ମେ’ ଦୁଇ..ଦିଦିଙ୍କ ବିଦାୟୀ-ପ୍ରଧାନମନ୍ତ୍ରୀ

କୋଲକାତା:  ‘ଟିଏମସିର ପାପର ଘଡା ପୂର୍ଣ୍ଣ ହୋଇ ଗଲାଣି। ପଶ୍ଚମ ବଙ୍ଗରେ ଏବେ ବିଜେପି ସରକାର ଦରକାର। ପଶ୍ଚିମବଙ୍ଗରେ ଟିଏମସିର ଖେଳ ଶେଷ ହୋଇଯାଇଛି । ଏବେ ବିକାଶର ଆରମ୍ଭ ହେବ। ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯିବ ଟଙ୍କା। ବଙ୍ଗରେ ଏବେ ନୂଆ ଏକ ନାରା ଶୁଭୁଛି ‘ମେ ଦୁଇ..ଦିଦିଙ୍କ ବିଦାୟୀ। ଏମିତି ଅଗ୍ନବର୍ଷୀ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟିଏମସି ସରକାର ଉପରେ ବର୍ଷିଛନ୍ତି।

ପଶ୍ଚିମବଙ୍ଗରେ ନିର୍ବାଚନୀ ତାତି ଜୋର ଧରିଛି। ବିଜେପି-ଟିଏମ୍‌ସି ମୁହାଁମୁହିଁ ସ୍ଥିତିରେ ଅଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର ପୂର୍ବ ମେଦିନପୁରାର କାନ୍ଥୀ ନିର୍ବାଚନ ମଣ୍ଡଳୀରେ ଏକ ସଭାକୁ ସମ୍ବୋଧିତ କରି ଟିଏମସି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପଶ୍ଚିମବଙ୍ଗ ଲୋକଙ୍କ ବିକାଶ ବିଜେପିର ଏକମାତ୍ର ସଙ୍କଳ୍ପ। ବଙ୍ଗ ବିକାଶ ପାଇଁ ‍ବିଜେପି ଜୀ-ଜାନ୍‌ ଲଗେଇ କାମ କରିବ ଏଇ ପ୍ରତିଶ୍ରୁତି ଦବେ ପାଇଁ ମୁଁ ଆସିଛି।   ପଶ୍ଚିମବଙ୍ଗର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୁଁ ଆପଣଙ୍କୁ କଥା ଦେଉଛି।’

ଏଠି କହିରଖିବୁ, କାନ୍ଥୀ ନିର୍ବାଚନ ମଣ୍ଡଳୀ ଶୁଭେନ୍ଦୁ ଅଧିକାରୀ ପରିବାରର ଗଡ ବୋଲି କୁହାଯାଏ। ୨୦୦୯ରୁ କାନ୍ଥୀ ଲୋକସଭା ଆସନରୁ ସାଂସଦ ଥିବା ଟିଏମସିର ଶିଶିର ଅଧିକାରୀ ଗତ ରବିବାର ବିଜେପିରେ ସାମିଲ ହୋଇଛନ୍ତି।

ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ଖୋଜାପଡେ ସେତେବେଳେ ଦିଦିଙ୍କ ଦେଖା ମିଳେନି। ହେଲେ ନିର୍ବାଚନ ଆସିଲେ ସେ କହନ୍ତି- ସରକାର ଦୁଆରେ ଦୁଆରେ..।  ପଶ୍ଚିମବଙ୍ଗର ଛୋଟ ଛୁଆଟେ ମଧ୍ୟ ଦିଦିଙ୍କର ଏହି ଗେମ୍‌କୁ ଜାଣି ସାରିଲାଣି।

ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଥିଲେ, ଦିଦି, ଆଜି ପଶ୍ଚିମବଙ୍ଗ ପଚାରୁଛି, ଅମ୍ଫାନ ସହାୟତା ରାଶି କିଏ ଲୁଟି ନେଇଛି ? ଗରିବଙ୍କ ଚାଉଳ କିଏ ଲୁଟିଛି ? ଅମ୍ଫାନରେ ପ୍ରଭାବିତ ଲୋକ ଆଜି ଖୋଲା ଛାତ ତଳେ ରହିବା ପାଇଁ କାହିଁକି ବାଧ୍ୟ ହେଉଛନ୍ତି ?

You might also like