• translate
Prangyan Parimita

ନୂଆଦିଲ୍ଲୀ : ଖାଇବା ଗଣ୍ଡାକ ପାଇଁ କିଏ ଡହକ ବିକଳ ହେଉଥିବା ବେଳେ ଖାଦ୍ୟ ନଷ୍ଟ କରୁଛନ୍ତି ଭାରତୀୟ। ପ୍ରତିବର୍ଷ ମୁଣ୍ଡପିଛା ଭାରତରେ ୫୦ କେଜି ଲେଖାଏଁ ଖାଦ୍ୟ ନଷ୍ଟ କରାଯାଉଛି। ୟୁନାଇଟେଡ୍‌ ନେସନସ ଏନଭାଇରନମେଣ୍ଟ୍‌ ପ୍ରୋଗ୍ରାମ୍‌’(ୟୁଏନ୍‌ଇପି) ଦ୍ୱାରା ପ୍ରକାଶିତ ‘ଫୁଡ୍‌ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟ ୨୦୨୧ରୁ ଏପରି ସାଂଘାତିକ ସୂଚନା  ମିଳିଛି। ରିପୋର୍ଟ ଅନୁସାରେ ଘର, ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଖାଦ୍ୟ ମିଳୁଥିବା ସ୍ଥାନରେ ଏହି ଖାଦ୍ୟ ନଷ୍ଟ ହୋଇଛି। ସାରା ବିଶ୍ୱରେ ୨୦୧୯ ମସିହାରେ ଆନୁମାନିକ ଭାବେ ୯୩ କୋଟି ୧୦ଲକ୍ଷ ଟନ ଖାଦ୍ୟ ନଷ୍ଟ କରାଯାଇଛି, ଯାହା ମୋଟ ଖାଦ୍ୟ ଉତ୍ପାଦନର ପ୍ରାୟ ୧୭ ପ୍ରତିଶତ।

୨୦୧୯-୨୦ରେ ଭାରତରେ ଉତ୍ପାଦନ ହୋଇଥିବା ସମସ୍ତ ଖାଦ୍ୟଶଷ୍ୟ ସହ ନଷ୍ଟ ହୋଇଥିବା ଖାଦ୍ୟର ଓଜନ ସମାନ । ଅଧିକାଂଶ ଖାଦ୍ୟ ଘରେ ନଷ୍ଟ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି । ଆଉ ତା’ପରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ସ୍ଥାନ ତଥା ଖୁଚୁରା ଆଉଟଲେଟରେ ଖାଦ୍ୟ ନଷ୍ଟ ହେଉଛି। ୨୦୧୯ ମସିହାରେ ନଷ୍ଟ ହୋଇଥିବା ୯୩କୋଟି ୧୦ ଲକ୍ଷ ଟନ୍‌ ଖାଦ୍ୟରୁ ୬୧ ପ୍ରତିଶତ ଲୋକେ ଘରେ ନଷ୍ଟ କରିଥିବା ବେଳେ ବିଭିନ୍ନ ଫୁଡ ଏଣ୍ଡ ବେଭରେଜ୍ ସର୍ଭିସେସ୍ ୨୬ ପ୍ରତିଶତ ଓ ୧୩ ପ୍ରତିଶତ ଖୁଚୁରା କ୍ଷେତ୍ରରେ ନଷ୍ଟ ହୋଇଛି।

ଦକ୍ଷିଣ ଏସୀୟ ଦେଶ ବିଷୟରେ ଆଲୋଚନା କଲେ ଭାରତର ବାର୍ଷିକ ବ୍ୟକ୍ତି ପିଛା ୫୦ କିଲୋଗ୍ରାମ ଖାଦ୍ୟ ନଷ୍ଟ କରୁଛନ୍ତି। ତେବେ ୮୨ କିଲୋ ସହ ଆଫଗାନିସ୍ତାନ ଏହି ତାଲିକାର ଶୀର୍ଷରେ ରହିଛି। ଏହା ପରେ ନେପାଳରେ ପ୍ରତି ବ୍ୟକ୍ତି ବାର୍ଷିକ ୭୯କିଲୋ, ଶ୍ରୀଲଙ୍କାରେ ୭୬କିଲୋ, ପାକିସ୍ତାନରେ ୭୪ କିଲୋଗ୍ରାମ ଏବଂ ବାଂଲାଦେଶରେ ୬୫ କିଲୋ ନଷ୍ଟ କରାଯାଉଛି । ଏହିପରି ଦକ୍ଷିଣ ଏସିଆରେ ବାର୍ଷିକ ମୁଣ୍ଡପିଛା ଖାଦ୍ୟ ନଷ୍ଟ କରୁଥିବା ଦେଶ ତାଲିକାରେ ଭାରତ ଶେଷ ସ୍ଥାନରେ ରହିଛି।

ଗୋଟିଏ ପଟେ ଖାଦ୍ୟ ନଷ୍ଟହେଉଥିବା ବେଳେ ଅନ୍ୟପଟେ ଭୋକରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। UNFAO ଅନୁଯାୟୀ, ୨୦୧୯ରେ ପାଖାପାଖି ୭୯ ନିୟୁତ ଲୋକ ଭୋକିଲା ରହିଛନ୍ତି। ଫୁଡ୍‌ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟ  ଅନୁଯାୟୀ, କୋଭିଡ -୧୯ ମହାମାରୀ ସମୟରେ ଅନାହାରରେ ରହୁଥିବା ଲୋକଙ୍କ ସଂଖ୍ୟା ବହୁଗୁଣିତ ହୋଇଥିବା ଆକଳନ କରାଯାଇଛି।

Other Stories