ଷ୍ଟାଟସ୍ ଅପଲୋଡ୍ କରି ୟୁଜର୍ସଙ୍କୁ ସଚେତନ କରାଇଲା WhatsApp

ନୂଆଦିଲ୍ଲୀ: ଷ୍ଟାଟସ୍ ଅପଲୋଡ୍ କରି ହ୍ୱାଟ୍ସଆପ୍(WhatsApp) ଏହାର ୟୁଜର୍ସଙ୍କୁ ସଚେତନ କରାଇଛି।‌ ଆଜି ହ୍ୱାଟ୍ସଆପ୍ ନିଜର ୟୁଜର୍ସଙ୍କ ପାଇଁ ନୂଆ ଷ୍ଟାଟସ୍ ଅପଲୋଡ୍ କରିଛି। ଯେଉଁଥିରେ ସୁରକ୍ଷା ଓ ପ୍ରତିବନ୍ଧତାକୁ ଗୁରୁତ୍ୱ ଦିଆଯାଇଛି।

ହ୍ୱାଟ୍ସଆପ୍ ୟୁଜର୍ସଙ୍କ ବ୍ୟକ୍ତିଗତ ମ୍ୟାସେଜ୍‌କୁ ପଢ଼ିବାରେ ସକ୍ଷମ ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ଓ ଏନ୍କ୍ରିପଟେଡ୍ ହୋଇଥିବାରୁ କେବଳ ଦୁଇ ଜଣଙ୍କ ମଧ୍ୟରେ ହିଁ ସୀମିତ ରହେ। ଏହାସହ ୟୁଜର୍ସଙ୍କ ଲୋକେସନ୍ ସେୟାର୍ କରେ ନାହିଁ ବୋଲି ଷ୍ଟାଟସ୍‌ରେ ଉଲ୍ଲେଖ କରିଛି କମ୍ପାନୀ।

ହ୍ୱାଟ୍ସଆପ୍‌ର  ପ୍ରାଇଭେସି ପଲିସି  ଅବଧି ବଢ଼ିବା ପରେ ଏବେ ଏନେଇ ଲୋକଙ୍କୁ ସଚେତନ କରାଯାଉଛି। ବିବାଦ ଓ ବିରୋଧ ପରେ ନୂଆ ପ୍ରାଇଭେସି ପଲିସି ଲାଗୁକୁ ହ୍ୱାଟ୍ସଆପ୍‌ ମେ’ ୧୫କୁ ଘୁଞ୍ଚାଇ ଦେଇଛି।

ଫେବୃଆରୀ ୮ରୁ ନୂଆ ବ୍ୟକ୍ତିଗତ ଗୋପନୀୟତା ନିୟମାବଳୀ ଲାଗୁ କରିବାକୁ ହ୍ୱାଟ୍ସଆପ୍ ପକ୍ଷରୁ ଘୋଷାଣା କରାଯାଇଥିଲା। ଏଥିସହ ମୂଳ କମ୍ପାନୀ ଫେସବୁକ୍ ସହ ତଥ୍ୟ ଆଦାନପ୍ରଦାନକୁ ନେଇ ୟୁଜରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏଥିଯୋଗୁ ଅନେକ ୟୁଜର ହ୍ୱାଟ୍ସଆପ୍‌ ଛାଡ଼ି ଦେଇଥିଲେ।

କିଛି ଦିନ ତଳେ ହ୍ୱାଟ୍ସଆପ୍ ପକ୍ଷରୁ ଗୋପନୀୟତା ନିୟମାବଳୀକୁ ନେଇ ସ୍ପଷ୍ଟୀକରଣ ରଖିଥିଲେ ମଧ୍ୟ ୟୁଜରଙ୍କ ଅସନ୍ତୋଷ ଥମି ନଥିଲା। ଏହାପରେ ୟୁଜରଙ୍କୁ ମନେଇବା ପାଇଁ ହ୍ୱାଟ୍ସଆପ୍ ପକ୍ଷରୁ ବ୍ୟକ୍ତିଗତ ଗୋପନୀୟତା ନିୟମାବଳୀକୁ ସ୍ଥଗିତ ରଖାଯାଇଛି।

ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତା ନିୟମାବଳୀକୁ ନେଇ ୟୁଜରଙ୍କ ମଧ୍ୟରେ ଥିବା ବିଭ୍ରାନ୍ତକୁ ଦୂର କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହ୍ୱାଟ୍ସଆପ୍ ପକ୍ଷରୁ କୁହାଯାଇଛି।

You might also like