ଶାନ୍ତିଶୃଙ୍ଖଳାରେ ଚାଲିଛି ବଙ୍ଗରେ ନିର୍ବାଚନ

ନିର୍ବାଚନ ଦେଉଛି ବଙ୍ଗ

କୋଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭାର ୪୩ଟି ଆସନରେ ଭୋଟ ହେଉଛି। ୧ କୋଟିରୁ ଅଧିକ ଭୋଟର ୩୦୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଗତ ପର୍ଯ୍ୟାୟରେ ହୋଇଥିବା ହିଂସାକାଣ୍ଡକୁ ଦେଖି ଏଥର ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷ କରି ଚତୁର୍ଥ ପର୍ଯ୍ୟାୟ ଭୋଟ ବେଳେ କୁଚବେହାରରେ ହୋଇଥିବା ହିଂସାକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଥିଲା। ଏଥର ସେପରି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ହଜାରେ ୭୧ କମ୍ପାନି ଫୋର୍ସ ମୁତୟନ କରାଯାଇଛି। ଏପ୍ରିଲ ୨୬ ଓ ଏପ୍ରିଲ ୨୯ରେ ଆଉ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏବଂ ମେ ୨ରେ ଫଳ ପ୍ରକାଶ ହେବ।

ତେବେ ବଙ୍ଗ ରାଜନୀତିକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ମୋଦି-ଦିଦିଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଫାଇଟ୍‌। ହେଲେ  ଦେଶରେ କରୋନା ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ତାହାକୁ ନେଇ ବି ରାଜନୀତି ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ପାଇଁ ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ସମସ୍ତ ରାଜନୈତିକ ରାଲିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟରାଜନୈତିକ ଦଳ ମଧ୍ୟ ରାଲି ନକରିବାକୁ ରାହୁଲ ଅନୁରୋଧ କରିଥିଲେ। ଆଉ ଏହା ପରେ ବଙ୍ଗରେ ଆଉ ଅଧିକ ସମୟ ପ୍ରଚାର କରିବେ ନାହିଁ ବୋଲି ଦିଦି ଘୋଷଣା କରିଥିଲେ। ଦେଶରେ ଲଗାତାର ସଂକ୍ରମଣ ହାର ବଢୁଥିବାରୁ ଦିଦି ଏମିତି ନିଷ୍ପତ୍ତି ନେଇଥିଲେ। ତେବେ ପ୍ରଚାର ସଂପୂର୍ଣ୍ଣ ବନ୍ଦ କରିବେ ନାହିଁ ବରଂ ପ୍ରଚାର ସମୟକୁ କମାଇ ଦେବେ ବୋଲି ସୂଚନା ରହିଥିଲା। ପଶ୍ଚିମବଙ୍ଗରେ ହୁ ହୁ ହୋଇ  ସଂକ୍ରମଣ ବଢୁଥିବା କାରଣରୁ ଦିଦି ଏମିତି ନିଷ୍ପତ୍ତି ନେଇଛନ୍ତି।

କେବଳ ଏତିକି ନୁହେଁ ବରଂ ଲୋକମାନଙ୍କୁ କୋଭିଡ୍‌-୧୯ ସଂକ୍ରମଣ ବାତାବରଣରୁ ନିରାପଦ ରଖିବା ପାଇଁ ବଙ୍ଗରେ ବାକି ଥିବା ତିନୋଟି ପର୍ଯ୍ୟାୟ ନିର୍ବାଚନକୁ ଥରକରେ ଶେଷ କରି ଦେବା ଲାଗି ଗତ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିସନ୍‌କୁ ନିବେଦନ ମଧ୍ୟ କରିଥିଲେ। କିନ୍ତୁ ଏହାକୁ ବିରୋଧ କରିଥିଲା ବିଜେପି। ଦଳ କହିଥିଲା ଯେ, ସମସ୍ତ ପ୍ରାର୍ଥୀଙ୍କୁ ପ୍ରଚାର ଲାଗି ସମାନ ସମୟ ଦେବାର ଆବଶ୍ୟକତା ରହିଛି। ତେଣୁ ନିର୍ବାଚନ ଯେଉଁ ତାରିଖରେ ହେବା କଥା ସେହି ତାରିଖରେ କରିବାକୁ ବିଜେପି କମିଶନଙ୍କୁ ଅନୁରୋଧ କରିଥିଲା।

You might also like