ହମାଶର ଘନଘନ ରକେଟ ମାଡକୁ କେମିତି ପ୍ରତିହତ କରୁଛି ଇସ୍ରାଏଲ ?

ଗାଜାସିଟି: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାଶର ଘନ ଘନ ରକେଟ୍ ମାଡ଼  ଜାରି ରହିଛି । ସପ୍ତାହକ ମଧ୍ୟରେ ଜେରୁଜେଲମ ସହରକୁ ଟାର୍ଗେଟ କରି ୩ ହଜାରରୁ ଅଧିକ ରକେଟ୍ ମାଡ଼ କଲାଣି ହମାଶ । ତେବେ ଆଇରନ ଡୋମ୍ ଏୟାର ଡିଫେନ୍ସ ପ୍ରଣାଳୀ ବ୍ୟବହାର କରି କ୍ରମାଗତ ରକେଟ୍ ଆକ୍ରମଣକୁ ପ୍ରତିହତ କରିପାରିଛି ଇସ୍ରାଏଲ । ତେବେ କଣ ଏହି ଆଇରନ ଡୋମ୍ ଏୟାର ଡିଫେନ୍ ସିଷ୍ଟମ ?  ଏହା କିଭଳି ଆକାଶ ମାର୍ଗରୁ ଆସୁଥିବା ବିପଦର ମୁକାବିଲା କରେ ?

ଆଇରନ୍ ଡୋମ୍ ଏକ ଅତ୍ୟାଧୁନିକ ବ୍ୟବସ୍ଥା । ଏକ ସ୍ୱଳ୍ପ ଦୂରଗାମୀ ଗ୍ରାଉଣ୍ଡ-ଟୁ-ଏୟାର ସୁରକ୍ଷା ପ୍ରଣାଳୀ । ଏଥିରେ ରାଡାର୍, ବ୍ୟାଟଲ ମ୍ୟାନେଜମେଣ୍ଟ, ଓ୍ୱିପନ୍ କଣ୍ଟ୍ରୋଲ ସିଷ୍ଟମ୍ ଏବଂ ମିଜାଇଲ୍ ଫାୟାରିଂ ୟୁନିଟ୍ ଥାଏ । ଆକାଶ ମାର୍ଗରେ ଆସୁଥିବା ଯେକୌଣସି ଯୁଦ୍ଧାସ୍ତ୍ରକୁ ରାଡାର୍ ଠାବ କଲା ପରେ ଏହାକୁ କିଭଳି କାଉଣ୍ଟର କରାଯିବ ବ୍ୟାଟଲ ମ୍ୟାନେଜମେଣ୍ଟ ସିଷ୍ଟମ ତାହା ନିର୍ଦ୍ଧାରଣ କରେ।

ଅନ୍ୟପକ୍ଷରେ ଓ୍ୱିପନ୍ କଣ୍ଟ୍ରୋଲ୍ ସିଷ୍ଟମ ମାଧ୍ୟମରେ ମିସାଇଲକୁ ଫାୟାର କରି ଟାର୍ଗେଟକୁ ଧ୍ୱଂସ କରିଦିଆଯାଏ । ଏହାର ସଫଳତା ହାର ପ୍ରାୟ ୯୦ ପ୍ରତିଶତ । ଆଇରନ୍ ଡୋମ୍ ପ୍ରଣାଳୀ ଆଇ-ଡୋମ୍ ଓ ସି-ଡୋମ୍ ଭଳି ଦୁଇ ଶ୍ରେଣୀରେ ଏହା ବିଭକ୍ତ। ଆଇ-ଡୋମ୍ ହେଉଛି ଟ୍ରକରେ ଖଞ୍ଜା ଯାଇଥିବା ଏକ ଚଳମାନ ପ୍ରଣାଳୀ । ସ୍ଥଳଭାଗରେ ସେନା ବେସ୍ ଓ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରତିଷ୍ଠାନକୁ ଏହା ସୁରକ୍ଷା ପ୍ରଦାନ କରିଥାଏ ।

ଅନ୍ୟପକ୍ଷରେ ସି-ଡୋମ୍ ସମୁଦ୍ରିକ ବେଶ୍ ଓ ଯୁଦ୍ଧ ଜାହାଜକୁ ସୁରକ୍ଷା ଦେବା ଲାଗି ବ୍ୟବହାର କରାଯାଏ।ତୋପ ହେଉ କି ଯେ କୌଣସି ପ୍ରକାରର କ୍ଷେପଣାସ୍ତ୍ର, ମାନବବିହୀନ ବିମାନ ବା ୟୁଏଭି ଅବା ଫାଇଟର ଜେଟ୍ – ଆକାଶ ମାର୍ଗରେ ଆସୁଥିବା ଶତ୍ରୁପକ୍ଷର ଯେ କୌଣସି ଅସ୍ତ୍ରକୁ ଚିହ୍ନଟ କରି ଏହାକୁ ଧ୍ୱଂସ କରିଦେବା ଲାଗି ଆଇରନ୍ ଡୋମ୍ ପ୍ରଣାଳୀର କ୍ଷମତା ରହିଛି।

ଆମେରିକାର ସ୍କାଏ ହଣ୍ଟର୍ ଓ ଋଷିଆର S-400 ଭଳି ଏହା ଏକ ଅତ୍ୟାଧୁନିକ ଏୟାର ଡିଫେନ୍ସ ପ୍ରାଣାଳୀ। ତେବେ ଋଷ ନିର୍ମିତ S-400 ଏକ ଲଙ୍ଗ୍ରେଂଜ୍ ସର୍ଫେସ-ଟୁ-ଏୟାର କ୍ଷେପଣାସ୍ତ୍ର ପ୍ରଣାଳୀ ହୋଇଥିବା ବେଳେ, ଆଇରନ ଡୋମ୍ ଏକ ସ୍ବଳ୍ପ ଦୂରଗାମୀ ବ୍ୟବସ୍ଥା।  ଇସ୍ରାଏଲ ଏରୋସ୍ପେଶ ଏଜେନ୍ସି ଓ ରାଫାଏଲ ଆଡ୍‌ଭାନ୍ସ ଡିଫେନ ସିଷ୍ଟମ ମିଳିତ ଭାବେ ଏହି ଏୟାର ଡିଫେନ୍ସ ପ୍ରଣାଳୀକୁ ବିକଶିତ କରିଛନ୍ତି । ମେ’ ୧୦ରେ ସଂଘର୍ଷ ଆରମ୍ଭ ହେବା ଦିନଠାରୁ ହମାଶ ଜେରୁଜେଲମକୁ ଟାର୍ଗେଟ କରି ଏଯାଏଁ ୩ହଜାରରୁ ଅଧିକ ରକେଟ୍ ମାଡ଼ କଲାଣି ।  ତେବେ ଆଇରନ୍ ଡୋମ୍ ସୁରକ୍ଷା ପ୍ରଣାଳୀ ଦ୍ୱାରା ଇସ୍ରାଏଲ ୧ହଜାରରୁ ଅଧିକ ରକେଟକୁ ଧ୍ୱଂସ କରିଦେବାରେ ସଫଳ ହୋଇଛି।

You might also like