ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ଆଡ୍‌ମିନ୍‌ ଅଛନ୍ତି କି? ସତର୍କ ରୁହନ୍ତୁ

ଭୋପାଳ: ଆପଣ କୌଣସି ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ର୍‌ ଆଡ୍‌ମିନ୍‌ ଅଛନ୍ତି କି? ସତର୍କ ରୁହନ୍ତୁ, ନହେଲେ ଅକାରଣରେ ଆପଣଙ୍କୁ କେତେବେଳେ ବି ହୋଇପାରେ ଜେଲ୍‌ ଦଣ୍ଡ। କାରଣ ଏବେ ବହୁ ଆପତ୍ତିଜନକ ପୋଷ୍ଟ ହ୍ୱାଟ୍‌ସ ଆପ୍‌ ଗ୍ରୁପ୍‌ରେ ଭାଇରାଲ୍‌ ହେଉଛି। ନିକଟରେ ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ।

ଖବର ଅନୁଯାୟୀ, ୨୧ ବର୍ଷିୟ ଜୁନେଦ୍‌ ଖାନ୍‌ ଜଣେ ବିଏସ୍‌ସି ଛାତ୍ର। ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ଦେଶବିରୋଧୀ ପୋଷ୍ଟ ଶେୟାର ହେବାରୁ ୫ ମାସ ହେଲା ସେ ଜେଲ୍‌ରେ ଅଛି। ତାଙ୍କର ଭୁଲ୍‌ ଥିଲା ଯେ ସେ ସେହି ଏହି ହ୍ୱାଟ୍‌ସଆପ ଗ୍ରୁପ୍‌ର୍‌ ଆଡ୍‌ମିନ୍‌ ଥିଲେ।

ଜୁନେଦ୍‌ଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଜୁନେଦ୍ ଆଡମିନ୍‌ ଥିବା ଗ୍ରୁପ୍‌କୁ ଇର୍ଫାନ ନାମକ ଜଣେ ଯୁବକ ଖୋଲିଥିଲେ। ଯେଉଁଥିରେ ଜୁନେଦ୍‌ ଜଣେ ସଦସ୍ୟ ଥିଲେ। ହେଲେ ପରବର୍ତ୍ତୀ ସମୟରେ ସେହି ଗ୍ରୁପ୍‌ରେ ଏକ ଆପତ୍ତିଜନକ ପୋଷ୍ଟ୍ ସେୟାର କରି ଇର୍ଫାନ ସେହି ଗ୍ରୁପ୍‌ରୁ ଲେପ୍ଟ୍‌ ହୋଇଯାଇଥିଲା। ଫଳରେ ଜୁନେଦଙ୍କ ସମେତ ଦୁଇ ଜଣ ଉକ୍ତ ଗ୍ରୁପ୍‌ରେ ଆଡମିନ୍‌ ରହିଯାଇଥିଲେ। କିନ୍ତୁ ଏହି ଆପତ୍ତିଜନକ ପୋଷ୍ଟ୍‌ ପରେ ଅନ୍ୟ ଜଣଙ୍କ ମଧ୍ୟ ଗ୍ରୁପ୍‌ରୁ ଲେଫ୍ଟ ହୋଇଯିବାରୁ ଜୁନେଦ୍ ବାଇଡିଫଲ୍ଟ ଆଡ୍‌ମିନ୍‌ ହୋଇଯାଇଥିଲେ। ଅଭିଯୋଗ ହେବା ସମୟରେ ଜୁନେଦ୍‌ ଗ୍ରୁପ୍‌ର ଆଡମିନ୍‌ ଥିବାରୁ ପୁଲିସ ତାକୁ ଗିରଫ କରିଛି। ସେପଟେ ପୁଲିସ୍‌ କହିଛି, ପ୍ରମାଣ ଆଧାରରେ ଜୁନେଦ୍‌କୁ ଗିରଫ କରାଯାଇଛି। ଘଟଣା ଘଟିବା ସମୟରେ ଜୁନେଦ୍‌ ଗ୍ରୁପ୍‌ର ଆଡ୍‌ମିନ୍‌ ଥିଲେ। ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି। ଜୁନେଦ୍‌ଙ୍କ ବିରୋଧରେ ଆଇଟି ଆକ୍ଟ ସହିତ ରାଜଦ୍ରୋହ ଅପରାଧରେ ଆଇପିସିର ୧୨୪ (କ) ଦଫା ଲାଗିଛି। ଏହି ମାମଲାରେ ଆପତ୍ତିଜନକ ପୋଷ୍ଟ୍ କରିଥିବା ଇର୍ଫାନ୍ ବିରୋଧରେ ମଧ୍ୟ ପୁଲିସରେ ଅଭିଯୋଗ ହୋଇଛି। ତେବେ ପୁଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇନି।

ପରିସ୍ଥିତି ଏପରି ହେଲା ଯେ ଜୁନେଦ୍‌ଙ୍କୁ ଜାମିନ ମଧ୍ୟ ମିଳିଲାନି। ତା’ଙ୍କର ପାଠପଢ଼ା ବ୍ୟାଘାତ ହେଲା। ଏପରିକି ତାଙ୍କୁ ପରୀକ୍ଷା ଦେବା ପାଇଁ ମଧ୍ୟ ଅନୁମତି ମିଳିଲା ନାହିଁ ।

You might also like