ବଢିବ କି ଲକ୍‌ ଡାଉନ ଅବଧି ? କେମିତି ରହିବ କଟକଣା ?

ନୂଆଦିଲ୍ଲୀ: ମେ‘ ୩୧ରେ ଶେଷ ହେଉଛି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ । ଅର୍ଥାତ୍ ଲକ୍‌ଡାଉନ୍ ୪.୦ ସରିବାକୁ ମଝିରେ ଆଉ ମାତ୍ର ତିନି ଦିନ । ଏହା ପରେ କଣ ହେବ ସ୍ଥିତି ? ତାକୁ ନେଇ କଳ୍ପନାଜଳ୍ପନା ବଢୁଥିବାବେଳେ ଏଥର କିନ୍ତୁ କେନ୍ଦ୍ର ସରକାର ଆଉ ସିଧାସଳଖ ଲକ୍‌ଡାଉନ୍ ବଢାଇ ନ ପାରନ୍ତି ବୋଲି ଅନୁମାନ କରାଯାଉଛି।

ଏଥର କେନ୍ଦ୍ର ସରକାର ଲକ୍‌ଡାଉନ କଟକଣା ନିଷ୍ପତ୍ତି ରାଜ୍ୟ ସରକାରମାନଙ୍କ ଉପରେ ଛାଡ଼ି ପାରନ୍ତି । ଯାହାଦ୍ୱାରା ନିଜ ଅଞ୍ଚଳର କରୋନା ସଂକ୍ରମଣ ସ୍ଥିତି ଓ କଣ୍ଟେନମେଣ୍ଟ ଜୋନର ସ୍ଥିତିକୁ ଦେଖି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ନିଷ୍ପତ୍ତି ନେଇ ପାରିବେ । ତେବେ ଆନ୍ତର୍ଜାତିକ ବିମାନ ଉଡ଼ାଣ ଅନୁମତି ସହ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ପୂର୍ବଭଳି କେନ୍ଦ୍ର ସରକାରଙ୍କ ହାତରେ ରହିବ ।

ଯଦିଓ ଆଗକୁ କେନ୍ଦ୍ର ସରକାରଙ୍କ କରୋନା କଟକଣା ସଙ୍କୁଚିତ ହେବେ ତଥାପି ଜାତୀୟ କୋଭିଡ୍-୧୯ ଗାଇଡଲାଇନ୍ସ ଅନୁସାରେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିବ। ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଗତ ମେ‘ ୧୭ରେ କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣା କରିଥିଲେ । ତେବେ ବିଶ୍ୱରେ କରୋନା ସଂକ୍ରମଣ ସ୍ଥିତିକୁ ଅନୁଭବ କରି ଆସନ୍ତା ଜୁଲାଇ ମାସ ପୂର୍ବରୁ ଆନ୍ତର୍ଜାତିକ ଉଡ଼ାଣ ସମ୍ଭବ ନଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ଦେଶର ସ୍ଥିତିକୁ ଦେଖିଲେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ମଧ୍ୟ ବିଳମ୍ବ ହୋଇପାରେ । ତେବେ ଧାର୍ମିକସ୍ଥଳ, ସପିଂ ମଲ୍, ହୋଟେଲ, ସିନେମା ହଲ୍ ଓ ଜିମ୍ ଆଦି ଖୋଲିବା ଉପରେ ଅଦ୍ୟାବଧି କଟକଣା ବଳବତ୍ତର ରହିଥିବାବେଳେ ଧାର୍ମିକ ଉତ୍ସବ ସମ୍ପୂର୍ଣ୍ଣ ବାରଣ କରଯାଇଛି । ହେଲେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ସରିବା ପରେ ଏସବୁ କିଭଳି ଓ କେମିତି ଚାଲୁ ହେବ ସେ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ଛାଡ଼ି ପାରେ।

ସେପଟେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସରିବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଜୁନ୍ ୧ ତାରିଖରୁ ରାଜ୍ୟରେ ସମସ୍ତ ମନ୍ଦିର, ମସ୍ଜିଦ୍ ଓ ଗୀର୍ଜା ଆଦି ଧାର୍ମିକ ସ୍ଥଳ ଖୋଲିବାକୁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମାଗିଛନ୍ତି।

You might also like