ଉଠୁଛି ପଡ଼ୁଛି ପଶ୍ଚିମବଙ୍ଗ: ମମତାଙ୍କ ସହ ଶୁଭେନ୍ଦୁଙ୍କର ଚାଲିଛି ଜୋରଦାର ଫାଇଟ୍‌

ଚର୍ଚ୍ଚାରେ ବଙ୍ଗ

କୋଲକତା: ଅଗ୍ନିକନ୍ୟା ବନାମ୍ ଭୂମିପୁତ୍ରର ଲଢେଇ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ୍ ତାଙ୍କ ଶିଷ୍ୟରୁ ଶତ୍ରୁ ବନିଥିବା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଜୋରଦାର ହେଉଛି ଫାଇଟ୍‌। ଏହି ହାଇଭୋଲଟେଜ୍‌ ଟକ୍କର୍ ପାଇଁ କେବଳ ପଶ୍ଚିମବଙ୍ଗ ନୁହେଁ, ରାଜନୀତିରେ ରୁଚି ରଖୁଥିବା ସାରା ଦେଶବାସୀଙ୍କ ଫୋକସରେ ବ୍ୟାଟେଲ୍ ଗ୍ରାଉଣ୍ଡ୍ ନନ୍ଦିଗ୍ରାମ ରହିଛି। ପ୍ରାୟ ୧୪ ବର୍ଷ ତଳେ ଜନସଂଘର୍ଷ ଓ ହିଂସାକାଣ୍ଡ ପାଇଁ ଚର୍ଚ୍ଚାର ପରିସରରୁ ଆସିଥିବା ଏବଂ ମମତାଙ୍କୁ ମୁକୁଟ ପିନ୍ଧାଇଥିବା ନନ୍ଦିଗ୍ରାମରେ ଏବେ କିଭଳି ସ୍ଥିତି ରହିଛି, କେଉଁ ଦିଗକୁ ପବନ ବହୁଛି, ଜାଣିବା ପାଇଁ ଗ୍ରାଉଣ୍ଡ୍ ଜିରୋରେ ପହଞ୍ଚି ସ୍ଥିତି ତଦାରଖ କରିଥିଲା ଓଟିଭି ଟିମ୍‌।

ଦଶନ୍ଧି ପରେ ପୁଣି ନନ୍ଦିଗ୍ରାମରୁ ହେବ କି ପରିବର୍ତ୍ତନର ସୂତ୍ରପାତ? ମମତା-ଶୁଭେନ୍ଦୁ ଟକ୍କରକୁ ନେଇ ପୂରା ପଶ୍ଚିମବଙ୍ଗ ଫୋକସରେ ଏହି ହାଇଭୋଲ୍ଟେଜ ବ୍ୟାଟେଲ୍ ଗ୍ରାଉଣ୍ଡ୍ ରହିଛି। ମାର୍ଚ୍ଚ ୧୪, ୨୦୦୭ କଥା ବୋଧହୁଏ ସମସ୍ତଙ୍କ ମନ ରହିଥିବ। ଆଜକୁ ପ୍ରାୟ ୧୪ ବର୍ଷ ତଳେ ନନ୍ଦିଗ୍ରାମ ଦେଖିଥିଲା ପଶ୍ଚିମବଙ୍ଗ ଇତିହାସର କଳା ଅଧ୍ୟାୟ। ସେତେବେଳର କ୍ଷମତାସୀନ କମ୍ୟୁନିଷ୍ଟ ସରକାର ଇଣ୍ଡୋନେସିଆ କଂପାନୀ ଦ୍ୱାରା ନନ୍ଦିଗ୍ରାମରେ ସ୍ପେଶାଲ ଇକୋନୋମିକ୍ ଜୋନ୍ ପ୍ରତିଷ୍ଠା କରିବାକୁ ଚାହୁଁଥିବା ବେଳେ, ଏଥିପାଇଁ ଆବଶ୍ୟକ ପ୍ରାୟ ୧୦ ହଜାର ଏକର ଜମି ଅଧିଗ୍ରହଣକୁ ତୀବ୍ର ବିରୋଧ କରିଥିଲା ସ୍ଥାନୀୟ ଭୂମି ଉଚ୍ଛେଦ ପ୍ରତିରୋଧ କମିଟି। ପରିଣାମ, ମାର୍ଚ୍ଚ ୧୪ରେ ଟେଖାଲିରେ ପୋଲିସ ଗୁଳିରେ ପ୍ରାୟ ୧୪ ଜଣଙ୍କ ଜୀବନ ବି ଯାଇଥିଲା। ଆଜି ବି ସେଇ ଗୁଳିକାଣ୍ଡର ସ୍ମୃତି ବହନ କରୁଛି ସେଠାରେ ଥିବା ଏକ ପୋଲ, ସହିଦ ସ୍ମୃତି ସ୍ତମ୍ଭ ଇତ୍ୟାଦି।

