ଜାମ୍ମୁ-କାଶ୍ମୀର ପ୍ରିପେଡ୍ ୟୁଜର୍‌ଙ୍କ ପାଇଁ କଲ୍ ଓ ଏସ୍‌ଏମ୍‌ଏସ୍‌ ସୁବିଧା ଚାଲୁ

ଶ୍ରୀନଗର: ଇଣ୍ଟର୍‌ନେଟ୍‌ ପରେ ଏବେ ଜାମ୍ମୁ-କାଶ୍ମୀର ମେସେଜ୍‌ ଓ ଭଏସ୍‌ କଲ୍‌ ସେବାକୁ ଚାଲୁ ହୋଇଛି। ଭଲଭାବେ ନିରିକ୍ଷଣ ପରେ ଏହି ସେବା ଚାଲୁ କରାଯାଇଛି। ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ଜାମ୍ମୁ ଓ କାଶ୍ମୀରର ସରକାରୀ ପ୍ରବକ୍ତା ଓ ପ୍ରମୁଖ ସଚିବ ରାହୁଲ୍ କନସଲ କହିଛନ୍ତି “ ଭଲଭାବରେ ନିରିକ୍ଷଣ ପରେ ଜାମ୍ମୁ-କାଶ୍ମୀରରେ ଲୋକାଲ୍‌ ସିମ୍‌ ୟୁଜରଙ୍କୁ ଏସ୍‌ଏମ୍‌ଏସ୍‌ ସର୍ଭିସ୍‌ ଓ ଭଏସ୍‌ କଲ୍‌ ସୁବିଧା ଯୋଗାଇ ଦିଆଯାଇଛି। ”

ସେ ଆହୁରି ମଧ୍ୟ କହିଛନ୍ତି “ଜାମ୍ମୁ, କୁପୱାରା ଓ କାଶ୍ମୀରର ବାନ୍ଦିପୋରା ଡିବିଜନ୍‌ର ଦଶଟି ଜିଲ୍ଲାକୁ ପୋଷ୍ଟପେଡ୍‌ ମୋବାଇଲ୍‌ରେ ୨ଜି ସେବା ଯୋଗାଇ ଦିଆଯାଇଛି। ଯେଉଁଥିରେ ଗ୍ରାହକ କେବଳ ସ୍ୱେତସୁଚୀଯୁକ୍ତ ବା ସୁରକ୍ଷିତ ୱେବ୍‌ସାଇଟ୍‌କୁ ଆକ୍‌ସେସ୍‌ କରିପାରିବେ। କିନ୍ତୁ ବଡଗାମ, ଗନ୍ଦେରବାଲ, ବାରାମୁଲା, ଶ୍ରୀନଗର, କୁଲ୍‌ଗାମ, ଅନନ୍ତନାଗ, ସୋପିଆନ ଓ ପୁଲୱାମା ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବାରେ ପ୍ରତିବନ୍ଧକ ରହିବ” ବୋଲି କନସଲ କହିଛନ୍ତି। ତେବେ ଘାଟି ଅଞ୍ଚଳରେ ପ୍ରତିବନ୍ଧକ ଲଗାଇବା ମାସକ ପୂର୍ବରୁ ଜାନୁଆରି ଏକ ତାରିଖରୁ ଅଞ୍ଚଳର ସମସ୍ତ ସରକାରୀ ଡାକ୍ତରଖାନାରେ ଏହିସବୁ ସେବା ଚାଲୁ କରାଯାଇଥିଲା।

ସୂଚନା ଥାଉକି, କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରକୁ ସ୍ପେଶାଲ୍ ଷ୍ଟାଟସ୍ ଦେଉଥିବା ଧାରା ୩୭୦ ହଟାଇବାର ଗୋଟିଏ ଦିନ ପୂର୍ବରୁ, ମାନେ ଅଗଷ୍ଟ ୪ ତାରିଖରୁ ସେଠାରେ କର୍ଫ୍ୟୁ ଜାରି ହେବା ସହିତ ମୋବାଇଲ୍‌ ଫୋନ୍‌. ଲ୍ୟାଣ୍ଡଲାଇନ୍ ଏବଂ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିଥିଲା। ଏବେ ସ୍ଥିତି ଧୀରେ ଧୀରେ ସୁଧୁରିବାରୁ ସେହି ସବୁ ସେବାକୁ ପୁଣିଥରେ ଚାଲୁ କରାଯାଉଛି। ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀର ଆଉ ଗୋଟିଏ ରାଜ୍ୟ ହୋଇ ନାହିଁ। ଏହାକୁ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ନାଁରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିଦିଆଯାଇଛି।

 

You might also like