ବିବାଦରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ବୟାନ

ଲକ୍ଷ୍ନୌ: ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣିର ଦୁଇଦିନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁପ୍ରିମକୋର୍ଟଙ୍କୁ ଚ୍ୟାଲେଞ୍ଜ କଲାଭଳି ମନ୍ତବ୍ୟ ରଖିଛନ୍ତି। ଯଦି କୋର୍ଟ ଏ ମାମଲାର ଶୁଣାଣି, ଶୀଘ୍ର ସାରି ପାରୁନାହାନ୍ତି, ତା ହେଲେ ତାଙ୍କୁ ୨୪ ଘଣ୍ଟା ସମୟ ଦିଅନ୍ତୁ ସେ ମାମଲାର ସମାଧାନ କରିଦେବେ ବୋଲି ଆଦିତ୍ୟନାଥ କହିଛନ୍ତି।

ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗଦେଇ ଆଦିତ୍ୟନାଥ କହିଛନ୍ତି, ନ୍ୟାୟିକ ପ୍ରକ୍ରିୟାରେ ରାମ ମନ୍ଦିର ନିର୍ମାଣ ବିଳମ୍ବ ହେଉଥିବାରୁ ହିନ୍ଦୁଙ୍କ ଧୈର୍ଯ୍ୟ ଚ୍ୟୁତି ହେଉଛି। ସୁପ୍ରିମକୋର୍ଟ ଯଦି ମାମଲାର ସମାଧାନ କରିପାରୁନାହାନ୍ତି, ତା ହେଲେ ତାଙ୍କୁ ୨୪ ଘଣ୍ଟା ସମୟ ଦେଲେ ସେ ସମାଧାନ କରିଦେବେ, ଏମିତିକି ୨୫ ଘଣ୍ଟା ନେବେ ନାହିଁ ବୋଲି ଆଦିତ୍ୟନାଥ କହିଛନ୍ତି।

ଯୋଗୀଙ୍କ ଏଭଳି ମନ୍ତବ୍ୟକୁ ନେଇ ସାଧୁ ସନ୍ଥ ବି ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କିପରି ସରକାରଙ୍କୁ ମାମଲା ହସ୍ତାନ୍ତର କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି। ସରକାର ଏନେଇ କୋର୍ଟଙ୍କ ପାଖରେ ଆବେଦନ କରିବା ଦରକାର ବୋଲି ସାଧୁ କହିଛନ୍ତି। ତେବେ ଏହାର ଯେତେ ଶୀଘ୍ର ସମାଧାନ ହେବ, ତାହା ମଙ୍ଗଳ ହେବ ବୋଲି ସାଧୁ କହିଛନ୍ତି।

ଅନ୍ୟପଟେ ହିନ୍ଦୁ ଆଖଡ଼ା ମୁଖ୍ୟ ନରେନ୍ଦ୍ର ଗିରି ଯୋଗୀ ଆଦିତ୍ୟନାଥଙ୍କ ଦାବିରେ ସହମତି ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ନେଇ ତୀବ୍ର ସମାଲୋଚନା କରିଛି କଂଗ୍ରେସ। ଯୋଗୀ ସାମ୍ବିଧାନିକ ପଦ ମର୍ଯ୍ୟାଦା ଭୁଲି ଯାଉଥିବା ଦଳ କହିଛି। ଜଣେ ମୁଖ୍ୟମନ୍ତ୍ରୀ ଭାବେ ନ୍ୟାୟିକ ବ୍ୟବସ୍ଥାକୁ ସମ୍ମାନ ଦେବା ବଦଳରେ ଚ୍ୟାଲେଞ୍ଜ କରିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଛି।

ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ ହେବ। ଜାନୁଆରୀ ୧୦ରେ ଜଷ୍ଟିସ୍ ୟୁ ୟୁ ଲଳିତ ମାମଲାରୁ ଓହରିଯିବାରୁ ଖଣ୍ଡପୀଠର ପୁନର୍ଗଠନ କରିଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ। ଏହି ପାଞ୍ଚଜଣିଆ ଖଣ୍ଡପୀଠ ଶୁଣାଣି କରିବେ ମାମଲାର ଶୁଣାଣି କରିବେ।

You might also like