ପଶ୍ଚିମବଙ୍ଗ ନିର୍ବାଚନ ୨୦୨୧: ବିମାନରୁ ଓହ୍ଲାଇବା ମାତ୍ରେ କରିମୁଲ ହକଙ୍କୁ ଆଲିଙ୍ଗନ କରିପକାଇଲେ ମୋଦି ! ସେ କିଏ ?

ସିଲିଗୁଡ଼ି: ପଶ୍ଚିମବଙ୍ଗ ନିର୍ବାଚନ ​​ପ୍ରଚାର ପାଇଁ ସିଲିଗୁଡ଼ିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଗଡୋଗ୍ରା ବିମାନବନ୍ଦରରେ ଓହ୍ଲାଇଥିଲେ । ବିମାନରୁ ଓହ୍ଲାଇବା ମାତ୍ରେ ହିଁ ସେ ଜଣେ ବ୍ୟକ୍ତିଙ୍କୁ ଦେଖି ଆଲିଙ୍ଗନ କରି ପକାଇଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ଏହି ବ୍ୟକ୍ତି ଜଣକ କିଏ? ଫଟୋ ଭାଇରାଲ ହେବା ପରେ ଏବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ। ସେ ବ୍ୟକ୍ତି ଜଣଙ୍କର ମୋଦିଙ୍କ ସହ ଏଭଳି କି ସମ୍ପର୍କ ରହିଛି ଯେ, ପ୍ରଧାନମନ୍ତ୍ରୀ ବିମାନରୁ ଓହ୍ଲାଇବା ମାତ୍ରେ ତାଙ୍କୁ ଦେଖି ଆଲିଙ୍ଗନ କରିପକାଇଲେ। ତେବେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ବହୁ ଚର୍ଚ୍ଚିତ ସାମାଜିକ କର୍ମୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କରିମୁଲ ହକ୍। ଜଲପାଇଗୁଡ଼ି ଅଞ୍ଚଳରେ ସେ ‘ବାଇକ୍ ଆମ୍ବୁଲାନ୍ସ ଦାଦା’ ଭାବେ ବେଶ୍ ଜଣାଶୁଣା। ଗୁରୁତର ତଥା ଅସୁସ୍ଥ ଲୋକଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସେ ନିଜ ବାଇକକୁ ଆମ୍ବୁଲାନ୍ସରେ ପରିଣତ କରିଥିଲେ। ସେବେଠାରୁ ସେ ଜଲପାଇଗୁଡ଼ି ଅଞ୍ଚଳରେ ଗୁରୁତର ରୋଗୀଙ୍କୁ ନିଜ ବାଇକ୍ ଆମ୍ବୁଲାନ୍ସରେ ମେଡିକାଲରେ ପହଞ୍ଚାଉଛନ୍ତି। ଆଜି ସୁଦ୍ଧା ସେ ୫ ହଜାରରୁ ଅଧିକ ରୋଗୀଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଜୀବନ ରକ୍ଷା କରିସାରିଲେଣି। ତାଙ୍କର ଏଭଳି ସେବାକୁ ସମ୍ମାନ ଜଣାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି।

ବାଇକ୍ ଆମ୍ବୁଳାନ୍ସ କଥା କାହିଁକି ଚିନ୍ତା କଲେ କରିମୁଲ ?

