ମଞ୍ଚ ଉପରେ ବେହୋସ୍ ହେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ନିମ୍ନ ରକ୍ତଚାପ ଯୋଗୁଁ ଭାଷଣ ଦେବା ବେଳେ ହଠାତ୍ ଅଚେତ ହୋଇ ପଡିଗଲେ ବିଜୟ ରୂପାନୀ

ଅହମ୍ମଦାବାଦ: ଭାଷଣ ଦେବାବେଳେ ମଞ୍ଚ ଉପରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ଗୁଜରାଟ ମୁଖ୍ୟମନ୍ତ୍ରୀ। ବଡୋଦରାର ନିଜାମପୁରରେ ମେହସାନାନଗରରେ ରବିବାର ସନ୍ଧ୍ୟାରେ ଏକ ଜନ ସମାବେଶରେ ନଗରପାଳିକା ନିର୍ବାଚନ ପାଇଁ ଭାଷଣ ଦେବା ବେଳେ ବେହୋସ୍ ହୋଇଗଲେ ବିଜୟ ରୂପାନୀ। ତେବେ ଏହି ଅଘଟଣ ପରେ ତୁରନ୍ତ ତାଙ୍କର କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଥିଲା। ମଞ୍ଚ ଉପରେ ହିଁ ପ୍ରାଥମିକ ଚିକିତ୍ସା କରିବା ପରେ ନିଜେ ଶିଡ଼ିରେ ଓହ୍ଲାଇ ତଳକୁ ଆସିଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ।

ନଗରପାଳିକା ନିର୍ବାଚନ ପ୍ରଚାର ପାଇଁ ଗତକାଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ବଡୋଦରାର ନିଜାମପୁରରେ ପହଞ୍ଚିଥିଲେ।  ଆଉ ସେଠାରେ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ହଠାତ୍ ଚେତା ହରାଇ ଖସିପଡ଼ିଥିଲେ।  ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ଗଳିପଡ଼ିଥିଲେ। ତେବେ ମଞ୍ଚ ଉପରେ ହିଁ ଡାକ୍ତର ବିଜୟ ରୂପାନୀଙ୍କ ଚିକିତ୍ସା କରିଥିଲେ।

ଯାଂଚ ପରେ ବିଜୟ ରୂପାନୀଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍‌ ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ରକ୍ତଚାପ କମିଯାଇ ଥିବାରୁ ମୁଣ୍ଡ ବୁଲାଇ ଖସିପଡ଼ିଥିଲେ। ଡାକ୍ତର କହିଛନ୍ତି, ଏବେ ଚିନ୍ତାର କୌଣସି ବିଷୟ ନାହିଁ। ତାଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ରଖାଯାଇଥିଲା। ବର୍ତ୍ତମାନ ଚିକିତ୍ସା ପରେ ରୂପାନୀ ଅହମ୍ମଦାବାଦ ଫେରି ଯାଇଛନ୍ତି।

ବଡୋଦରା ନିଜାମପୁରରେ ଏହା ବିଜୟ ରୂପାନୀଙ୍କ ତୃତୀୟ ନିର୍ବାଚନ ରାଲି ଥିଲା। ତରସାଲି ଏବଂ କରେଲିବାଗରେ ନିର୍ବାଚନ ପ୍ରଚାର କରିବା ପରେ ନିଜାମପୁର ପହଞ୍ଚିଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ। ସୋସିଆଲ ମିଡ଼ିଅଆରେ ସେ ଖସି ପଡ଼ୁଥିବାର ଦୃଶ୍ୟ ମହଜୁଦ୍ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟରୁ ଏହି ଭିଡ଼ିଓ ସେୟାର କରାଯାଇଛି। ବଡୋଦରା ସମେତ ୬ଟି ନଗରନିଗମରେ ଆସନ୍ତା ଫେବ୍ରୁଆରୀ ୨୧ ତାରିଖ ଦିନ ନିର୍ବାଚନ ହେବ। ଏହାପରେ ନଗରପାଳିକା, ଜିଲ୍ଲା ଏବଂ ତାଲୁକା ପଞ୍ଚାୟତ ପାଇଁ ୨୮ ତାରିଖରେ ଭୋଟ ଗ୍ରହଣ ହେବ। 

ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜୟ ରୁପାନୀ ଆଜିକାଲି ବହୁତ ବ୍ୟସ୍ତ ରହୁଛନ୍ତି। ଗୋଟିଏ ପରେ ଗୋଟିଏ,  ନିର୍ବାଚନ ସଭାରେ ଯୋଗ ଦେଉଛନ୍ତି। ଥକାପଣ ଏବଂ ଚାପ ଯୋଗୁଁ ନିମ୍ନ ରକ୍ତଚାପର କାରଣ ହୋଇପାରେ ବୋଲି ଡାକ୍ତର କହିଛନ୍ତି । ଗତ ଦୁଇ ଦିନ ଧରି ରୁପାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା ବୋଲି ସ୍ଥାନୀୟ ନେତା କହିଛନ୍ତି। ଏହା ସତ୍ତ୍ୱେ ସେ ଶନିବାର ଜାମନଗରରେ ସଭାରେ ଯୋଗଦେବା ପାଇଁ ପହଞ୍ଚିଥିଲେ।

You might also like