ବ୍ୟବହାରକାରୀଙ୍କ ଅସନ୍ତୋଷ ପରେ ନରମିଲା ହ୍ୱାଟ୍ସଆପ୍
ନୂଆଦିଲ୍ଲୀ: ବ୍ୟବହାରକାରୀଙ୍କ ଅସନ୍ତୋଷ ପରେ ନରମିଲା ହ୍ୱାଟ୍ସଆପ୍। ନୂଆ ପ୍ରାଇଭେସି ପଲିସି ଲାଗୁକୁ ହ୍ୱାଟ୍ସଆପ୍ ୩ ମାସ ପାଇଁ ସ୍ଥଗିତ ରଖିଛି। ଏନେଇ ଶୁକ୍ରବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।
ଫେବୃଆରୀ ୮ରୁ ନୂଆ ବ୍ୟକ୍ତିଗତ ଗୋପନୀୟତା ନିୟମାବଳୀ ଲାଗୁ କରିବାକୁ ହ୍ୱାଟ୍ସଆପ୍ ପକ୍ଷରୁ ଘୋଷାଣା କରାଯାଇଥିଲା। ଏଥିସହ ମୂଳ କମ୍ପାନୀ ଫେସବୁକ୍ ସହ ତଥ୍ୟ ଆଦାନପ୍ରଦାନକୁ ନେଇ ୟୁଜରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏଥିଯୋଗୁ ଅନେକ ୟୁଜର ହ୍ୱାଟ୍ସଆପ୍ ଛାଡ଼ି ଦେଇଥିଲେ।
କିଛି ଦିନ ତଳେ ହ୍ୱାଟ୍ସଆପ୍ ପକ୍ଷରୁ ଗୋପନୀୟତା ନିୟମାବଳୀକୁ ନେଇ ସ୍ପଷ୍ଟୀକରଣ ରଖିଥିଲେ ମଧ୍ୟ ୟୁଜରଙ୍କ ଅସନ୍ତୋଷ ଥମି ନଥିଲା। ଏହାପରେ ୟୁଜରଙ୍କୁ ମନେଇବା ପାଇଁ ହ୍ୱାଟ୍ସଆପ୍ ପକ୍ଷରୁ ବ୍ୟକ୍ତିଗତ ଗୋପନୀୟତା ନିୟମାବଳୀକୁ ସ୍ଥଗିତ ରଖାଯାଇଛି।
ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତା ନିୟମାବଳୀକୁ ନେଇ ୟୁଜରଙ୍କ ମଧ୍ୟରେ ଥିବା ବିଭ୍ରାନ୍ତକୁ ଦୂର କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହ୍ୱାଟ୍ସଆପ୍ ପକ୍ଷରୁ କୁହାଯାଇଛି।
ହ୍ୱାଟ୍ସଆପ୍ର ନୂଆ ପ୍ରାଇଭେସି ପଲିସିକୁ ସାରା ବିଶ୍ୱରେ ଜୋର୍ଦାର ବିରୋଧ ପରେ ହ୍ୱାଟ୍ସଆପ୍ ସଫେଇ ଦେଇଥିଲା। ଲୋକଙ୍କ ମେସେଜ୍ ତୃତୀୟ ପକ୍ଷ ପଢ଼ିପାରିବେ ନାହିଁ କି କଥାବାର୍ତ୍ତା ବି ଶୁଣି ହେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ହ୍ୱାଟ୍ସଆପ୍ ପକ୍ଷରୁ କୁହାଯାଇଛି, ଫେସ୍ବୁକ ହେଉ କି ହ୍ୱାଟ୍ସଆପ୍ କେଉଁଠି ବି ଲୋକଙ୍କ ପ୍ରାଇଭେଟ ମେସେଜ ପଢ଼ି ହେବ ନାହିଁ। ସାଙ୍ଗ ଓ ଫ୍ୟାମିଲି ସହ କଥାବାର୍ତ୍ତା ବି ଶୁଣି ହେବ ନାହିଁ ବୋଲି କମ୍ପାନୀ ସ୍ପଷ୍ଟୀକରଣ ରଖିଛି। ଲୋକଙ୍କ ପର୍ଶନାଲ ମେସେଜ ଏଣ୍ଡ ଟୁ ଏଣ୍ଡ ଇନ୍କ୍ରିପସନ ଦ୍ୱାରା ସୁରକ୍ଷିତ ରହୁଛି। ଏହି ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ ହେବାକୁ ଦିଆଯିବ ନାହିଁ ବୋଲି ହ୍ୱାଟ୍ସଆପ ସଫେଇ ଦେଇଛି।