ବଙ୍ଗରେ ବିଜେପିକୁ ଶକ୍ତ ଝଟକା : ଟିଏମସି ଫେରିବେ ମୁକୁଲ ରୟ

କୋଲକାତା : ମୁକୁଲ ରୟଙ୍କ ଘର ବାହୁଡ଼ା । ପଶ୍ଚିବମଙ୍ଗରେ ନିର୍ବାଚନ ହାରିବା ପରେ ଭାରତୀୟ ଜନତା ପାର୍ଟିକୁ ଶକ୍ତ ଝଟକା ଲାଗିବ । ରାଜ୍ୟ ରାଜନୀତିର ସମୀକରଣ ବଦଳିବ । ବିଜେପିର ବଡ଼ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ ସହ ତୃଣମୂଳ କଂଗ୍ରେସକୁ ଫେରିବେ । ଟିଏମସିର ବହୁ ପୂର୍ବତନ ନେତାଙ୍କ ଭଳି ଦିଦିଙ୍କ ପାଖକୁ ମୁକୁଲ ଫେରିପାରନ୍ତି ବୋଲି କୁହାଯାଉଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟିବାର ଯୋଜନା ରହିଛି । ଏହି ବୈଠକରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ଉପସ୍ଥିତ ରହିବେ ।

ବିଧାନସଭା ନିର୍ବାଚନରେ ମମତାଙ୍କୁ ମିଳିଥିବା ବଡ଼ ବିଜୟ ପରେ ଅନେକ ପୁରୁଣା ସହଯୋଗୀ ଟିଏମସି ଫେରିବାକୁ ଚାହୁଁଛନ୍ତି । ଆଉ ଏହି ତାଲିକାରେ ସର୍ବପ୍ରଥମ ନାମ ଆସୁଛି ମୁକୁଲ ରୟ । ବିଜେପିରେ ଶୁଭେନ୍ଦୁ ଅଧିକାରୀଙ୍କ ଦବଦବା ବଢ଼ୁଥିବାରୁ ଏବେ ଚିନ୍ତାରେ ଅଛନ୍ତି ମୁକୁଲ ରୟ । ଏହି କାରଣରୁ ସେ ଦଳକୁ ଫେରିବାକୁ ଚାହୁଁଛନ୍ତି । ତେବେ ମୁକୁଲ ରୟ ଟିଏମସି ଫେରିବେ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଟିଏମସି ନେତା ସୌଗତ୍ ରୟ ।

ସୌଗତ ରୟ କହିଛନ୍ତି, ଏପରି ଅନେକ ନେତା ଅଛନ୍ତି ଯେଉଁମାନେ ଅଭିଷେକ ବାନାର୍ଜୀଙ୍କ ସମ୍ପର୍କରେ ଅଛନ୍ତି ଏବଂ ଦଳକୁ ଫେରିବାକୁ ଚାହୁଁଛନ୍ତି । ତେବେ ଦଳକୁ ଫେରୁଥିବା ଲୋକଙ୍କୁ ଦୁଇଟି ଭାଗରେ ବିଭକ୍ତ କରାଯିବ – ସପ୍ଟଲାଇନର୍‌, ହାଡଲାଇନର୍ ବୋଲି କହିଛନ୍ତି । ସପ୍ଟଲାଇନ୍‌ର, ସେହିମାନେ ଯେଉଁମାନେ ଦଳ ଛାଡ଼ିଛନ୍ତି , କିନ୍ତୁ ମମତା ବାନାର୍ଜୀଙ୍କ ଅପମାନ କରିନାହାନ୍ତି । ଏବଂ ହାର୍ଡଲାଇନ୍‌, ଯେଉଁମାନେ ସର୍ବସମ୍ମୁଖରେ ମମତା ବାର୍ନାଜୀଙ୍କ ନାମରେ ବୟାନ୍ ଦେଇଛନ୍ତି । ଦଳବଦଳ କରିଥିଲେ ସୁଦ୍ଧା ମୁକୁଲ ରୟ ବ୍ୟକ୍ତିଗତ ଭାବେ ମମତା ବାନାର୍ଜୀଙ୍କ ଉପରେ କେବେ କୌଣସି ଆରାପ ପ୍ରତ୍ୟାରୋପ ଲଗାଇ ନାହାନ୍ତି ।

କିଛି ଦିନ ପୂର୍ବରୁ କୋଲକାତାରେ ହୋଇଥିବା ବିଜେପି ବୈଠକରେ ଯୋଗ ଦେଇନଥିଲେ ମୁକୁଲ ରୟ । ଏହା ବ୍ୟତୀତ ମମତା ବାନାର୍ଜୀଙ୍କ ପୁୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ହସ୍ପିିଟାଲ ଯାଇଥିଲେ । ଏହି ଦୁଇ ଘଟଣା ପରେ ମୁକୁଲ ରୟଙ୍କ ଘରବାହୁଡ଼ା ଏକପ୍ରକାର ସ୍ପଷ୍ଟ ହୋଇଛି ।

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ମୁକୁଲ ରୟଙ୍କୁ ୬ ବର୍ଷ ପାଇଁ ଦଳରୁ ବାହାର କରିଦେଇଥିଲା ଟିଏମସି । ଦିନ ଥିଲା ତୃଣମୂଳ କଂଗ୍ରେସ ଦଳରେ ମମତା ବାନାର୍ଜୀଙ୍କ ପରେ ଦ୍ୱିିତୀୟ ସ୍ଥାନରେ ରହୁଥିଲା ମୁକୁଲଙ୍କ ନାମ । ଟିଏମସି ଛାଡ଼ିବା ପରେ ବିଜେପିରେ ଯୋଗ ଦେଇଥିଲେ ମୁକୁଲ ରୟ । ୧୯୯୮ରୁ ବଙ୍ଗ ରାନୀତିରେ ସକ୍ରିୟ ଅଛନ୍ତି ମୁକୁଲ ରୟ । ନାରଦା ଷ୍ଟିଙ୍ଗ କେସରେ ମଧ୍ୟ ମୁକୁଲ ରୟଙ୍କ ନାମ ଆସିଥିଲା ।

You might also like