ନିର୍ବାଚନ ଫଳାଫଳ ବାହାରିବା ପରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ

କୋଲକାତା: ପଶ୍ଚିମବଙ୍ଗରେ ତୃୃଣମୃଳ କଂଗ୍ରେସ(ଟିଏମ୍‌ସି)ର ବିପୁଳ ବିଜୟ ହୋଇଛି। ୨୯୨ଟି ଆସନରୁ ଟିଏମ୍‌ସିକୁ ୨୧୩ ଆସନ ମିଳିଛି। ବିପୁଳ ବହୁମତ ସହ ଦିଦିଙ୍କୁ ପିନ୍ଧାଇଛନ୍ତି ବିଜୟ ମୁକୁଟ। ତେବେ ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ ହୋଇ ଥିବାବେଳେ ନନ୍ଦିଗ୍ରାମରେ ମମତାଙ୍କୁ ପରାଜୟ ଦେଖିବାକୁ ପଡ଼ିଛି। ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, ବିଜେପିର ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ୧,୭୩୬ ଭୋଟରେ ପରାସ୍ତ କରିଛନ୍ତି। ସେପଟେ ସବୁ ଚେଷ୍ଟା, ସବୁ କସରତ ସତ୍ତ୍ୱେ ବଙ୍ଗ ଅଧିକାର କରିବାରେ ବିଫଳ ହୋଇଛି ବିଜେପି। ବିଜେପିକୁ ମାତ୍ର ୭୭ଟି ଆସନ ମିଳିଛି।

ଅନ୍ୟପକ୍ଷେ, ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଜେପି ପାର୍ଟି ଅଫିସ୍ ଜାଳିବା ସହ ବିଜେପି କର୍ମୀଙ୍କୁ ମାଡ଼ମରା ଯାଇଥିବା ଅଭିଯୋଗ ହୋଇଛି। ଏସବୁ ପଛରେ ଟିଏମ୍‌ସି କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ ଆଣିଛି। ନିର୍ବାଚନ ଫଳାଫଳ ନିଜ ପକ୍ଷରେ ଆସିବା କ୍ଷଣି ଟିଏମ୍‌ସି କର୍ମୀ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ଆରାମବାଗ୍‌ ସ୍ଥିତ ବିଜେପି ଅଫିସ୍‌ରେ ଟିଏମ୍‌ସି କର୍ମୀ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହାସହ ବେଲାଘାଟରେ ବିଜେପି କର୍ମୀଙ୍କୁ ଆକ୍ରମଣ କରିବା ସହ ଶିବପୁର, ଦୁର୍ଗାପୁରରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ଟିଏମ୍‌ସି କର୍ମୀଙ୍କ ଏଭଳି ହିଂସାକାଣ୍ଡ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦାବି କରିଛନ୍ତି। କ୍ଷମତାରେ ପୁଣି ଆସିବା ପରେ ଆସନ୍ତା ୫ ବର୍ଷ ଯାଏ ଏହା ହିଁ ଟିଏମ୍‌ସି କରିବ ବୋଲି ସେ କହିଛନ୍ତି। ସେପଟେ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିଜେପି ଆଇଟି ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ।

ନନ୍ଦିଗ୍ରାମରେ ମମତାଙ୍କୁ ପରାଜୟ କରିଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କାର୍‌ ଉପରକୁ ଗତକାଲି ହଲଦିଆ ନିକଟରେ ଆକ୍ରମଣ ହୋଇଛି। ଭୋଟ୍‌ ଗଣତି କେନ୍ଦ୍ର ବାହାରେ ଏହି ଆକ୍ରମଣ ହୋଇଛି। ଆକ୍ରମଣ ପଛରେ ଟିଏମ୍‌ସି କର୍ମୀଙ୍କ ହାତ ଥିବା ଅଭିଯୋଗ ହୋଇଛି। ଶୁଭେନ୍ଦୁ କାରରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ କାରର କାଚକୁ ଟେକାପଥର ମାଡ଼ କରିଥିଲେ।

ଅନ୍ୟପକ୍ଷେ, ନନ୍ଦିଗ୍ରାମ ପରାଜୟକୁ ସ୍ୱୀକାର କରିଥିଲେ ବି ଭୋଟ୍ ଗଣତିରେ ହେର୍‌ଫେର୍‌ ଅଭିଯୋଗ ସହ ଏହା ବିରୋଧରେ କୋର୍ଟ ଯିବେ ବୋଲି ମମତା ବାନାର୍ଜୀ କହିଛନ୍ତି।  ମମତା କହିଛନ୍ତି, ନନ୍ଦିଗ୍ରାମ ଫଳାଫଳକୁ ସେ ଗ୍ରହଣ କରୁଛନ୍ତି। କିନ୍ତୁ ଭୋଟ୍ ଗଣତିରେ ହୋଇଥିବା ଏପଟ ସେପଟ ନେଇ ସେ ଅବଗତ ଅଛନ୍ତି ଏବଂ ତାର ଖୁଲାସା କରିବେ।

ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ ପାଇଁ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆରେ ଜଣାଇଥିବା ଶୁଭେଚ୍ଛା ବାର୍ତ୍ତାରେ ମୋଦି ଉଲ୍ଲେଖ କରିଛନ୍ତି, ରାଜ୍ୟବାସୀଙ୍କ ଅଭିଳାଷ ପୂରଣ ପାଇଁ ବଙ୍ଗ ସରକାରଙ୍କୁ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ହାତ ଖୋଲା ରଖିବେ।

You might also like