କରୋନା କାଳର ବିବାହ : ବାଡ଼ି ସାହାଯ୍ୟରେ କନ୍ୟାକୁ ବରଣମାଳା ପିନ୍ଧାଇଲା ବର

ବେଗୁସରାଇ : ବିବାହ ଉତ୍ସବରେ ସାମାଜିକ ଦୂରତ୍ୱ ପାଳନ । କୋଭିଡ ନିୟମକୁ ଦୃଷ୍ଟିରେ ରଖି କନ୍ୟାକୁ ବାଡ଼ି ସାହାଯ୍ୟରେ ବରଣମାଳା ପିନ୍ଧାଇଲେ ବର । ବିହାର ବେଗୁସରାଇରେ ମହାମାରୀ ମଧ୍ୟରେ ହୋଇଥିବା ଏକ ବିବାହରେ ନବଦମ୍ପତ୍ତି ସାମାଜିକ ଦୂରତା ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଚାରିଆଡ଼େ ଏହି ବିବାହକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

କରୋନା କାଳରେ ମାସ୍କ ପିନ୍ଧିବା ଓ ସୋସିଆଲ ଡିଷ୍ଟାନ୍ସିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ବିବାହ ଆଦି ଉତ୍ସବ ପାଇଁ ମଧ୍ୟ କଡ଼ା କଟକଣା ଜାରି କରାଯାଇଛି । ଏପରିସ୍ଥଳେ ବେଗୁସରାଇରେ ହୋଇଥିବା ଏହି ବିବାହ ଲୋକଙ୍କୁ ସଚେତନ କରିବ ନିଶ୍ଚୟ । ତେଘରା ଅଞ୍ଚଳରେ ଏପରି ବିବାହ ଅନୁଷ୍ଠିତ ହୋଇଛି । ୩୦ ଏପ୍ରିଲରେ ଗିରିଧାରୀ ଲାଲ ସୁଲତାନିଆଙ୍କ ପୁଅ କୃତେଶ କୁମାରଙ୍କ ବିବାହ ଜ୍ୟୋତି କୁମାରୀଙ୍କ ସହ ସ୍ଥିର ହୋଇଥିଲା । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିୟମ ମାନି ବିବାହ କରିଛନ୍ତି ନବଦମ୍ପତି । ଏପରି ନିଆରା ବିବାହ ସବୁଦିନ ପାଇଁ ମନେ ରହିବ ବୋଲି କହିଛନ୍ତି ନବବିବାହିତା । ବିଶେଷକରି ବାଡ଼ି ସାହାଯ୍ୟରେ ବରଣମାଳା ପିନ୍ଧାଇବା ସବୁଦିନ ପାଇଁ ମନେ ରହିବ ।

ନିୟମ ଅନୁସାରେ ଏହି ବିବାହରେ ୫୦ରୁ କମ ଲୋକ ଉପସ୍ଥିତ ଥିଲେ । ସରକାରୀ ଗାଇଡଲାଇନ୍ ଅନୁଯାୟୀ ସମ୍ପନ୍ନ ହୋଇଛି ବିବାହ କାର୍ଯ୍ୟ । ତେବେ ବିବାହରେ ସାମିଲ ହୋଇଥିବା ବନ୍ଧୁାବାନ୍ଧବ ନବିବିବାହିତ ଦମ୍ପତ୍ତିଙ୍କ ଏପରି ପଦକ୍ଷେପ ପାଇଁ ଭୁରି ଭୁରି ପ୍ରଶଂସା କରିଛନ୍ତି । କରୋନା କାଳରେ ଏବେ ବିବାହର ଟ୍ରେଣ୍ଡ ବଦଳିଯାଇଛି । ଲୋକଙ୍କୁ ସଚେତନ ରହିବା ସହ ଅନେକ ନିୟମ କାନୁନ ଭିତରେ ଖୁସି ମନେଇବାକୁ ପଡ଼ୁଛି । ଫୁଲ ବଦଳରେ ମାସ୍କ ଓ ସାନିଟାଇଜର ଦେଇ ବରଯାତ୍ରୀଙ୍କୁ ସ୍ୱାଗତ କରାଯାଉଛି । ଅନେକ ଲୋକ ଭିଡିଓ କଲରେ ବିବାହ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ବେଗୁସରାଇରେ ହୋଇଥିବା ଏହି ବିବାହ ଲୋକଙ୍କୁ ସଚେତନ କରିବ ବୋଲି ଆଶା କରାଯାଉଛି ।

 

You might also like