ଏଲ୍‌ଜି ପଲିମର୍ସରୁ ପୁଣି ଗ୍ୟାସ୍‌ ଲିକ୍, ପ୍ରାଣ ବିକଳରେ ରାସ୍ତା ଉପରକୁ ଚାଲି ଆସିଲେ ଲୋକେ

ବିଶାଖାପଟ୍ଟନମ୍‌: ବିଶାଖାପଟ୍ଟନମ୍‌ ଏଲ୍‌ଜି ପଲିମର୍ସରୁ ପୁଣି ଗ୍ୟାସ୍‌ ଲିକ୍‌ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପ୍ଲାଣ୍ଟରୁ ପୁଣି ଷ୍ଟାଇରିନ୍‌ ଗ୍ୟାସ୍ ଲିକ୍ ହେବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଘର ଛାଡ଼ି ପ୍ରାଣ ବିକଳରେ ରାସ୍ତା ଉପରକୁ ଚାଲି ଆସିଥିଲେ।

ଏପରିକି ଲୋକେ ଗାଡ଼ି ମୋଟରରେ ନିଜ ପରିବାରକୁ ବସାଇ ଅଞ୍ଚଳ ଛାଡ଼ି ପଳାଇଥିବା ସୂଚନା ମିଳିଛି। ଏହି ଗ୍ୟାସ୍ ଲିକ୍ ଯୋଗୁ ୨ରୁ ୩ କିଲୋମିଟର ପରିଧି ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଅନ୍ୟପଟେ ଏହି ଗ୍ୟାସ୍ ଲିକ୍‌କୁ ରୋକିବା ପାଇଁ ଗୁଜରାଟରୁ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନରେ PTBC କେମିକାଲ ଅଣାଯାଇଛି। ଘଟଣା ସ୍ଥଳରେ ୧୦ଟି ଅଧିକ ଦମକଳ ବାହିନୀ ଓ ୨ ଟି ଫୋମ୍ ଟେଣ୍ଡର୍‌ ଗାଡ଼ିକୁ ମୁତୟନ କରାଯାଇଛି।

ସୂଚନାଥାଉ କି, ଗତକାଲି ଆନ୍ଧ୍ରପ୍ରଦେଶ ଭାଇଜାଗରେ ଏଲ୍‌ଜି ପଲିମର୍ସ ନାମକ ଏକ କେମିକାଲ ପ୍ଲାଣ୍ଟରୁ ଷ୍ଟାଇରିନ୍‌ ଗ୍ୟାସ୍ ଲିକ୍ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶହ ଶହ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ ଡାକି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଅସୁସ୍ଥଙ୍କୁ ଭେଟିବା ସହ ମୃତକଙ୍କ ପରିବାର ଲାଗି କୋଟିଏ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ NHRC ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

You might also like