ଆମେ ଶାନ୍ତି ଚାହୁଁଛୁ, କିନ୍ତୁ ଭାରତର ଆତ୍ମସ୍ୱାଭିମାନକୁ କ୍ଷତି ପହଞ୍ଚାଇଲେ ବରଦାସ୍ତ କରିବୁ ନାହିଁ: ପ୍ରତିରକ୍ଷାମନ୍ତ୍ରୀ

ହାଇଦ୍ରାବାଦ: ଭାରତ ଯେଉଁଭଳି ଭାବେ ଚାଇନା ସହିତ ଥିବା ସୀମା ସମସ୍ୟାକୁ ହ୍ୟାଣ୍ଡେଲ କରୁଛି ଏଥିରୁ ଜଣାପଡ଼ୁଛି ଯେ ଆମ ଦେଶ ଦୁର୍ବଳ ନୁହେଁ। ଭାରତ ଏବେ ଯେକୌଣସି ପ୍ରକାର ଏକପାଖିଆ ଅଧର୍ମ ଓ ଆକ୍ରମଣାତ୍ମକ ପଦକ୍ଷେପର ଉଚିତ୍ ଯବାବ ଦେଇପାରିବ। ହାଇଦ୍ରାବାଦରେ ଆୟୋଜିତ ବାୟୁସେନାର ପାସିଂଆଉଟ୍ ପରେଡ୍‌ରେ ଯୋଗ ଦେଇ କ୍ୟାଡେଟ୍‌ଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ। ଏଥିପାଇଁ ସମସ୍ୟାର ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇସାରିଲାଣି। ଚାଇନା ସହିତ ସମସ୍ୟାକୁ ନେଇ ଭାରତ ଅନେକ ଦେଶଙ୍କର ସମର୍ଥନ ପାଇଛି। ଏମିତିକି ବିଦେଶରେ ଭାରତକୁ ଅନେକ ପ୍ରଶଂସା ମଧ୍ୟ ମିଳିଛି। ତେବେ ସମସ୍ୟାର ସମାଧାନ ପାଇଁ ଦେଶର ସ୍ୱାଭିମାନ ସହିତ କୌଣସି ପ୍ରକାର ସାଲିସ ହୋଇପାରିବ ନାହିଁ। ଭାରତର ଆତ୍ମସ୍ୱାଭିମାନକୁ କ୍ଷତି ପହଞ୍ଚାଇଲେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜନାଥ କହିଛନ୍ତି।

ଆଜି ହାଇଦ୍ରାବାଦ ଡୁଣ୍ଡିଗଲ୍ ସ୍ଥିତ ଏୟାରଫୋର୍ସ ଏକାଡେମୀରେ ପ୍ରଶିକ୍ଷଣ ଶେଷ କରିଥିବା କ୍ୟାଡେଟଙ୍କୁ ସମ୍ବୋଧିତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ମିଳିତ ଗ୍ରାଜୁଏସନ୍ ପରେଡ୍‌ର ଶହେତମ ଉତ୍ସବରେ ଯୋଗ ଦେଇ ଭାରତୀୟ ବାୟୁସେନାର ବୀରତ୍ୱ ବଖାଣିଛନ୍ତି ରାଜନାଥ।

ଦେଶର ସୁରକ୍ଷା ଲାଗି ଭାରତୀୟ ବାୟୁସେନା ସବୁବେଳେ ସାହସିକତାର ସହ ବୀରତ୍ୱ ପ୍ରଦର୍ଶନ କରି ଆସିଛି। ୧୯୭୧ର ଲୋଂଗେଓ୍ୱାଲା ଯୁଦ୍ଧଠାରୁ ଆରମ୍ଭ କରି ନିକଟରେ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଏହି ସବୁ ମୁହୂର୍ତ୍ତ ଭାରତ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇଛି ବୋଲି ରାଜନାଥ କହିଛନ୍ତି। ଆଜି ହାଇଦ୍ରାବାଦ ଗସ୍ତ ଅବସରରେ DRDO ପରିସର ବୁଲି ଦେଖିଥିଲେ ରାଜନାଥ।

 

You might also like