ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ : ବିବାହ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପାସ୍ ଜରିଆରେ ଅନୁମତି

କରୋନା ଚେନ୍ ଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ : କରୋନାର ବଢ଼ୁଥିବା ସଙ୍କଟକୁ  ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା ହୋଇଛି । ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇ ସୋମବାର ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରେସ କନଫରେନ୍ସ ଜରିଆରେ ନୂଆ କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଂଟା ମଧ୍ୟରେ ୧୭ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହେବାପରେ ଏପରି ନିଷ୍ପତ୍ତି ନିଆଯାଇଛି ।

କରୋନା ଚେନ୍ ଭାଙ୍ଗିବା ପାଇଁ ସପ୍ତାହାନ୍ତ କର୍ଫ୍ୟୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟ ବନ୍ଦ ରହିବ । ବିବାହ ଓ ଶୁଭକାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପାସ୍ ଜରିଆରେ ଅନୁମତି ମିଳିବ ।  ଅନ୍ୟପଟେ ସପ୍ତାହାନ୍ତ କର୍ଫ୍ୟୁ ସମୟରେ ମଲ୍, ଜିମ୍, ସ୍ପା ଆଦି ବନ୍ଦ ରଖାଯିବାକୁ ଘୋଷଣା କରାଯାଇଛି । ସେହିପରି ୩୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଚାଲିବାକୁ ଅନୁମତି ମିଳିଛି । ରେଷ୍ଟୁରାଣ୍ଟରେ ବସି ଖାଇବାକୁ ମନା କରାଯାଇଥିବା ବେଳେ କେବଳ ହୋମ୍ ଡେଲିଭରି ହୋଇପାରିବ ଖାଦ୍ୟ । ସଂକ୍ରମଣ ବଢ଼ୁଥିବା ବେଳେ ସପ୍ତାହର ଶେଷ ଦିନରେ ଘରୁ ନବାହାରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀରେ ଏବେ ବେଡ ସଂଖ୍ୟା କମ୍ ନାହିଁ । କିଛି ହସ୍ପିଟାଲରେ ବେଡ୍ ସଂଖ୍ୟା କମ ଥିବାବେଳେ, ସେହି ହସ୍ପିଟାଲରେ ହଁ ଆଡମିଟ୍ ହେଉଥିବାରୁ, ଅସୁବିଧା ହେଉଛି  ବୋଲି ପ୍ରେସ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ରୋଗରେ ପଡ଼ିଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ଆମର ପ୍ରାଥମିକତା । ଏବେ ବି ପାଞ୍ଚ ହଜାରରୁ ଅଧିକ ବେଡ ଖାଲି ରହିଛି । ଅଗାମୀ ସମୟରେ ଏହି ସଂଖ୍ୟାକୁ ବଢ଼ାଇ‍ବାକୁ ଯୋଜନା କରାଯାଉଛି ବୋଲି କେଜ୍ରିୱାଲ କହିଛନ୍ତି ।

 

ମହାରାଷ୍ଟ୍ର ପରେ ଚିନ୍ତା ବଢାଇଛି ରାଜଧାନୀ ଦିଲ୍ଲୀର ସଂକ୍ରମଣ । ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ପାର କରିଛି । ଦିନକରେ ୧୦୪ ଜଣଙ୍କ ଜୀବନ ନେଇଛି ମହାମାରୀ । କରୋନା ଦିଲ୍ଲୀର ଅଧିକାଂଶ ବଡ ହସପିଟାଲରେ ଆଉ ଆଇସିୟୁ ବେଡ୍ ନାହିଁ । ଫଳରେ ୧୫ଟି ବଡ ହୋଟେଲକୁ କୋଭିଡ ହସପିଟାଲରେ ପରିଣତ କରିଛନ୍ତି ସରକାର ।  ସେପଟେ ଗତ ୧୩ ଦିନ ମଧ୍ୟରେ ୪୦୯ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେଜରିୱାଲ, ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଦିଲ୍ଲୀ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି ।

You might also like