ପଶ୍ଚିମବଙ୍ଗ ବିଧାନସଭାରେ ଗୃହୀତ ହେଲା CAA ବିରୋଧୀ ପ୍ରସ୍ତାବ

କୋଲକାତା: ସଂଶୋଧିତ ନାଗରିକତା ଆଇନ (ସିଏଏ) ବିରୋଧୀରେ ପ୍ରସ୍ତାବ ପଶ୍ଚିମବଙ୍ଗ  ବିଧାନସଭାରେ ଗୃହୀତ ହୋଇଯାଇଛି।  ଏବେ ପଶ୍ଚିମବଙ୍ଗ ୪ର୍ଥ ରାଜ୍ୟ ଯେଉଁଠି ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି। ପୂର୍ବରୁ ରାଜସ୍ଥାନ  ପଞ୍ଜାବ ଏବଂ କେରଳ ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା।

ଏହି ପ୍ରସ୍ତାବ ଅନୁଯାୟୀ କେନ୍ଦ୍ରର ସିଏଏକୁ ଖାରଜ କରାଯିବା ସହିତ ଜାତୀୟ ନାଗରିକ ପଞ୍ଜିକା (ଏନଆରସି), ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)କୁ ବିରୋଧ କରାଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ମନ୍ତ୍ରୀ ପାର୍ଥ ଚାଟାର୍ଜି ଅପରାହ୍ନରେ ସିଏଏ ବିରୋଧରେ ପ୍ରସ୍ତାବ ରଖିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ‘ଏହି ବିରୋଧ ପ୍ରଦର୍ଶନ କେବଳ ଅଳ୍ପସଂଖ୍ୟକଙ୍କର ନୁହେଁ। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ହିନ୍ଦୁ ଭାଇମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି । ପଶ୍ଚିମବଙ୍ଗରେ CAA, NRC, NPR ଲାଗୁ କରିବାକୁ ଆଦୌ ଦେବୁନାହିଁ।’
ଏହାବାଦ୍ ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି ସରକାର ବିଧାନସଭାରେ ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ଏକ ସଂକଳ୍ପ ପାରିତ କରିବାକୁ ଯୋଜନା କରୁଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ସିଏଏ ନିୟମ ଅନୁଯାୟୀ, ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣ ମୁସଲିମ ନାଗରିକଙ୍କୁ ଭାରତୀୟ ନାଗରିକତା ମିଳିବ। ଏହାକୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି।

You might also like