ରାତିରେ ଟ୍ରେନରେ ମୋବାଇଲ ଓ ଲାପଟପ୍ ଚାର୍ଜ କରିବା ମନା

ଭାରତୀୟ ରେଳବାଇର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ଯାତ୍ରୀଙ୍କ ହିତ ଦୃଷ୍ଟିରୁ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।  ୱେଷ୍ଟର୍ଣ୍ଣ ଜୋନର ଟ୍ରନରେ ଯାତ୍ରା କରୁଥିବା ଯାତ୍ରୀମାନେ ରାତିରେ ଚାର୍ଜିଂ ପଏଣ୍ଟର ସୁବିଧା ପାଇବେ ନାହିଁ । ଦିନକୁ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଥିବା ବେଳେ ଭାରତୀୟ ରେଳବାଇର ଏହି ନିଷ୍ପତ୍ତି ଜୋରଦାର ଝଟକା ଦେଇପାରେ ।  ରାତି ୧୧ ଟାରୁ ସକାଳ  ୫ଟା ପର୍ଯ୍ୟନ୍ତ ଚାର୍ଜିଂ ପଏଣ୍ଟକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଏଭଳି ପରିସ୍ଥିତିରେ ଯାତ୍ରୀମାନେ ରାତିରେ ମୋବାଇଲ୍ କିମ୍ବା ଲାପଟପ୍ ଚାର୍ଜ କରିପାରିବେ ନାହିଁ। ବିଭିନ୍ନ ସ୍ଥାନରେ ଟ୍ରେନରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ରେଳର ପଶ୍ଚିମ ଜୋନ୍ ଏହି ନିଷ୍ପତ୍ତି ନେଇଛି।

ତେବେ ଏହି ନିଷ୍ପତ୍ତି ଦ୍ୱାରା ଲକ୍ଷ ଲକ୍ଷ ରେଳ ଯାତ୍ରୀ ପ୍ରଭାବିତ ହେବେ। ଭାରତୀୟ ରେଳବାଇର ଏହି ପଦକ୍ଷେପ ଅଗ୍ନିକାଣ୍ଡ ପରି ବିପଦର ସମ୍ଭାବନା କମ ରହିବ ବୋଲି ଆଶା କରାଯାଉଛି । କେବଳ ଏତିକି ନୁହେଁ ରେଳବାଇର ଏହି ନିଷ୍ପତ୍ତି ଦ୍ୱାରା ରାତିରେ ଯାତ୍ରା ସମୟରେ ମୋବାଇଲ୍ ଚୋରିର ପରି ଘଟଣା ମଧ୍ୟ ହ୍ରାସ ପାଇ‍ବ । ଏହାସହ ଅଧିକ ସମୟ ଚାର୍ଜିଂ ହେତୁ ମୋବାଇଲ୍ ବିସ୍ଫୋରଣର ଆଶଙ୍କା ମଧ୍ୟ କମିଯିବ । ରାତିରେ ଟ୍ରେନ ଗୁଡିକରେ ମୋବାଇଲ ଚାର୍ଜ କରିବାର ସୁବିଧା ବନ୍ଦ କରିବାକୁ ସତର୍କତାମୂଳକ ପଦକ୍ଷେପ କହିଛନ୍ତି ରେଳବାଇର  ଜଣେ ବରିଷ୍ଠ ଅଧିକାରୀ।

ସୂଚନାଯୋଗ୍ୟ ମାର୍ଚ୍ଚ ୧୩ରେ ସର୍ଟ ସର୍କିଟ୍ ଯୋଗୁଁ ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା।  ଗୋଟିଏ କୋଚରେ ନିଆଁ ଲାଗି ୭ଟି କୋଚକୁ ନିଆଁ ବ୍ୟାପିଗଲା ।  ତେବେ ଆଶ୍ୱସ୍ତିକର କଥା ହେଲା ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନଥିଲା ଏବଂ ସମସ୍ତଙ୍କୁ ନିରାପଦ ଭାବେ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହି ଘଟଣାର ଛାନଭିନ ପରେ ଜଣାପଡ଼ିଥିଲା ଚାର୍ଜିଂ ସକେଟ୍ ଯୋଗୁଁ ରେଳ କୋଚରେ ନିଆଁ ଲାଗିଥିଲା।

ତେବେ ଏହା ପ୍ରଥମର ଥର ନୁହେଁ, ୨୦୧୪ରେ ଏନେଇ ଏକ ଆଡ଼ଭାଇଜରି ଜାରି କରାଯାଇଥିଲା। ବାରମ୍ବାର ଅଗ୍ନିକାଣ୍ଡ ଘଟିବା ପରେ ୱେଷ୍ଟର୍ଣ୍ଣ ଜୋନ୍ କହିଛି, ଏବେ ୨୦୧୪ରେ ଦିଆଯାଇଥିବା ଆଡ଼ଭାଇଜରିକୁ କଡାକଡି ପାଳନ କରାଯିବ ।  ୨୦୧୪ରେ ସମସ୍ତ ଜୋନ ପାଇଁ  ଆଡ଼ଭାଇଜରି ଜାରି କରାଯାଇ ରାତି ୧୧ଠାରୁ  ସକାଳ ୫ ଟା ପର୍ଯ୍ୟନ୍ତ ଯାତ୍ରୀଙ୍କୁ ମୋବାଇଲ୍ ଚାର୍ଜ ନକରିବାକୁ କୁହାଯାଇଥିଲା। କିନ୍ତୁ ଏହି ଗାଇଡ଼ଲାଇନ୍ କେହି ଅନୁପାଳନ କରୁନଥିଲେ। ଫଳରେ ବାରମ୍ବାର ଟ୍ରେନରେ ଅଗ୍ନିକାଣ୍ଡ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ତଥା ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଓ ସମ୍ଭା‍ବ୍ୟ ଅଗ୍ନିକାଣ୍ଡରୁ ବର୍ତ୍ତିବା ପାଇଁ ରେଳବାଇ ଏପରି କଠୋର ନିଷ୍ପତ୍ତି ନେଇଛି ।

You might also like