କରୋନାରୁ ସୁସ୍ଥ ହେଲେ ଶତାୟୁ ମହିଳା; କହିଲେ କରୋନା ଏକ ସାଧାରଣ ସର୍ଦ୍ଦି

ବେଙ୍ଗାଲୁରୁ: କରୋନା ଏକ ସାଧାରଣ ସର୍ଦ୍ଦି। କୋଭିଡ-୧୯ ମହାମାରୀରୁ ସୁସ୍ଥ ହେବା ପରେ ଏଭଳି କହିଛନ୍ତି କର୍ଣ୍ଣାଟକର ଜଣେ ଶତାୟୁ ବୃଦ୍ଧା ହଲ୍ଲମ୍ମା। କର୍ଣ୍ଣାଟକର ବେଲାରୀର ଅଞ୍ଚଳର ହୁବିନା ହାଦଗଳିର ବାସିନ୍ଦା ହେଉଛନ୍ତି  ୧୦୦ ବର୍ଷୀୟା ବୃଦ୍ଧା ମହିଳା ହାଲ୍ଲମ୍ମା। ଜୁଲାଇ ୧୬ ତାରିଖରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ଏହି ଶତାୟୁ ମହିଳା।

ତେବେ ଡାକ୍ତରଖାନାରେ ସେ କଣ ଖାଉଥିଲେ କେମିତି ତାଙ୍କର ଚିକିତ୍ସା ଚାଲୁଥିଲା ସେ ନେଇ ଅନୁଭୂତି ବଖାଣିଛନ୍ତି ବୃଦ୍ଧା ମହିଳା ହାଲ୍ଲମ୍ମା। ସେ କହିଛନ୍ତି, ହସ୍ପିଟାଲରେ ସେ ନିୟମିତ ସାଧାରଣ ଖାଦ୍ୟ ଗ୍ରହଣ କରିବା ସହିତ ପ୍ରତିଦିନ ସେ ଏକ ସେଓ ଖାଆନ୍ତି। ଡାକ୍ତରମାନେ ତାଙ୍କର ଉତ୍ତମ ଚିକିତ୍ସା କରିଥିବାରୁ ସେ ସୁସ୍ଥ ହୋଇ ଫେରିଛନ୍ତି ବୋଲି ହାଲ୍ଲମ୍ମା କହିଛନ୍ତି। ଏହି ବୃଦ୍ଧାଙ୍କ ପୁଅ, ଜ୍ୱାଇଁ ଓ ନାତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେହିଭଳି ମଧ୍ୟପ୍ରଦେଶର ଇନ୍ଦୋରର ଚନ୍ଦା ବାଇ ନାମରେ ଜଣେ ଶତାୟୁ ମହିଳା ମଧ୍ୟ ମେ ୨୩ ତାରିଖରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଚନ୍ଦା ବାଇ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ପଡ଼ୋଶୀମାନେ ତାଙ୍କୁ ସ୍ୱାଗତ କରିଥିଲେ। କେବଳ ସେତିକି ନୁହେଁ, ଓଡ଼ିଶାର କେନ୍ଦ୍ରାପଡ଼ାରେ ମଧ୍ୟ ସୁରେନ୍ଦ୍ର ପତି ନାମକ ଜଣେ ୮୫ ବର୍ଷୀୟ କ୍ୟାନ୍‌ସର ପୀଡ଼ିତ ବୃଦ୍ଧ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। କେବଳ ହାଲ୍ଲମ୍ମା ଓ ଚନ୍ଦା ବାଇ ନୁହଁନ୍ତି, ଦେଶ ବିଦେଶରୁ ଅନେକ ଶତାୟୁ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିବା ଖବର ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

You might also like