ସୁଶାନ୍ତଙ୍କ ବିୟୋଗରେ ଦୁଃଖରେ ବିରାଟ: କହିଲେ, ସହି ହେଉନି

ମୁମ୍ୱାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କ୍ରିକେଟ୍ ଜଗତରେ ବି ଶୋକର ଛାୟା। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍‌ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଧୋନି ଦ ଅନ୍‌ଟୋଲ୍‌ଡ ଷ୍ଟୋରୀ’ରେ ଅଭିନୟ କରି କ୍ରିକେଟ୍ ଜଗତ ସହିତ ପରିଚିତ ହୋଇଥିଲେ ସୁଶାନ୍ତ। ବହୁ କ୍ରିକେଟର୍‌ଙ୍କ ସହିତ ତାଙ୍କର ଉତ୍ତମ ପରିଚୟ ମଧ୍ୟ ଥିଲା। ଆଜି ହଠାତ୍ ଆତ୍ମହତ୍ୟା ଖବର କ୍ରିକେଟ୍‌ ଜଗତକୁ ଦୋହଲାଇ ଦେଇଛି।

ସୁଶାନ୍ତଙ୍କ ବିୟୋଗରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ବିରାଟ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, “ସୁଶାନ୍ତଙ୍କ ବିୟୋଗକୁ ମୁଁ ବିଶ୍ୱାସ କରିପାରୁନି କି ସହି ମଧ୍ୟ ହେଉନାହିଁ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ। ଭଗବାନ ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ ଏ ପରିସ୍ଥିତିର ମୁକାବିଲା ପାଇଁ ଶକ୍ତି ଦିଅନ୍ତୁ।”

ଖବର ଅନୁଯାୟୀ, ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ  ଫାସୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ନେଇ ପ୍ରଥମେ ତାଙ୍କ ଘରୋଇ ସହାୟକ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି।

ଟେଲିଭିଜନ ଧାରାବାହିକରୁ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ସୁଶାନ୍ତ ସିଂହ ରାଜପୁତ। ୨୦୦୮ ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ହୋଇଥିବା ରୋମାଣ୍ଟିକ୍‌ ଡ୍ରାମା ସିରିଏଲ୍‌ ” କିସ୍‌ ଦେଶ୍‌ ମେ ହୈ ମେରା ଦିଲ୍‌ ” ଧାରାବାହିକ ଥିଲା ତାଙ୍କର ପ୍ରଥମ ହିନ୍ଦୀ ସିରିଏଲ୍‌।

You might also like