କରୋନା ବିରୋଧରେ ଏକାଠି ଲଢିବାକୁ ଇମ୍ରାନଙ୍କ ଆହ୍ୱାନ

ଇସଲାମାବାଦ: ପଡୋଶୀ ପାକିସ୍ତାନ କରୋନା ମହାମାରୀ ଭଳି ସଙ୍କଟ ସମୟରେ ଭାରତ ପାଇଁ ପ୍ରାର୍ଥନା କରିଛି ଓ ସମବେଦନା ଜଣାଇଛି। ଖାଲି ସେତିକି ନୁହେଁ ଭାରତକୁ ସହଯୋଗର ହାତ ମଧ୍ୟ ବଢ଼ାଇଛି ପାକିସ୍ତାନ। ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏକ ଟୁଇଟ୍ ଜରିଆରେ ଭାରତ ଏବଂ ବିଶ୍ୱରେ କରୋନା ଭାଇରସ ସହ ଲଢ଼ୁଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଏହି ମହାମାରୀ ସହ ଲଢ଼ିବା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି କହିଛନ୍ତି। ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଆସିବା ପରେ ପରିସ୍ଥିତି ବହୁତ ଖରାପ ହେବାରେ ଲାଗିଛି। ଭାରତରେ ଶୁକ୍ରବାର ମଧ୍ୟ ତିନି ଲକ୍ଷରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ସେପଟେ ପାକିସ୍ତାନରେ ମଧ୍ୟ ଦୈନିକ ମୃତ୍ୟୁ ସଂଖ୍ୟା ରେକର୍ଡ ସ୍ତରରେ ପହଞ୍ଚିଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲେଖିଛନ୍ତି ଯେ, ମୁଁ ଭାରତୀୟ ଲୋକଙ୍କ ସହ ମୋର ଏକତା ପ୍ରକାଶ କରିବାକୁ ଚାହୁଁଛି, କାରଣ ସେମାନେ କୋଭିଡ-୧୯ର ଭୟଙ୍କର ସ୍ଥିତିକୁ ସାମ୍ନା କରୁଛନ୍ତି। ପଡୋଶୀ ତଥା ସାରା ବିଶ୍ୱରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଆମେ ଆଶୁଆରୋଗ୍ୟ କାମନା କରୁଛୁ। ମନୁଷ୍ୟ ଜାତି ବିରୋଧରେ ଛିଡ଼ା ହୋଇଥିବା ଏହି ମହାମାରୀ କରୋନା ସହ ଲଢ଼ିବାକୁ ହେଲେ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ।’ ସମସ୍ତେ ମିଶି କରୋନା ସହ ଲଢ଼ିବାକୁ ହେବ ବୋଲି କହିଛନ୍ତି ଇମ୍ରାନ।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବ୍ୟତୀତ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେଶୀ ମଧ୍ୟ କରୋନାରେ ପ୍ରଭାବିତ ପରିବାର ପାଇଁ ସନ୍ଦେଶ ଦେଇଛନ୍ତି। ସେ ଟ୍ୱିଟ ଯୋଗେ କହିଛନ୍ତି ଯେ, କୋଭିଡ-୧୯ ସଂକ୍ରମଣର ବର୍ତ୍ତମାନର ଲହରକୁ ଦୃଷ୍ଟିରେ ରଖି ଆମେ ଭାରତର ଲୋକଙ୍କୁ ସମର୍ଥନ କରୁଛୁ। ମୁଁ ପାକିସ୍ତାନର ଲୋକଙ୍କ ତରଫରୁ ଭାରତରେ ପ୍ରଭାବିତ ପରିବାର ପ୍ରତି ସମବେଦନା ଜଣାଉଛି

ପାକିସ୍ତାନରେ ମଧ୍ୟ ରେକର୍ଡ ସଂଖ୍ୟକ ମାମଲା

ପାକିସ୍ତାନର ଇଂରାଜୀ ଖବରକାଗଜ ଦ ଡନ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୭ ଜଣଙ୍କର ମୃତ୍ୟୁ ଘଟିଛି। ମହାମାରୀ ଆରମ୍ଭ ହେବା ପରେ ଦେଶରେ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ ସଂଖ୍ୟା। ପାକିସ୍ତାନରେ କରୋନା ମହାମାରୀ ଯୋଗୁଁ ଏବେ ସୁଦ୍ଧା ୧୬ ହଜାର ୯୯୯ ଜଣ ରୋଗୀ ପ୍ରାଣ ହରାଇସାରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବରେ ସର୍ବାଧିକ ୯୮ ଜଣଙ୍କ ମୃତ୍ୟୁ ଘଟିଛି। ଡନ ଖବର କାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଏବେ ସୁଦ୍ଧା ୭ ଲକ୍ଷ ୯୦ ହଜାର ୧୬ଟି ମାମଲା ସାମ୍ନାକୁ ଆସିଛି।

You might also like