ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି-ମିଥୁନ; ବିଜେପିରେ ମିଶିବେ କି ?

କୋଲକାତା: ବଲିଉଡ ଅଭିନେତା ତଥା ଟିଏମ୍‌ସିର ପୂର୍ବତନ ରାଜ୍ୟସଭା ସାଂସଦ ମିଥୁନ୍‌ ଚକ୍ରବର୍ତ୍ତୀ ବିଜେପିରେ ମିଶିବେ କି ? ଏ ନେଇ ଚାଲିଛି କଳ୍ପନାଜଳ୍ପନା।  ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୋଲକାତା ବ୍ରିଗେଡ ପରେଡ ଗ୍ରାଉଣ୍ଡ ମଞ୍ଚରେ ମିଥୁନ୍‌ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ କି ନାହିଁ ସେ ନେଇ ଯଦିଓ ମିଥୁନ୍‌ ଚକ୍ରବର୍ତ୍ତୀ ସ୍ପଷ୍ଟ କରି ନାହାନ୍ତି, ତେବେ ମୋଦିଙ୍କ ମଞ୍ଚରେ ତାଙ୍କର ଉପସ୍ଥିତିକୁ ନେଇ ନାନା କଥା ଶୁଣିବାକୁ ମିଳୁଛି।  ଏପରିକି ବିଜେପି ଟିକେଟରେ ସେ ନିର୍ବାଚନ ଲଢି ପାରନ୍ତି ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ମିଥୁନ୍‌ଙ୍କୁ ଭେଟିବା ପାଇଁ ଆସିଥିଲେ। ଏହା ପରେ ମିଥୁନ୍‌ ବିଜେପିରେ ମିଶିବା ନେଇ ସମ୍ଭାବନା ରହିଛି ବୋଲି କୁହାଯାଉଛି ।

ବିଜେପିରୁ ମିଳିଥିବା ତଥ୍ୟ ଅନୁସାରେ, ମିଥୁନ ବିଜେପିର ପ୍ରମୁଖ ନେତାମାନଙ୍କ ସହ ସାମିଲ ହେବେ ଯେଉଁମାନେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ମୁକାବିଲା କରିବେ। ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଜୟ ପ୍ରକାଶ ମଜୁମ୍‌ଦାରଙ୍କ କହିବା ଅନୁସାରେ,  ମମତାଙ୍କ ଶାସନକୁ ନେଇ ରାଜ୍ୟର ଚିନ୍ତନଶୀଳ ବ୍ୟକ୍ତି ଚିନ୍ତିତ। ମିଥୁନ ମଧ୍ୟ ଏହି ବ୍ୟକ୍ତିଙ୍କ ମଧ୍ୟରେ ଜଣେ।

ଏଠାରେ କହି ରଖିବୁ, ୭୦ ବର୍ଷୀୟ ବଲିଉଡ ଆକ୍ଟର ମିଥୁନ୍‌  ଚକ୍ରବର୍ତ୍ତୀଙ୍କର ପଶ୍ଚିମବଙ୍ଗରେ ଜବରଦସ୍ତ ଫଲୋଅର୍ସ ଅଛନ୍ତି। ବିଶେଷକରି ୨୦୦୬ରେ ଫିଲ୍ମ MLA Fatakeshto ରିଲିଜ ହେବା ପରେ ତାଙ୍କର ବହୁ ଫଲୋଅର୍ସ ବଢି ଯାଇଛନ୍ତି। ଫିଲ୍ମର ଗୋଟିଏ ଡାଇଲଗ୍‌ ‘ମର୍ଦୋ ଏକେନ, ଲଶ ପୋରବାୟ ଶୋଶନେୟ’ ଅର୍ଥାତ୍‌ ‘ଏଠି ମାରିବି, ଶ୍ମଶାନ ଘାଟରେ ପହଞ୍ଚିଯିବ’ ବେଶ ଲୋକପ୍ରିୟ ।

ଆପଣଙ୍କ ସୂଚନା ପାଇଁ ଏଠି କହି ରଖିବୁ, ମିଥୁନ ଚକ୍ରବର୍ତ୍ତୀ ୨ ବର୍ଷ ପାଇଁ ରାଜ୍ୟସଭା ସାଂସଦ ରହିବା ପରେ ପଦ ଛାଡ଼ି ଦେଇଥିଲେ। ଶାରଦା ଚିଟ୍‌ ଫଣ୍ଡ ମାମଲାରେ ଇଡ଼ି ତାଙ୍କୁ ପଚରାଉଚରା କରିଥିଲା। ଏକ ଟିଭି ନ୍ୟୁଜ ଚାନେଲର ବ୍ରାଣ୍ଡ ଆମ୍ବାସଡର ହୋଇଥିବାରୁ ସେ ୧.୨ କୋଟି ଟଙ୍କା ନେଇଥିଲେ। ପଚରାଉଚରା ପରେ ମିଥୁନ ଏହି ଟଙ୍କା ଫେରାଇ ଦେଇଥିଲେ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ।
ପଶ୍ଚିମବଙ୍ଗ ନିର୍ବାଚନ ଲାଗି ରାଜନୀତି ସରଗରମ ହୋଇଛି। ଟିଏମ୍‌ସି ପକ୍ଷଣଉ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଚଳିତ ନିର୍ବାଚନରେ ୨୯୧ଟି ସିଟରେ TMC ଲଢିବ, ଏହାସହ ଅନ୍ୟ ୩ଟି ସିଟରେ ସହଯୋଗୀ ଦଳ ଲଢ଼ିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।  ତେବେ ମମତ ଏଥର ୨୮ ପୁରୁଣା ବିଧାୟକଙ୍କୁ ଟିକେଟ୍‌ ଦେଇନଥିବା ସୂଚନା ମିଳିଛି। ଏଥିସହିତ ଚଳିତଥର ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଟିଏମସି।
You might also like