କରିମୁଲଙ୍କ କହିବାନୁଯୀ, ସେ ଦିନେ ଚା’ ବଗିଚାରେ କାମ କରୁଥିଲେ। ହଠାତ୍ ସେହି ସମୟରେ ତାଙ୍କର ଜଣେ ସାଥୀ ଅସୁସ୍ଥ ହୋଇପଡିଥିଲେ। ଆଉ ସେହି ଚା’ ବଗିଚାରେ ହିଁ ତଳେ ପଡ଼ିଯାଇଥିଲେ। ଏହାଦେଖି କରୁମୁଲ ତୁରନ୍ତ ଆମ୍ବୁଳାନ୍ସକୁ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ କିନ୍ତୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ବହୁ ବିଳମ୍ବ କରୁଥିଲା। ଫଳରେ ଅନ୍ୟ ଉପାୟ ନପାଇ କରିମୁଲ ହକ୍ ବାଇକ ବାହାର କଲେ ଏବଂ ଉକ୍ତ ସାଥୀକୁ ପିଠିରେ ବାନ୍ଧିଲେ। ପରେ ଆଉ ଜଣେ ସାଥୀଙ୍କୁ ବାଇକ ପଛରେ ବସି ତାଙ୍କୁ ଧରିବା ପାଇଁ କହିଲେ। ଏହାପରେ ସେ ଡାକ୍ତରଖାନା ଅଭିମୁଖେ ବାହାରିପଡ଼ିଲେ। ଏଭଳି ପ୍ରାୟ ୪୫ କିଲୋମିଟର ପର୍ଯ୍ୟନ୍ତ ଯିବା ପରେ ହସ୍ପିଟାଲରେ ପହଞ୍ଚିଥିଲେ। କରିମୁଲଙ୍କ ଏଭଳି ଉପସ୍ଥିତ ବୁଦ୍ଧି ଯୋଗୁଁ ତାଙ୍କ ସାଥୀଙ୍କ ଜୀବନ ରକ୍ଷା ହୋଇଥିଲା। ଏହି ଘଟଣା ପରେ ତାଙ୍କ ମନରେ ବାଇକ୍ ଆମ୍ବୁଲାନ୍ସ କରି ଲୋକଙ୍କୁ ସେବା ଯୋଗାଇବେ ପାଇଁ ଧାରଣା ଉପୁଜିଥିଲା।

ଏବେ କରିମୁଲ ହକଙ୍କ ଏହି ବାଇକ୍ ଆମ୍ବୁଲାନ୍ସ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟତା ହାସଲ କରିଛି। ବାଇକ୍ ଆମ୍ବୁଲାନ୍ସ କଥା କହିଲେ ସମସ୍ତେ କରିମୁଲଙ୍କ କଥା କୁହନ୍ତି। ସେ ଯେଉଁ ସବୁ ଅଞ୍ଚଳରେ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି ସେହି ଅଞ୍ଚଳରେ ଭଲ ରାସ୍ତା ଖଣ୍ଡିଏ ନାହିଁ। ବଡ଼ ଗାଡ଼ି ତ ଦୂରର କଥା ଛୋଟ ଗାଡ଼ି ମଧ୍ୟ ଯିବା କଷ୍ଟକର। ଏଭଳି ପରିସ୍ଥିତିରେ ମଧ୍ୟ ସେ ରୋଗୀଙ୍କୁ ଯଥା ସମ୍ଭବ ସହଯୋଗ ଯୋଗାଇଛନ୍ତି। କରିମୁଲଙ୍କ କହିବାନୁଯାୟୀ ଏବେ ସୁଦ୍ଧା ସେ ୫ ହଜାରରୁ ଅଧିକ ରୋଗୀଙ୍କୁ ଏହି ବାଇକ ଆମ୍ବୁଲାନ୍ସରେ ତୁରନ୍ତ ମେଡିକାଲ ପଠାବାରେ ସଫଳ ହୋଇଛନ୍ତି। ମାଗଣା ବାଇକ୍ ଆମ୍ବୁଲାନ୍ସ ସେବା ଯୋଗାଇବା ବ୍ୟତୀତ ସେ ଗ୍ରାମବାସୀଙ୍କୁ ମାଗଣା ପ୍ରାଥମିକ ଚିକିତ୍ସାର ତାଲିମ କାର୍ଯ୍ୟକ୍ରମ ମଧ୍ୟ ଚଳାଉଛନ୍ତି।

You might also like