ଶ୍ୱଶୁରଙ୍କୁ ପିଠିରେ ବୋହିଥିବା ବୋହୂ କହିଲେ ଭାଇରାଲ ଫଟୋ ପଛର ସତ କାହାଣୀ…

ଗତ ସପ୍ତାହରେ ଜଣେ ମହିଳା ତାଙ୍କ କୋଭିଡ ଆକ୍ରାନ୍ତ ଶ୍ୱଶୁରଙ୍କୁ ପିଠିରେ ବୋହି ନେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫଟୋକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା । ସମସ୍ତେ ଉକ୍ତ ବୋହୂଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏଭଳି ‘ପ୍ରେରଣାଦାୟୀ’ କାହାଣୀକୁ ସମସ୍ତେ ସ୍ୱାଗତ ଜଣାଇଥିଲେ । ହେଲେ ବାସ୍ତବରେ ଏହି ଫଟୋ ପଛରେ ଥିବା କାହାଣୀ କିନ୍ତୁ ସମ୍ପୂର୍ଣ୍ଣ ବିପରୀତ ।

Niharika-Das-2ନାଗାଓନ୍‌ର ରାହାରୁ ନିହାରିକା ଦାସ କହିଛନ୍ତି ଯେ, ଜୁନ୍ ୨ରେ ତାଙ୍କ ୭୫ ବର୍ଷିୟ ଶ୍ୱଶୁର ଥାଲେଶ୍ୱର ଦାସଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିଲା । ଏହା ଜାଣିବା ପରେ ତାଙ୍କୁ ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ସେ ଏକ ଆଟୋ ରିକ୍ସାର ଆୟୋଜନ କରିଥିଲେ । ଘରଠାରୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା ମାତ୍ର ଦୁଇ କିଲୋମିଟର । କିନ୍ତୁ ଅଟୋ ରିକ୍ସା ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିପାରି ନଥିଲା । କାରଣ ରାସ୍ତା ଖରାପ ଥିଲା । ରାସ୍ତା ଅବସ୍ଥା ଏମିତି ଯେ, ସେଠାରେ ଅଟୋ ରିକ୍ସା ଚାଲିବା ଅସମ୍ଭବ ।

ନିହାରିକା ଆହୁରି କହିଛନ୍ତି, ‘ମୋ ଶ୍ୱଶୁର ଖୁବ ଦୁର୍ବଳ, ଏମିତିକି ଠିଆ ହେବା ପାଇଁ ମଧ୍ୟ ସେ ସକ୍ଷମ ନୁହଁନ୍ତି । ସେହି ସମୟରେ ମୋ’ ସ୍ୱାମୀ ମଧ୍ୟ ଘରେ ନଥିଲେ । ସେ ସିଲିଗୁଡ଼ିରେ ନିଜ କାମରେ ଥିଲେ । ତେଣୁ ମୋ ପାଖରେ ଆଉ କିଛି ଉପାୟ ନଥିଲା । ବାଧ୍ୟ ହୋଇ ମୁଁ ମୋ ନିଜ ପିଠିରେ ତାଙ୍କୁ ରଖି ଗାଡ଼ି ପର୍ଯ୍ୟନ୍ତ ନେଇଥିଲି । ଗାଡ଼ିଟି ଅଳ୍ପ କିଛି ଦୂରରେ ଛିଡ଼ା ହୋଇଥିଲା ।’ ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏଭଳି ସୂଚନା ଦେଇଛନ୍ତି ନିହାରିକା ।

Niharika-Das-2

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ତାଙ୍କ ଶ୍ୱଶୁର କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଏନେଇ ଖବର ଦିଆଯାଇଥିଲା । ପରେ ଶ୍ୱଶୁରଙ୍କୁ ନାଗାଓନରୁ ୨୧ କିଲୋମିଟର ଦୂରରେ ଥିବା କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା କଥା କୁହାଯାଇଥିଲା । କାରଣ ଥାଲେଶ୍ୱରଙ୍କ ଅବସ୍ଥା ଗୁରୁତର ଥିଲା ।

‘ତେଣୁ ଆମକୁ ଅନ୍ୟ ଏକ ପ୍ରାଇଭେଟ୍ ଗାଡି ଡାକିବାକୁ ପଡିଲା । ସେଠାରେ ଆମ୍ବୁଲାନ୍ସ କିମ୍ବା ଷ୍ଟ୍ରେଚର ନଥିଲା, ତେଣୁ ମୋତେ ପୁଣିଥରେ ଗାଡ଼ି ପର୍ଯ୍ୟନ୍ତ ନେବା ପାଇଁ ପିଠିରେ ବୋହିବାକୁ ପଡ଼ିଥିଲା । ଫଟୋ ଭାଇରାଲ ହେବା ପରେ ଅନେକ ଲୋକ ଅନେକ କଥା କହୁଛନ୍ତି । କିନ୍ତୁ ସେହି ସମୟରେ କେହି ଜଣେ ବି ସହଯୋଗର ହାତ ବଢ଼ାଇନଥିଲେ । ସମସ୍ତେ ସେମିତି ଚାହିଁ ରହିଥିଲେ ।’ କୋହଭରା କଣ୍ଠରେ ଏଭଳି କିଛି କହିଥିଲେ ନିହାରିକା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋ ଶ୍ୱଶୁର ପ୍ରାୟ ଚେତାଶୂନ୍ୟ ଥିଲେ । ତେଣୁ ତାଙ୍କୁ ତୁରନ୍ତ ବୋହି ନେବା ପାଇଁ ମୋତେ ଶାରୀରିକ ଏବଂ ମାନସିକ ସ୍ତରରେ ଅଧିକ ଶକ୍ତି ମିଳିଥିଲା ।’

ହେଲେ ସବୁଠାରୁ ବଡ଼ କଥା ହେଲା, କୋଭିଡ ହସ୍ପିଟାଲରେ ତାଙ୍କୁ ସ୍ଥାନ ମିଳିନଥିବା ବେଳେ ପୁଣି ସେହି ମେଡିକାଲକୁ ଫେରାଇବାକୁ ପଡ଼ିଥିଲା । ସେହିଦିନ ସେ ପାଖାପାଖି ଦୁଇ କିଲୋମିଟର ପର୍ଯ୍ୟନ୍ତ ତାଙ୍କୁ ପିଠିରେ ବୋହିଥିବେ ବୋଲି କହିଛନ୍ତି ନିହାରିକା । ସେତେବେଳେ ସେ ଅନେକଙ୍କୁ ସାହାଯ୍ୟ ମାଗିଥିଲେ, କିନ୍ତୁ କେହି ଆଗକୁ ଆସିନଥିଲେ । ପରବର୍ତ୍ତୀ ମୁହୁର୍ତ୍ତରେ ନିହାରିକା ନିଜେ ମଧ୍ୟ କୋଭିଡ ପଜିଟିଭ ହୋଇଥିବା ଜାଣିବାକୁ ପାଇଥିଲେ ।

You might also like