ଅକ୍ସିଜେନ୍‌ ନାହିଁ, ରୋଗୀଙ୍କୁ ଚିକିତ୍ସା କରିନପାରିବାରୁ ଭୋ ଭୋ କାନ୍ଦିଲେ ଡାକ୍ତର

ଦିଲ୍ଲୀ ସ୍ଥିତି ଭୟଙ୍କର

ନୂଆଦିଲ୍ଲୀ: ଭୟଙ୍କର ହେଲାଣି କରୋନା। ନିଜର କରାଳ ଆଁରେ ପୂରା ଦେଶକୁ ଗ୍ରାସ କଲାଣି ମହାମାରୀ। ଆଉ ଏତିକି ବେଳେ ଦାଉ ସାଧୁଛି ଅକ୍ସିଜେନ୍‌ ଅଭାବ। ସ୍ଥିତି ଏମିତି ହେଲାଣି ଯେ, କେବଳ ଅକ୍ସିଜେନ୍‌ର ଅଭାବ ଲାଗି ଶତାଧିକ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି। ଜନତାଙ୍କଠୁ ନେଇ ଡାକ୍ତର ମଧ୍ୟ ସମସ୍ତେ ନିସହାୟ ହୋଇ ପଡିଛନ୍ତି। ରାଜଧାନୀ ଦିଲ୍ଲୀର ଅବସ୍ଥା ମଧ୍ୟ ଗମ୍ଭୀର ହେଲାଣି। ସୂଚନା ଅନୁସାରେ, ଦିଲ୍ଲୀରେ ଦୈନିକ ୨୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କିନ୍ତୁ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ। ଯାହାକୁ ନେଇ ଚିନ୍ତାରେ ସରକାର। ଅକ୍ସିଜେନ୍‌ ଯୋଗାଇ ଦେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟ ମାନଙ୍କୁ ସହାୟତା ମାଗୁଛନ୍ତି।

ଆଉ ଏହାରି ମଧ୍ୟରେ, ସ୍ଥାନୀୟ ଶାନ୍ତି ମୁକୁନ୍ଦ ହସ୍ପିଟାଲର ସିଇଓ ସୁନିଲ ସାଗର  ହସ୍ପିଟାଲରେ ଅକ୍ସିଜେନ୍‌ର ଅଭାବ ବିଷୟରେ କହିବା ବେଳେ କାନ୍ଦି ପକାଇଛନ୍ତି। ସେ କହିଛନ୍ତି ଯେ, ସ୍ଥିତି ବହୁତ ସଙ୍ଗୀନ। ଆମ ପାଖରେ ଅକ୍ସିଜେନ୍ ବହୁତ କମ ରହିଛି। ଆମ ପାଖରେ ୨ ଘଣ୍ଟାର ଅକ୍ସିଜେନ ବଞ୍ଚିଛି। ଯଦି ଅକ୍ସିଜେନ୍ ନମିଳେ ତେବେ ରୋଗୀଙ୍କୁ ବଞ୍ଚାଇ ପାରିବୁ ନାହିଁ ବୋଲି ହସ୍ପିଟାଲର ସିଇଓ କୋହଭରା କଣ୍ଠରେ କହିଛନ୍ତି। ଏହାସହ ଡାକ୍ତର ଜଣକ କହିଛନ୍ତି ଯେ, ଆମେ ରୋଗୀଙ୍କୁ ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲି ଦେବୁ ନାହିଁ। ଯେହେତୁ ଆମ ପାଖରେ ଅକ୍ସିଜେନ୍‌ ନାହିଁ ତେଣୁ ବାଧ୍ୟ ହୋଇ ମେଡିକାଲରେ ଥିବା ରୋଗୀମାନଙ୍କୁ ଅନ୍ୟ ମେଡିକାଲରକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହେଉଛୁ। ଏହା କହିବା ସମୟରେ ଭୋ ଭୋ ହୋଇ କାନ୍ଦିଲେ ଡାକ୍ତର।

ଗୋଟିଏ ପଟେ କରୋନା ରୋଗୀଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାକୁ ସରକାର ଘୋଷଣା କରୁଥିବା ବେଳେ ରୋଗୀମାନେ କିନ୍ତୁ ପ୍ରକୃତରେ ବେଡ଼୍‌ ପାଉନାହାନ୍ତି। ଚିକିତ୍ସା ଲାଗି ଏ ମେଡିକାଲରୁ ସେ ମେଡିକାଲ ଚକ୍କର କାଟୁଛନ୍ତି। ଏପଟେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର କହିଛନ୍ତି, ରାଜଧାନୀର କିଛି ହସ୍ପିଟାଲରେ ଅକ୍ସିଜେନ୍‌ ସଂପୂର୍ଣ୍ଣ ଶେଷ ହୋଇ ଯାଇଛି। ସେମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ। କିଛି ରାଜ୍ୟ ରାଜଧାନୀ ଦିଲ୍ଲୀ ଭାଗର ଅକ୍ସିଜେନ୍‌ ହାତେଇବା ପାଇଁ ପ୍ରୟାସ କରୁଥିବା ସିସୋଦିଆ କହିଛନ୍ତି। ତେବେ ଅକ୍ସିଜେନ୍‌ ଶୀଘ୍ର ଯୋଗାଇ ଦେବାକୁ ବିଭିନ୍ନ ମେଡିକାଲ ବାରମ୍ବାର ଅନୁରୋଧ କରୁଛନ୍ତି।

 

You might also like