର କରିବା କମି କମି ଯାଉଛି।

ଏସବୁ ଭିତରେ ଏକ ବଡ଼ ଖବର ଆସିଛି। କେନ୍ଦ୍ର ସରକାର ହ୍ୱାଟ୍ସଆପ ଜାରି କରିଥିବା ନୂଆ ପଲିସି ଉପରେ ଅନୁଧ୍ୟାନ କରୁଥିବା ଏକ ରିପୋର୍ଟରୁ ଜଣାପଡିଛି। ଅନେକ ବ୍ୟବହାରକାରୀ ନୂଆ ପଲିସିକୁ ରୋକ ଲଗାଇବା ପାଇଁ ସୋସିଆଲ ମିଡିଆରେ ଅଭିଯୋଗ କରୁଥିବା ବେଳେ ଏହାକୁ ସମୀକ୍ଷା କରୁଛନ୍ତି କେନ୍ଦ୍ର ସରକାର। ଏବେ ହ୍ୱାଟ୍ସଆପ‌ ଜାରି କରିଥିବା ନୂଆ ପଲିସିରେ ବ୍ୟବହାରକାରୀଙ୍କ ଡାଟା ଫେସବୁକ୍‌ର ଅନ୍ୟ ଉତ୍ପାଦ ଏବଂ ସେବା ସହିତ ଯୋଡା ହୋଇଛି।

ଭାରତରେ ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୪୦ କୋଟି । ବିଶ୍ୱରେ ହ୍ୱାଟ୍ସଆପର ସବୁଠାରୁ ବଡ ବ୍ୟବସାୟୀକ ସ୍ଥାନ ହେଉଛି ଭାରତ। ଏବେ ହ୍ୱାଟ୍ସଆପ‌ର ନୂଆ ପଲିସି ଓ ରୂପରେଖକୁ ନେଇ ଆଶଙ୍କା କରାଯାଉଛି । ଦେଶର ଆଇଟି ମନ୍ତ୍ରାଳୟ ବର୍ତ୍ତମାନ ଯାଏଁ ହ୍ୱାଟ୍ସଆପଠାରୁ କୌଣସି ସ୍ପଷ୍ଟୀକରଣ ମାଗି ନଥିବା ବେଳେ ଏନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେବାକୁ ଯୋଜନା କରିଛି।

ବିଶିଷ୍ଟ ବ୍ୟବସାୟୀ ଏଲନ୍‌ ମାସ୍କ ସିଗନାଲ୍ ଭଳି ଆପ ଗୁଡିକୁ ବ୍ୟବହାର ପାଇଁ କହିଛନ୍ତି। ଏଥିରେ ଭାରତର ଅନେକ ବଡ ବଡ କମ୍ପାନୀମାନେ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା, ପେଟିଏମର ସଂସ୍ଥାପକ ଶେଖର ଶର୍ମା ଏବଂ ଫୋନ-ପେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ନିଗମ ମଧ୍ୟ ହ୍ୱାଟ୍ସଆପର ନୂଆ ପଲିସିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି।

You might also like