ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ ନ କରିବା ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ରଖିଲେ ଶାହ
ନୂଆଦିଲ୍ଲୀ: ବିଜେପିର ମିଶନ ହାଇଦ୍ରାବାଦ୍। ଆଗାମୀ ବୃହତ ହାଇଦ୍ରାବାଦ ମହାନଗର ନିଗମ ଭୋଟ୍ ପାଇଁ ଆଜି ହାଇଦ୍ରାବାଦ ଯାଇ ନିର୍ବାଚନ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହା ଆଜି ଶିକନ୍ଦରାବଦର ଓ୍ୱାରସିଗୁଡ଼ାରେ ଆୟୋଜିତ ଏକ ବିଶାଳ ରୋଡ୍ ସୋରେ ଭାଗ ନେଇଥିଲେ।
ଏହି ଅବସରରେ ସେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବା ସହ ଏଥର ହାଇଦ୍ରାବାଦର ମେୟର ବିଜେପିରୁ ନିଶ୍ଚିତ ବୋଲି କହିଛନ୍ତି। ପ୍ରଚାର ବେଳେ ଶାସକ ଦଳ ଟିଆରଏସ ସରକାର ଉପରେ ବର୍ଷିଥିଲେ ଶାହ। ହାଇଦ୍ରାବାଦର ସମସ୍ୟାରେ ବୁଡିଥିବା ବେଳେ ମୁଖ୍ୟମନ୍ତ୍ରୀ କେସିଆର କେଉଁଠି ବୋଲି ପ୍ରଶ୍ନ କରିଥିଲେ।
ସେହିଭଳି AIMIM ନେତା ଆଶାଦୁଦିନ ଓଏସିସଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ଶାହ। ହାଇଦ୍ରାବାଦରେ ବାଂଲାଦେଶ ଓ ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଉନାହାନ୍ତି ବୋଲି ଓଏସିସିଙ୍କ ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ରଖିଥିଲେ ଶାହ।
ଶାହାଙ୍କ ପୂର୍ବରୁ ଗତକାଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ହାଇଦ୍ରାବାଦକୁ ନିର୍ବାଚନ ପ୍ରଚାରରେ ଯାଇଥିଲେ। ଆସନ୍ତା ୧ ତାରିଖରେ ହେବାକୁ ଯାଉଛି ବୃହତ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନ।