ସତରେ କ’ଣ ଚୀନର ଉହାନ୍ ଲ୍ୟାବରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ମାଡ଼ି ଯାଇଛି କରୋନା ?

ନୂଆଦିଲ୍ଲୀ: ଚୀନର ଉହାନ୍ ଲ୍ୟାବ୍‌କୁ ନେଇ ଏବେ ବଢ଼ୁଛି ସସ୍‌ପେନ୍ସ। ସତରେ କ’ଣ ଏହି ଲ୍ୟାବରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ମାଡ଼ି ଯାଇଛି କରୋନା ? ଏଭଳି ପ୍ରଶ୍ନ ଏବେ ଚୀନ ସମ୍ମୁଖରେ। ଆଉ ଏହାକୁ ଏବେ ଅନୁଧ୍ୟାନ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ଏନେଇ ସନ୍ଦେହ ଆହୁରି ଘନିଭୂତ ହୋଇଛି। ହେଲେ ଚୀନ ଅଭିଯୋଗକୁ ଖଣ୍ଡନ କରିବା ସହ ଟ୍ରମ୍ପଙ୍କ କଡ଼ା ସମାଲୋଚନା କରିଛି।

The Wuhan lab at the core of a virus controversy - France 24

କରୋନା ପାଇଁ ସାରା ବିଶ୍ୱରେ ହାହାକାର ପଡ଼ିଯାଇଥିଲା ବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା। ଏପର୍ଯ୍ୟନ୍ତ କରୋନାରେ ଦେଶର ପ୍ରାୟ ୩୫ ହଜାର ଲୋକଙ୍କ ଜୀବନ ଯିବା ସହ ସାଢ଼େ ୬ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସୁପରପାଓ୍ୱାର ଆମେରିକାର ଆର୍ଥିକ ଭିତ୍ତିଭୂମି।

ସାରା ବିଶ୍ୱରେ କରୋନା ମାଡ଼ି ଚାଲିଛି, ହେଲେ ଉତ୍ପତ୍ତିସ୍ଥଳ ଉହାନ୍ ଏବଂ ଚୀନ୍‌ରେ ସ୍ଥିତି ନିୟନ୍ତ୍ରଣରେ ଅଛି। ଯାହା ଚୀନ୍‌ର ଭୂମିକାକୁ ସନ୍ଦେହ ଘେରକୁ ଆଣିଥିବା ବେଳେ ପୂର୍ବରୁ କରୋନା ସଂପର୍କରେ ବିଶ୍ୱ ଓ ଆମେରିକାକୁ ଅନ୍ଧାରରେ ରଖିବା ଅଭିଯୋଗ କରି ଚୀନ୍‌କୁ ନିଶାନା କରି ଆସୁଥିଲା ଆମେରିକା।

ଆଉ ଏବେ ଚୀନ୍‌ର ଉହାନ୍ ଲାବ୍‌ରୁ କରୋନାର ସୃଷ୍ଟି ଏବଂ ଦୁର୍ଘଟଣାବଶତଃ ସାରା ବିଶ୍ୱରେ ମାଡ଼ିଯିବା ସଂପର୍କିତ ରିପୋର୍ଟ ଉପରେ ଟ୍ରଂପ୍ ରଖିଥିବା ଉତ୍ତର ପୂରା ଘଟଣାକୁ ନୂଆ ମୋଡ଼ ଦେଇଛି।

ତେବେ ଲ୍ୟାବ୍ ଥିଓରୀକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି ଚୀନ। ଦେଶର ବୈଦେଶିକ ବ୍ୟାପର ମୁଖପାତ୍ର ଜାହୋ ଲିଜାନ୍ ଏନେଇ ଆମେରିକାକୁ ସମାଲୋଚନା କରିଛନ୍ତି।

ଉହାନ୍ ଲ୍ୟାବ୍‌ରୁ କରୋନା ବ୍ୟାପିବା ନେଇ କୌଣସି ପ୍ରମାଣ ମିଳିନଥିବା WHO ସ୍ପଷ୍ଟ କରିଛି। ଏଭଳିକି ଲାବରୋଟୋରୀରୁ ଏଭଳି ଭାଇରସ୍ ସୃଷ୍ଟି ହେବା କଥାକୁ ବି ବୈଜ୍ଞାନିକମାନେ ଖଣ୍ଡନ କରିଛନ୍ତି ବୋଲି ଚୀନ ବୈଦେଶିକ ମୁଖପାତ୍ର କହିଛନ୍ତି।

ଚୀନର ଉହାନ୍‌ରେ ରହିଛି ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଭାୟୋରୋଲୋଜି। ଯେଉଁଠି ବିଶ୍ୱର ବହୁ ରାଷ୍ଟ୍ରରୁ ବୈଜ୍ଞାନିକ ବିଭିନ୍ନ ସମୟରେ ରିର୍ସଚ୍ଚ କରିବାକୁ ଯାଇଥାନ୍ତି।

ତେବେ ଦ ୱାସିଂଟନ୍ ପୋଷ୍ଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଉହାନ୍ ଲ୍ୟାବ୍‌ରେ ପରୀକ୍ଷା ବେଳେ କରୋନା ଭାଇରସ୍‌ର ଜନ୍ମ ହୋଇଛି। ଏଠି କାମ କରୁଥିବା ଜଣେ ମହିଳା ଇଣ୍ଟର୍ନ ବୈଜ୍ଞାନିକ ପ୍ରଥମେ ଏହାଦ୍ୱାରା ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଏହା ବ୍ୟାପିଥିଲା। ସଂପୃକ୍ତ ବ୍ୟକ୍ତି ଜଣକ ଉହାନ୍ ବଜାରକୁ ଯିବା ପରେ ଏହା ଧୀରେଧୀରେ ଉହାନ୍‌କୁ ବ୍ୟାପିଥିବା ଖବର ଦ ୱାସିଂଟନ୍ ପୋଷ୍ଟ ପ୍ରକାଶ କରିଛି।

ତେବେ ଟ୍ରମ୍ପଙ୍କ ବୟାନ ପରେ ଏବେ ଆମେରିକା ଏ ନେଇ କିପରି  ଅନୁଧ୍ୟାନ କରିବ ତାହା ବି ଏକ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

You might also like