ମଝି ରାସ୍ତାରେ ହଠାତ୍ ଫାଟିଗଲା ପାଣି ପାଇପ୍ ଲାଇନ୍
ଯୋଧପୁର: ମଝି ରାସ୍ତାରେ ହଠାତ୍ ଫାଟିଗଲା ପାଣି ପାଇପ୍ ଲାଇନ୍। ବିସ୍ଫୋରଣ ଶବ୍ଦ ଏତେ ଜୋର୍ ଥିଲା ଯେ, ଏହାଶୁଣି ଲୋକମାନେ ପୂରାପୂରି ଭୟଭୀତ ହୋଇଯାଇଥିଲେ। ରାଜସ୍ଥାନର ଯୋଧପୁର ସହରରେ ଏହି ଘଟଣା ଘଟିଛି।
ଯୋଧପୁର ସହରରେ ୨୪ ଘଣ୍ଟା ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିବା ପରେ ଗତକାଲି ସକାଳେ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ଥିବା ପିଏଚ୍ଡି ପାଣି ଟାଙ୍କିରୁ ଭିନ୍ନ ଭିନ୍ନ ସମୟରେ ପାଇପ୍ ଲାଇନ୍ ଖୋଲା ଯାଇଥିଲା।
ରତାନା଼ଡା ଚୌରାହା ନିକଟରେ ଥିବା ୫୦୦ ମିଲିମିଟର ବିଶିଷ୍ଟ ମୁଖ୍ୟ ଲୁହା ପାଇପ୍ ଲାଇନ୍ ହଠାତ୍ ଫାଟି ଯାଇଥିଲା। ଏହି ସମୟରେ ସେଇ ବାଟ ଦେଇ ଏକ କାର୍ ଯାଉଥିଲା, ହଠାତ୍ ଏହି ଦୃଶ୍ୟ ଦେଖି ଗାଡ଼ିର ଡ୍ରାଇଭର ଜଣକ ଜୀବନ ବିକଳରେ ଗାଡ଼ିକୁ ତତ୍କ୍ଷଣାତ ଟର୍ଣିଂ କରି ଦେଇଥିଲେ। ଫଳରେ ଏକ ବଡ଼ ଧରଣର ଅଘଟଣରୁ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ।
ମଝି ରାସ୍ତାରେ ହଠାତ୍ ଫାଟିଗଲା ପାଣି ପାଇପ୍ ଲାଇନ୍ #WaterPipelineBurst pic.twitter.com/T2gmS9tjMI
— ଓଟିଭି (@otvkhabar) July 26, 2020
ବିସ୍ଫୋରଣରେ ପ୍ରାୟ ୨୦ ଫୁଟ ବିଶିଷ୍ଟ ପାଇପ୍ ଲାଇନ୍ ଫାଟି ଯିବାରୁ ପାଖରେ ଥିବା ରାସ୍ତା ୨୦୦ରୁ ୩୦୦ ମିଟର ଧସି ଯାଇଥିଲା। ରାସ୍ତାରେ ଲୋକେ ଯା’ଆସ କରୁଥିବା ବେଳେ ହଠାତ୍ ପାଇପ୍ ଫାଟି ବିସ୍ଫୋରଣ ଭଳି ଶବ୍ଦ ହେବାରୁ ଭୟଭୀତ ହୋଇଯାଇଥିଲେ ଲୋକେ। ରାସ୍ତା ଧସି ଯିବା ଯୋଗୁ ଯାତାୟତ ପ୍ରଭାବିତ ହେବାସହ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ମଧ୍ୟ ବାଧାପପ୍ରାପ୍ତ ହୋଇଥିଲା। ଏୟାର ଫ୍ଲୋ ଯୋଗୁ ପାଇପ୍ ଫାଟି ଯାଇଥିବା କୁହାଯାଉଛି।