କବଳିତ କରିପାରିଲାନି କ୍ଷମତା ଲୋଭ : ବିଜେପି ଟିକେଟ ଫେରାଇଦେଲେ ୱାଇନାଡ଼ ଯୁବକ

ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି । କ୍ଷମତା ଆଗରେ ରକ୍ତ ସମ୍ପର୍କ ବି  ତୁଚ୍ଛ । ନୀରିହ ଲୋକଙ୍କ ଆଶା, ଆକାଂକ୍ଷାକୁ ପାଦରେ ଦଳି  ବ୍ୟକ୍ତିଗତ ଆୟ ତଥା କ୍ଷମତା ବଢ଼ାଇବା ପାଇଁ ନେତାମାନେ ଏବେ ରାଜନୀତି କରିବାକୁ ବ୍ୟଗ୍ର । ତଥାପି ନିର୍ବାଚନୀ ତାତି ଭିତରେ ଏପରି ଜଣେ ନିଆରା ବ୍ୟକ୍ତିତ୍ୱ ସାମ୍ନାକୁ ଆସିଛନ୍ତି, ଯିଏ ଏସବୁ ଲୋଭ ଆଉ ମୋହରୁ ଉର୍ଦ୍ଧ୍ୱରେ । ରାଜନୀତି ରଙ୍ଗ ତାଙ୍କୁ ରଙ୍ଗୀନ କରିପାରିଲାନି। କି କ୍ଷମତା ଲୋଭ ତାଙ୍କୁ କବଳିତ କରିପାରିଲାନି । ବିଜେପି ଟିକେଟ ନେବାକୁ ସଫା ସଫା ମନା କରିଦେଲେ ଆଦିବାସୀ ସଂପ୍ରଦାୟର ଯୁବକ ମାଣିକନନ୍ଦନ ।

ଦେଶରେ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଟିକେଟ ପାଇଁ ହିଂସାକାଣ୍ଡ, ହତ୍ୟା ପରି ଘଟଣା ଦେଖିବାକୁ ମିଳୁଛି ।  ଟିକେଟ ପାଇବା ପାଇଁ ନେତାମାନେ କିଛି ବି କରିବା ପାଇଁ ପ୍ରସ୍ତୁତ ଥିବାବେଳେ କେରଳରେ ବିଜେପି ଯେତେବେଳ ୧୧୨ ପ୍ରାର୍ଥଙ୍କ ତାଲିକା ଜାରି କରିଥିଲା, ଜଣେ ବ୍ୟକ୍ତି ଟିକେଟ ନେବା ପାଇଁ ସଫା ସଫା ମନା କରିଦେଇଥିଲେ । ୩୦ ବର୍ଷୀୟ ମାଣିକନନ୍ଦନ, ରାହୁଲ ଗାନ୍ଧୀଙ୍କ ସଂସଦୀୟ ସିଟ ୱାଇନାଡ଼ ଜିଲ୍ଲାର ମାନିନ୍ଦବାଣୀ ବିଧାନସଭାର ଏକ ସୁଦୂର ଗ୍ରାମର ବାସିନ୍ଦା। ସେ ପାନିଆ ଆଦିବାସୀ ସଂପ୍ରଦାୟର  ।

ମାନିନ୍ଦବାଣୀ ବିଧାନସଭା ସିଟଟି ଏସଟି ସଂପ୍ରଦାୟ ପାଇଁ ସଂରକ୍ଷିତ ଥିବାବେଳେ ବିଜପି ତାଙ୍କୁ ଏହି ସିଟ ପାଇଁ ପ୍ରାର୍ଥ ଚୟନ କରିଥିଲା । ହେଲେ  ଏମବିଏ ପାଠ ପଢ଼ିଥିବା ମାଣିକନନ୍ଦନ ଟିକେଟ ନେବା ପାଇଁ ମନା କରିଦେଇଥିଲେ । ସେ ଏବେ କେରଳ Veterinary and Animal Science University Wayanadର ସହକାରୀ ଅଧ୍ୟାକପ ରୂପେ କାମ କରୁଛନ୍ତି । କେରଳର ନିର୍ବାଚନୀ ଅସ୍ଥିରତା ମଧ୍ୟରେ ମାଣିକନନ୍ଦନ ସକାଳ ୯ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟରେ ବ୍ୟସ୍ତ ଥାଆନ୍ତି ।