୧୪ ବର୍ଷ ତଳେ ଏହି ସଂଘର୍ଷକୁ କେନ୍ଦ୍ର କରି ନନ୍ଦିଗ୍ରାମରୁ ହିଁ ହୋଇଥିଲା ରାଜ୍ୟ କ୍ଷମତା ପରିବର୍ତ୍ତନର ସୂତ୍ରପାତ। ୩ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ପଶ୍ଚିମବଙ୍ଗରେ ରାଜ୍ କରିଥିବା ବାମ ଦଳର ପତନ ସହ, ମା-ମାଟି-ମାନୁଷର ନାରା ଦେଇ ଗାଦି ଅକ୍ତିଆର କରିଥିଲା ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ। ତେବେ ଚଳିତ ନିର୍ବାଚନରେ ସେଠାରୁ ପୁଣି ହେବ କି ଆଉ ଏକ ପରିବର୍ତ୍ତନର ସୂର୍ଯ୍ୟୋଦୟ? କାରଣ ନନ୍ଦିଗ୍ରାମ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ସେତେବେଳେ ମମତାଙ୍କ ନିକଟତମ ସହଯୋଗୀ ଶୁଭେନ୍ଦୁ ଏବେ ବିଜେପି ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ତାଙ୍କର ଡାଇରେକ୍ଟ ଫାଇଟ୍ ଚାଲିଛି। ଏପଟେ ନିଯୁକ୍ତି, କୃଷି ଓ ଅଂପନ୍ କ୍ଷତିପୂରଣ ଭଳି ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୁହୁଳୁଛି ମମତା ବିରୋଧୀ ଅସନ୍ତୋଷ।

ଚଳିତ ନିର୍ବାଚନରେ ହାଓ୍ୱା ନିଜ ସପକ୍ଷରେ ନଥିବାରୁ ଟିଏମ୍ସି ରକ୍ତମୁଖା ହୋଇଉଠିଥିବା ଅଭିଯୋଗ ହେଉଛି। କିଛି ଦିନ ତଳେ ଶୁଭେନ୍ଦୁ ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରାରେ ଟିଏମ୍ସି କର୍ମୀ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ, ଗତକାଲି ଦାଉଦପୁରରେ କଂଗ୍ରେସ ସମର୍ଥିତ ବାମଦଳ ନେତ୍ରୀ ମୀନାକ୍ଷୀ ବାନାର୍ଜୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ନନ୍ଦିଗ୍ରାମ ମୁଖ୍ୟରାସ୍ତା ଉପରେ ଧାରଣା ଦେଇଥିଲେ ମୀନାକ୍ଷୀ ଓ ତାଙ୍କ ସମର୍ଥକ।

୨୧୦ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମରେ ରହିଛି। ଏପ୍ରିଲ ୧ରେ ସେଠାରେ ଭୋଟଗ୍ରହଣ ହେବ। ତେବେ ସମୟ କହିବ ନନ୍ଦିଗ୍ରାମ୍‌ ସହ ପୂରା ପଶ୍ଚିମବଙ୍ଗରେ କିଏ ପିନ୍ଧୁଛି ବିଜୟ ମୁକୁଟ।

ନନ୍ଦିଗ୍ରାମରୁ ଅଜିତ ଦାସ ଓ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ

You might also like