ମୃତ୍ୟକୁ ଭୟ ନାହିଁ ! ଫଳାଫଳ ଆସିବା ପୂର୍ବରୁ ବିଜୟ ଉତ୍ସବରେ ମସଗୁଲ ଟିଏମସି କାର୍ଯ୍ୟକର୍ତ୍ତା

କୋଲକାତା :  ଆମକୁ ଯେତେ ମାଠିବୁ ମାଠ୍‌, ଆମେ ସେଇ ଦରପୋଡା କାଠ୍ । ପୁଣି ଥରେ ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି କିଛି ଅମାନିଆ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଂଲ୍ଲଘନ  ସାରା ଦେଶରେ ମୃତ୍ୟୁର ତାଣ୍ଡବ ଚାଲିଥିବା ବେଳେ ଫଳାଫଳ ଦେଖି ନିୟମ ଭୁଲିଗଲେ ଲୋକେ । କରୋନାର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ୍ ବିଜୟ ଉତ୍ସବ ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇଥିଲେ ।

କିନ୍ତୁ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ସମସ୍ତ ନିୟମକୁ ଫୁ କରି ଫଳାଫଳ ଆସିବା ପୂବୟରୁ ହିଁ ଦଳର ସମର୍ଥକ ମାନେ ବିଜୟ ଉତ୍ସବ ମନାଇବା ଆରମ୍ଭ କରିଦେଇଛନ୍ତି । ରାସ୍ତା ଉପରେ ଶହ ଶହ ଲୋକ ଏକାଠି ହୋଇ ସେଲିବ୍ରେସନ୍ କରିଛନ୍ତି  । ପଶ୍ଚିମବଙ୍ଗରେ ଟିଏମସି ୨୦୨ ଲିଡରେ ଚାଲୁଥିବା ଦେଖି କୋଲକତା ସଡ଼କକୁ ଓହ୍ଲାଇ ଆସିଛନ୍ତି ସମର୍ଥକ । ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରି ନାଚଗୀତରେ ମସଗୁଲ ଅଛନ୍ତି ।

ଏହାକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ନିର୍ବାଚନ କମିଶନ୍ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୈଫିୟତ ତଲବ କରିଛନ୍ତି ଇସି । ତୁରନ୍ତ ନିର୍ବାଚନ ଶୋଭାଯାତ୍ରା ଓ ସେଲିବ୍ରେସନ୍କୁ ବନ୍ଦ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି, ଏପରି ଘଟଣା ସାମ୍ନାକୁ ଆସେ ତେବେ ସେହି ଅଞ୍ଚଳର ଏସ୍ଏଚ୍ଓ, ପୋଲିସ୍ ଅଧିକାରୀ ଦାୟୀ ରହିବେ ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଡ଼ା ଚେତାବନୀ ଶୁଣାଇଛନ୍ତି ଇସି ।

ଅନ୍ୟପଟେ ସମାନ ଏପରି କିଛି ଦୃଶ୍ୟ ତାମିଲନାଡୁରେ ମଧ୍ୟ ଦେଖିବାକୁ ମିଳିଛି । ଚୂଡାନ୍ତ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଡିଏମକେର ବିଜୟ ସୁନିଶ୍ଚିତ ହୋଇଛି । ଫଳରେ ଚେନ୍ନାଇରେ ଡିଏମକେ ମୁଖ୍ୟ ଷ୍ଟାଲିନଙ୍କ ଘର ସାମ୍ନାରେ ଦଳର ସଦସ୍ୟମାନେ ଏକାଠି ହୋଇ ମିଠାବାଣ୍ଟି ବିଜୟ ଉତ୍ସବ ପାଳୁଛନ୍ତି ।

ସୂଚନାଯୋଗ୍ୟ କରୋନାର ଭୟଙ୍କର ସ୍ଥିତିକୁ ଦେଖି କଡ଼ା ନିର୍ଦ୍ଦେଶ ଜାରି କରିଥିଲେ ନିର୍ବାଚନ କମିସନ । ମେ’ ୨ ଭୋଟ ଗଣତି ପରେ କେହି ବିଜୟ ଶୋଭାଯାତ୍ରା କରି ପାରିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଥିଲେ। କୋଭିଡର ଦ୍ରୁତ ସଂକ୍ରମଣକୁ ଦେଖି ଏହି ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ବାଚନ ବେଳେ କୋଭିଡ ଗାଇଡଲାଇନର ଖୋଲା ଉଲ୍ଲଂଘନ ଓ କରୋନାର ଭୟଙ୍କର ରୂପ ଯୋଗୁଁ ନିର୍ବାଚନ କମିଶନ ବିଭିନ୍ନ ମହଲରେ ସମାଲୋଚନାର ଶରବ୍ୟ ହୋଇଥିଲେ । ଏପରିକି ମାଡ୍ରାସ ହାଇକୋର୍ଟ ମଧ୍ୟ କଡ଼ା ଭର୍ତ୍ସନା କରିଥିଲେ । ଭୋଟ୍ ବେଳେ କରୋନା ରୋକିବାକୁ ନିୟମର କଡ଼ା ପାଳନର ଦାୟିତ୍ୱ ନିର୍ବାଚନ କମିଶନଙ୍କର ବୋଲି କହିଥିଲେ ।

You might also like