କରୋନା ନୂଆ ଷ୍ଟ୍ରେନର ଭୟାବହତାକୁ ନେଇ ଏମିତି କହିଲେ ଏମ୍ସ ନିର୍ଦ୍ଦେଶକ
ନୂଆଦିଲ୍ଲୀ: ବ୍ରିଟେନରୁ ଚିହ୍ନଟ କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । ଭୂତାଣୁ ମ୍ୟୁଟେସନ ସତ୍ତ୍ୱେ ଲକ୍ଷଣ କିମ୍ବା ଚିକିତ୍ସାରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି କୋଭିଡ୍ ପରିଚାଳନା ପାଇଁ ଗଠିତ ଜାତୀୟ ଟାସ୍କ ଫୋର୍ସର ସଦସ୍ୟ ତଥା ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଯେଉଁ ଟିକା ଗୁଡିକ ଜରୁରୀକାଳୀନ ଅନୁମୋଦନ ପାଇଛି ସେଗୁଡିକ ମଧ୍ୟ ବ୍ରିଟେନରୁ ଚିହ୍ନଟ କରୋନା ଷ୍ଟ୍ରେନର ମୁକାବିଲା କରିପାରିବ ବୋଲି ଗୁଲେରିଆ କହିଛନ୍ତି। ତେଣୁ କରୋନା ଟିକାର ମଧ୍ୟ ପରିବର୍ତ୍ତନ ଦରକାର ନାହିଁ।
ଦେଶରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଛି। ତେଣୁ ଆସନ୍ତା ୬ରୁ ୮ ସପ୍ତାହ ଅନେକ ଗୁରୁତ୍ୱ ରଖୁଛି । ବ୍ରିଟେନରୁ ଚିହ୍ନଟ ନୂତନ ଷ୍ଟ୍ରେନ୍ ଦ୍ୱାରା ଅଧିକ ସଂକ୍ରମଣ ହେଉଛି। କିନ୍ତୁ ଏଥିପାଇଁ ଅଧିକ ଦିନ ଚିକିତ୍ସାର ଆବଶ୍ୟକ ନାହିଁ । ଏଥିସହ ନୂଆ ଷ୍ଟ୍ରେନ୍ ଅଧିକ ଘାତକ ନୁହେଁ । ଗତ ୧୦ ମାସ ମଧ୍ୟରେ କରୋନା ଭୂତାଣୁ ଅନେକଥର ମ୍ୟୁଟେସନ ହୋଇଛି ଯାହାକି ସାଧାରଣ କଥା ବୋଲି ଗୁଲେରିଆ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଥାଉ କି, ବ୍ରିଟେନ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ସମସ୍ତେ ଭୟଭୀତ। ଭାରତରେ ମଧ୍ୟ ଏହି ନୂଆ ଷ୍ଟ୍ରେନ୍ର ଆତଙ୍କ ଦେଖା ଦେଲାଣି। ତେବେ କରୋନା ରୂପ ବଦଳାଉଥିଲେ ହେଁ ଆକ୍ରାନ୍ତଙ୍କ ଲକ୍ଷଣରେ କୌଣସି ପରିବର୍ତ୍ତନ ହେବନାହିଁ ଏବଂ ଚିକିତ୍ସା ପ୍ରଣାଳୀରେ ମଧ୍ୟ କିଛି ପରିବର୍ତ୍ତନ ହେବ ନାହିଁ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ଗୁଲେରିଆ କହିଛନ୍ତି।
ଏଠି କହିରଖିବୁ, ବ୍ରିଟେନ୍ରେ କରୋନା ନୂଆ ଷ୍ଟ୍ରେନ୍ ଠାବ ହେବା ପରେ ଭାରତ ସମେତ ୪୦ରୁ ଅଧିକ ରାଷ୍ଟ୍ର ଇଂଲଣ୍ଡକୁ ବିମାନ ସେବା ବନ୍ଦ କରି ଦେଇଛନ୍ତି। ତଥାପି ଲଣ୍ଡନରୁ ଭାରତ ଆସିଥିବା ଏକ ବିମାନରେ କିଛି ଯାତ୍ରୀ ପଜିଟିଭ ଆସିବା ପରେ ଭାରତରେ ମଧ୍ୟ ସେହିଆତଙ୍କ ଖେଳି ଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରିଟେନ ଫେରନ୍ତଙ୍କ କରୋନା ଟେଷ୍ଟକୁ ଭାରତ ସରକାର ବାଧ୍ୟତାମୂଳକ କରିଛନ୍ତି।
ବ୍ରିଟେନ ଷ୍ଟ୍ରେନ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟ ଦେଇ କହିଛନ୍ତି, ବ୍ରିଟେନ ଫେରନ୍ତାଙ୍କ ପାଇଁ ସମସ୍ତ ପ୍ରସ୍ତୁତି କରାଯିବା ସହ ଆମେ ସଜାଗ ଅଛୁ। ବ୍ରିଟେନ ଫେରନ୍ତାଙ୍କ RTPCR ଟେଷ୍ଟ ପାଇଁ ସବୁ ଏୟାରପୋର୍ଟକୁ କୁହାଯାଇଛି। ଯେଉଁ ପରିସ୍ଥିତି ଆସିବ, ସାମ୍ନା କରିବାକୁ ସଜାଗ ଅଛୁ ବୋଲି ଆଶ୍ୱାସନା ଦେଇଛନ୍ତି ମନ୍ତ୍ରୀ।
ସୂଚନାଥାଉ କି, ଡିସେମ୍ବର ୨୨ ରାତିରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସବୁ ଫ୍ଲାଇଟ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି। ତଥାପି ଗତ ସୋମବାର ରାତିରେ ଲଣ୍ଡନରୁ ଆସିଥିବା ଫ୍ଲାଇଟ୍ରେ ୬ ଜଣ ଯାତ୍ରା କୋଭିଡ ସଂକ୍ରମିତ ଥିବା ଜଣାପଡ଼ିବା ପରେ ସମସ୍ତଙ୍କର ଚିନ୍ତା ବଢିଯାଇଛି।
ଜଣେ ନୋଡାଲ ଅଧିକାରୀଙ୍କ କହିବା ଅନୁଯାୟୀ, ସୋମବାର ଆସିଥିବା ବିମାନର ସମସ୍ତ ଯାତ୍ରୀଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଇ ଦିଆଯାଇଥିଲା। ସମସ୍ତ ପଜିଟିଭ ଯାତ୍ରୀଙ୍କ ନମୂନା ପରୀକ୍ଷଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଫ୍ଲାଇଟ୍ରେ ଥିବା ଅନ୍ୟ ଯାତ୍ରୀଙ୍କୁ ୭ ଦିନ କ୍ୱାରେଣ୍ଟିନ୍ରେ ରହିବା ବାଧ୍ୟତାମୂଳକ କରାଯାଇଥିଲା।