ଗଛରେ ଝୁଲିଲା ପାଣି ମାଠିଆ; ଖରାଦିନେ ଆଉ ଶୋଷିଲା ରହିବେନି ପକ୍ଷୀ

ମହାନଗର ନିଗମ ପକ୍ଷରୁ ନିଆରା ପ୍ରୟାସ

କାଲାବୁର୍ଗି : ତାତି ବଢ଼ିଲେ ଖାଲି ମଣିଷ ନୁହେଁ ପକ୍ଷୀ ବି ପାଣି ପାଇଁ ଡହଳ ବିକଳ ହୁଅନ୍ତି । ପାଣି ଟୋପାଏ ପାଇଁ ଚାରିଆଡ଼େ ଜଳର ସ୍ରୋତ ଖୋଜି ବୁଲନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି  ଖରାଦିନରେ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବାକୁ ପ୍ରୟାସ କରାଯାଇଛି । ଗଛରେ ପାନୀୟ ଜଳ ପାତ୍ର ରଖି ସେଥିରେ ପାଣି ରଖାଯାଉଛି । କର୍ଣ୍ଣାଟକ କାଲାବୁର୍ଗି ମହାନଗର ନିଗମ ପକ୍ଷରୁ ଏଭଳି ନିଆରା ପ୍ରୟାସ କରାଯାଇଛି ।

ଆଗକୁ ନିଦାଘ ଆସୁଛି । ଖରା ବଢ଼ୁଛି, ତାତି ବଢ଼ୁଛି, ତା ସହ ବଢ଼ୁଛି ଜଳସଂକଟ । ମଣିଷ ସିନା ଯେକୌଣସି ପ୍ରକାରେ ମୁନ୍ଦାଏ ପାଣି ପାଇଯିବ, ହେଲେ ପଶୁପକ୍ଷୀ କରିବେ କଣ? କଂକ୍ରିଟ ଜଙ୍ଗଲର ଜୀବଜନ୍ତୁଙ୍କ ଦୁରବସ୍ଥା ତ କହିଲେ ନସରେ । ତେବେ ଖରା ଦିନରେ ତୃଷାର୍ତ୍ତ ପକ୍ଷୀଙ୍କ ଶୋଷ ମେଣ୍ଟାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି କର୍ଣ୍ଣାଟକ କାଲାବୁର୍ଗି ମହାନଗର ନିଗମ । ପ୍ରଶାସନ ପକ୍ଷରୁ ପକ୍ଷୀଙ୍କ ସମାଗମ ହେଉଥିବା ବିଭିନ୍ନ ପାର୍କ ଓ ବଡ଼ ବଡ଼ ଗଛରେ ଶିକା ଝୁଲାଇଲା ଭଳି ପାଣି ପାତ୍ର ଝୁଲାଯାଇଛି  ।ସେଥିରେ ମହାନଗର ନିଗମ କର୍ମଚାରୀ ନିୟମିତ ପାଣି ଭର୍ତ୍ତି କରୁଛନ୍ତି ।

ସ୍ଥାନୀୟ ଲୋକ ବି ଏହି ପ୍ରୟାସରେ ସାମିଲ ହୋଇ ସେମାନଙ୍କୁ ସହଯୋଗ କରୁଛନ୍ତି । ଲୋକଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ୍ ଓ ଛକ ବଜାର ‌ଆଦିରେ ପ୍ରଶାସନ ଜଳଛତ୍ର ଖୋଲିବା କଥା ଜଣାଥିଲା । ହେଲେ ପକ୍ଷୀଙ୍କ ପାଇଁ ଏଭଳି ପ୍ରଶାସନିକ ପଦକ୍ଷେପ ସତରେ ବିରଳ । ପ୍ରଶାସନର ଏପରି ପଦକ୍ଷେପକୁ ଖୁବ ପ୍ରଶଂସା କରାଯାଉଛି ।

You might also like