ସମାଲୋଚନା ସହି ପାରିଲେନି ମମତା, ଦିନକ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ: ମମତାଙ୍କ ପିଛା ଛାଡ଼ୁନି ବିବାଦ । ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦ ମିନିଟ ବିଳମ୍ବରେ ଯୋଗଦେଇଥିଲେ । ଏହାସହ ବାତ୍ୟା ୟାସ୍ ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରଦାନ କରି ତୁରନ୍ତ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ମମତାଙ୍କ ଏଭଳି ଆଚରଣକୁ ନେଇ ଚାରିଆଡ଼େ ଭର୍ତ୍ସନା କରାଯାଇଥିଲା । ବିଭିନ୍ନ ବୁଦ୍ଧିଜୀବୀ ମହଲରେ ମଧ୍ୟ ମମତାଙ୍କ ଏଭଳି ଆଚରଣକୁ ନାପସନ୍ଦ କରାଯାଇଥିଲା ।

ବିଭିନ୍ନ ମହଲରୁ ବାରମ୍ବାର ସମାଲୋଚନା କରାଯିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ । ସେ କହିଛନ୍ତି, ତାଙ୍କୁ ଅଯଥାରେ ବଦନାମ କରାଯାଉଛି । ତାଙ୍କ ନାଁରେ ମିଛ ପ୍ରଚାର କରାଯାଉଛି । ସେହି ବୈଠକରେ ଯୋଗଦେବା ସହ ତାଙ୍କର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ରହିଥିଲା । ତେଣୁ ସେଠାରୁ ସେ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ । ଏଭଳି କହି ଘଟଣାର ଦିନକ ପରେ ପୁଣି କେନ୍ଦ୍ର ସରକାରକୁ କାଉଣ୍ଟର କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ତେବେ ଗତକାଲି ମମତାଙ୍କ ଏଭଳି ଆଚରଣକୁ ବିଜେପି କଡ଼ା ସମାଲୋଚନା କରିବା ସହ ନିନ୍ଦା କରିଥିଲା । ଏହାସହ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଥିଲା । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଆତ୍ମଗର୍ବର ପରିଚାୟକ ବୋଲି କହିଥିଲେ ଗୃହମନ୍ତ୍ରୀ ଅମିତ ଶାହ ।

ତେବେ ଏହି ବିବାଦ ବଢ଼ିବା ପରେ ଆଜି ପୁଣି ଥରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ସିଧା ଅଙ୍ଗୁଳି ଉଠାଇଛନ୍ତି ମମତା । ସେ କହିଛନ୍ତି ମିଛ ଓ ଏକତରଫା ଖବର କରି ତାଙ୍କୁ ଅପମାନିତ କରାଯାଉଛି । ତାଙ୍କୁ ଏଭଳି ଅପମାନିତ ନ କରିବାକୁ ମମତା କହିଛନ୍ତି ।

ସବୁଠାରୁ ବଡ଼ କଥା ହେଲା ପ୍ରଧାନମନ୍ତ୍ରୀଙ୍କୁ ୟାସର ଏକ ରିପୋର୍ଟ ଦେବା ପରେ ଅନ୍ୟ ଏକ ବୈଠକ ଥିବା କହି ଚାଲିଯାଇଥିଲେ ମମତା । ମମତା ସେଠାରୁ ଯିବା ମାତ୍ରେ ତାଙ୍କ ପଛେପଛେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ମଧ୍ୟ ସେଠାରୁ ଚାଲିଯାଇଥିଲେ । ଏହି ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ପୁଣି ଥରେ ଫେରାଇ ନେଇଛି କେନ୍ଦ୍ର । ଯାହାଫଳରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ମମତା ବାନାର୍ଜୀ । ତେବେ ମମତାଙ୍କ ଏଭଳି ପ୍ରତିକ୍ରିୟା ପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହାର ଜବାବ ରଖିଛନ୍ତି । ସେ କହିଛନ୍ତି ନିଜ ଇର୍ଷା ଓ ଅସୂୟାର ସନ୍ତୁଷ୍ଟି ପାଇଁ ମିଛ ପରେ ମିଛ କହୁଛନ୍ତି ମମତା ।

You might also like