ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ ଶଶିକଳା

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଶଶିକଳା। ସମସ୍ତଙ୍କୁ ଚମକାଇ ରାଜନୀତି ଛାଡିଥିବା ଘୋଷଣା କରିଛନ୍ତି AIADMKର ପୂର୍ବତନ ନେତ୍ରୀ ଭି.କେ. ଶଶିକଳା । ତେବେ ରାଜନୀତି ଛାଡିବା ପୂର୍ବରୁ ଦଳର ସମସ୍ତ କର୍ମୀଙ୍କୁ ଏକାଠି କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନ ଏବଂ ଜୟଲଳିତାଙ୍କ ସୁବର୍ଣ୍ଣ ଶାସନ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି ?

ଶଶିକଳା ରାଜନୀତିରୁ ସନ୍ୟାସ  ନେବା କଥା ଘୋଷଣା କରିବା ପୂର୍ବରୁ କହିଥିଲେ, ‘ ଆଗାମୀ ନିର୍ବାଚନରେ ତାମିଲନାଡୁରେ AIADMK ସରକାର ଗଠନ କରିବ। ଏହାକୁ ନିଶ୍ଚିତ କରିବା ପାଇଁ ପାଇଁ ରାଜନୀତି ଛାଡୁଛି। ନିର୍ବାଚନରେ ଦଳ ଜିତିବା ପାଇଁ ମୁଁ ଭଗବାନ ଓ ମୋ ଭଉଣୀ ( ଜୟଲଳିତା)ଙ୍କ ପାଖରେ ପ୍ରାର୍ଥନା କରିବି।’

ବୁଧବାର ଏକ ବୟାନ ଦେଇ ଶଶିକଳା କହିଥିଲେ, ‘ମୁଁ  କୌଣସି ପଦ କମ୍ବା କ୍ଷମତା ପାଇଁ ଲକ୍ଷ୍ୟ ରଖି ନ ଥିଲି। ’ ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ କହିଥିଲେ, ଏଆଇଏଡିଏମ୍‌କେ ଏକ୍‌ଜୁଟ ହେଉ ଏବଂ ଆଗାମୀ ବିଧାନସଭା ନିର୍ବାଚନରେ ଡିଏମକେକୁ ପରାଜିତ କରନ୍ତୁ। ତାମିଲନାଡୁରେ ଅମ୍ମାଙ୍କ ସୁବର୍ଣ୍ଣ ଶାସନକୁ ସୁନିଶ୍ଚିତ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।

ଆଗାମୀ ନିର୍ବାଚନରେ ଡିଏମକେକୁ ହରାଇବାକୁ ଶଶିକଳା ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ଶଶିକଳାଙ୍କ ରାଜନୀତିରୁ ଅବସର ଘୋଷଣା ପରେ ତାଙ୍କ ଭଣଜା ତଥା AMMK ନେତା ଟିଟିଭି ଦିନାକରଣ କହିଛନ୍ତି, ସେ ବହୁତ ବୁଝାଇଥିଲେ ମଧ୍ୟ ଶଶିକଳା ରାଜି ହୋଇନଥିଲେ । ତେବେ ତାଙ୍କ ନେତୃତ୍ୱରେ AMMK ଆଗାମୀ ବିଧାନସଭା ନିର୍ବାଚନ ଲଢିବ ବୋଲି କହିଛନ୍ତି ଦିନାକରନ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୪ ବର୍ଷର ସଜା କାଟିବା ପରେ ଜାନୁଆରୀ ୨୭ ତାରିଖରେ ଜେଲରୁ ମୁକୁଳିଥିଲେ। ଶଶିକଳା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଅତି ବିଶ୍ୱସ୍ତ ଥିଲେ ଏବଂ ତାମିଲବାସୀଙ୍କ ପାଖରେ ଚିନ୍ନାମ୍ମା ଭାବେ ପରିଚିତ ଥିଲେ । ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଥିବା ବେଳେ ଶଶିକଳାଙ୍କୁ ନେଇ ତାମିଲନାଡୁ ରାଜନୀତି ସରଗରମ ହୋଇଛି। ତେବେ ସମସ୍ତଙ୍କୁ ଚମକାଇ ହଠାତ୍ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଶଶିକଳା

You might also like