କୋହଲି ଓ ଟିମ୍‌ ଇଣ୍ଡିଆକୁ ଆତଙ୍କବାଦୀ ଧମକ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଦଳର ସଦସ୍ୟମାନଙ୍କ ଉପରେ ହମ୍‌ଲା କରିବାକୁ ଆତଙ୍କବାଦୀମାନେ ମସୁଧା କରିଛନ୍ତି। ଆସନ୍ତା ନଭେମ୍ବର ୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବ। ଏହି ସମୟରେ ଟିମ୍‌ ଇଣ୍ଡିଆ ଉପରେ ହମ୍‌ଲା କରିବାକୁ ଆତଙ୍କୀମାନେ ଷଡ଼ଯନ୍ତ୍ର କରୁଥିବା ଏକ ଚିଠି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)କୁ ମିଳିଛି।

ଏଥିରେ ଟିମ୍‌ ଇଣ୍ଡିଆ ଓ ବିରାଟ କୋହଲି ଆତଙ୍କୀଙ୍କ ଟାର୍ଗେଟରେ ଥିବା ଉଲ୍ଲେଖ କରାଯାଇଛି। ଏହି ସୂଚନା ମିଳିବା ପରେ ଟିମ୍‌ ଇଣ୍ଡିଆର ଖେଳାଳିମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

ଦିଲ୍ଲୀ ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚିଠିରେ ବିରାଟ ଓ ଟିମ୍‌ ଇଣ୍ଡିଆ ବ୍ୟତୀତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ନାଁ ରହିଛି। ଏମାନେ ମଧ୍ୟ ଆତଙ୍କୀଙ୍କ ଟାର୍ଗେଟରେ ରହିଛନ୍ତି।

ଏନ୍‌ଆଇଏ ଏହି ଚିଠିକୁ ବିସିସିଆଇ ପାଖକୁ ପଠାଇ ଦେଇଛି। ଏଥିରେ କୁହାଯାଇଛି ଯେ କେରଳର କୋଝିକୋଡ୍‌ରେ ଥିବା ଅଲ ଇଣ୍ଡିଆ ଲସ୍କର ନାମକ ଆତଙ୍କୀ ସଂଗଠନ ବିରାଟ କୋହଲି ଓ ଅନ୍ୟ ରାଜନେତାଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଛି। ଅବଶ୍ୟ ଏହି ଚିଠି କେବଳ ଡରାଇବା ପାଇଁ ଦିଆଯାଇ ଥାଇପାରେ। ହେଲେ ଦିଲ୍ଲୀ ପୁଲିସ୍‌ ଏହାକୁ ହାଲୁକା ଭାବେ ଆଦୌ ନେଇନାହିଁ। ବର୍ତ୍ତମାନ ମ୍ୟାଚ୍‌ ହେବାକୁ ଥିବା ଷ୍ଟାଡିୟମ ଏବଂ ପ୍ରତ୍ୟେକ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଉଛି।

You might also like