ମାଣିକାନନ୍ଦନ ବିଶ୍ୱବିଦ୍ୟାଳୟରୁ ତାଙ୍କ ଗାଁ ପର୍ଯ୍ୟନ୍ତ ପ୍ରତିଦିନ ବସ୍ ଯୋଗେ ଯିବାଆସିବା କରନ୍ତି। ଅତି ସାଧାରଣ ମଣିଷଟିଏ, ଖୁବ ସାଧାରଣ ତାଙ୍କ ଜୀବନଶୈଳୀ  । ଗଣମାଧ୍ୟମଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଖୋଜୁଛନ୍ତି, କିନ୍ତୁ ଖୁବ୍ କମ୍ ଲୋକଙ୍କୁ ସେ ସାକ୍ଷାତ କରନ୍ତି । କ୍ଷମତା, ଟଙ୍କାପଇସା ଲୋଭ, ବାହ୍ୟ ଚାକଚକ୍ୟରେ ପଡ଼ି ସେ କୌଣସି ବି କାମ କରିବାକୁ ପସନ୍ଦ କରନ୍ତି ନାହିଁ। ସବୁବେଳେ ସାଧାରଣ ଜୀବନ ବିତାଇବା ଚାହୁଁଥିବା ନିଆରା ମଣିଷଟି ମିଡ଼ିଆ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି ।

ରାଜନୀତି କରିବାକୁ ଚାହୁଁନଥିବା ମଣିଷଟି ରାହୁଲ ଗାନ୍ଧୀଙ୍କୁ ଖୁବ ପସନ୍ଦ କରନ୍ତି । ରାହୁଲ  ଆଦିବାସୀମାନଙ୍କ ପାଇଁ ଅନେକ ଭଲ କାମ କରିଛନ୍ତି ବୋଲି କୁହନ୍ତି ମାଣିକନନ୍ଦନ। କୋଭିଡ ସମୟରେ ଆଦିବାସୀ ପିଲାମାନଙ୍କ ଅଧ୍ୟୟନ ପାଇଁ ଟିଭି ଏବଂ ପ୍ରୋଜେକ୍ଟର ଭଳି ଜିନିଷ ଯୋଗାଇ ଦେଇଥିଲେ । ବର୍ତ୍ତମାନ ଜିଲ୍ଲା ଡାକ୍ତରଖାନାରେ ଆହୁରି ଉନ୍ନତ ସୁବିଧା ଯୋଗାଇ ଦିଆଯିବା ପାଇଁ ପ୍ରୟାସ ଚଳାଇଛନ୍ତି । ତେବେ ରାହୁଲ ଗାନ୍ଧୀଙ୍କୁ ପସନ୍ଦ କରୁଥିବାରୁ ସେ ବିଜେପି ଟିକେଟ୍ ପ୍ରତ୍ୟାଖାନ କରିଥିବା କଥା ଶୁଣିବାକୁ ମିଳୁଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେପି ଟିକେଟ୍ ଦେଇଥିବା କଥା ସେ ଟିଭିରୁ ଶୁଣି ଜାଣିଲେ ବୋଲି ପ୍ରକାଶ କରିଛନ୍ତି । ଟିଭି ସ୍କ୍ରିନରେ ନିଜ ନାଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବିଜେପି ପ୍ରାର୍ଥି ଭାବେ ତାଙ୍କ ନାମ ଘୋଷଣା ପରେ କିଛି ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ନେତା ମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ତେବେ କ୍ଷମତା ତଥା ରାଜନୀତ କଥା ଚିନ୍ତା ନକରି ତୁରନ୍ତ ସେ ଟିକେଟ୍ ନେବା ପାଇଁ ମନା କରିଦେଇଛନ୍ତି ।

 

 

 

 

 

You might also like