ଅପହରଣ ପରେ ଦୁଇ ଯାଆଁଳା ଭାଇଙ୍କୁ ନିର୍ମମ ହତ୍ୟା : ୬ ଗିରଫ

ଭୋପାଲ: ଅପହରଣ ପରେ ଦୁଇ ଯାଆଁଳା ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା ଘଟଣା ପୂରା ମଧ୍ୟପ୍ରଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି।। ମଧ୍ୟପ୍ରଦେଶ ଚିତ୍ରକୂଟ୍‌ର ବ୍ୟବସାୟୀ ବ୍ରିଜେଶ ରାୱାତଙ୍କ ଦୁଇ ପୁଅଙ୍କ ମୃତଦେହ ଉତ୍ତର ପ୍ରଦେଶର ବନ୍ଦାରୁରୁ ଉଦ୍ଧାର କରାଯାଇଛି।

ପାହାଡ଼ ତଳୁ ଯମୁନା ନଦୀ କୂଳରୁ ଶବ ଉଦ୍ଧାର କରିବା ସହ ୬ ଜଣକୁ ଗିରଫ କରିଛି ପୁଲିସ। ଏହାସହ ଧୀରେ ଧୀରେ ଘଟଣା ଉପରୁ ପରଦା ହଟିବାରେ ଲାଗିଛି। ମୁଖ୍ୟ ଅଭିଯୁକ୍ତ ପଦମ୍ ଶୁକ୍ଲାର ବୟାନକୁ ଆଧାର କରି ତଦନ୍ତ ଆଗକୁ ବଢ଼ିଛି। ଗତ ୨୧ ତାରିଖ ଦିନ ଦୁଇ ଭାଇଙ୍କୁ ହତ୍ୟା କରାଯାଇଥିବା ରେୱା ଆଇଜି ଚଞ୍ଚଲ ଶେଖର କହିଛନ୍ତି।

ମୁଖ୍ୟ ଅଭିଯୁକ୍ତ ପଦମ୍ ଶୁକ୍ଲା ବଜରଙ୍ଗ ଦଳର ସକ୍ରିୟ ସଦସ୍ୟ ବୋଲି ଜଣାପଡ଼ିଛି। ତା’ ଛଡ଼ା ଅପହରଣ ପାଇଁ ଯେଉଁ ସବୁ ବାଇକ୍ ଓ କାର ଜବତ ହୋଇଥିଲା, ସେଥିରେ ବଜରଙ୍ଗ ଦଳ ବୋଲି ଲେଖାଯାଇଥିବାରୁ ଘଟଣାକୁ ଗୁରୁତ୍ୱ ସହ ନିଆଯାଇଛି।

ଘଟଣାକୁ ନେଇ ଡିସେମ୍ବରରେ ଶପଥ ନେଇଥିବା କମଳନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ି ଯାଇଥିବା ଅଭିଯୋଗ ହୋଇଛି। ଏହାସହ ପୁଲିସର ଅପାରଗତାକୁ ଦାୟୀ କରି ରାସ୍ତାକୁ ଓହ୍ଲାଇଛନ୍ତି ଚିତ୍ରକୂଟବାସୀ। ତେବେ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଫେବ୍ରୁଆରୀ ୧୨ ତାରିଖରେ ଚିତ୍ରକୂଟରୁ ବ୍ୟବସାୟୀ ବ୍ରିଜେଶ ରାୱତଙ୍କ ୬ ବର୍ଷର ଦୁଇ ଯାଆଁଳା ପୁଅଙ୍କୁ ଅପହରଣ କରାଯାଇଥିଲା। ଦୁଇ ମୁଖା ପିନ୍ଧା ବ୍ୟକ୍ତି ସ୍କୁଲ ବସ୍ ଭିତରୁ ଉଭୟଙ୍କୁ ବନ୍ଧୁକ ମୁନ୍‌ରେ ଅପହରଣ କରିଥିଲେ। ଏହାପରେ ପ୍ରଥମେ ମଧ୍ୟପ୍ରଦେଶ ଓ ପରେ ଉତ୍ତର ପ୍ରଦେଶକୁ ନେଇଥିଲେ ଅପହରଣକାରୀ। ବ୍ରିଜେଶଙ୍କଠୁ ଅପହରଣକାରୀ ୨ କୋଟି ଟଙ୍କା ଦାବି କରିଥିଲେ।

କିସ୍ତି ହିସାବରେ ଏହି ଟଙ୍କା ପହଞ୍ଚାଇବାକୁ କୁହାଯାଇଥିଲା। ଏପରିକି ୨୦ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଟଙ୍କା ନେବା ପରେ ବି କାହିଁକି ଦୁଇ ଶିଶୁଙ୍କ ହତ୍ୟା କରାଗଲା ? କେବଳ ଟଙ୍କା ପାଇଁ ନା ଏହା ପଛରେ ରହିଛି ଆଉ କିଛି କାରଣ ? ଏଦିଗରେ ତଦନ୍ତକୁ ବଢ଼ାଇଛି ମଧ୍ୟପ୍ରଦେଶ ପୁଲିସ।

You might also like