ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲା; ବିପ୍ଳବୀ କବି ଭରଭରା ରାଓ ଗିରଫ

ହାଇଦ୍ରାବାଦ/ ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ‘ଷଡ଼ଯନ୍ତ୍ର’ ଅଭିଯୋଗରେ ପୁଣେ ପୁଲିସ୍‌ ଆଜି ପ୍ରଖ୍ୟାତ ବିପ୍ଳବୀ କବି ତଥା ମାଓ ଚିନ୍ତକ ଭରଭରା ରାଓଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଭରଭରାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ସାମ୍ବାଦିକ, ଜଣେ ପ୍ରଫେସର ଅଛନ୍ତି। ମାଓବାଦୀ ମାନଙ୍କ ସହ ଲିଙ୍କ ଥିବା ଅଭିଯୋଗରେ ପୁଣେ ପୁଲିସ ଅାଜି ଦିଲ୍ଲୀ, ଫରିଦାବାଦ, ଗୋଅା, ମୁମ୍ବାଇ, ରାଞ୍ଚି, ହାଇଦ୍ରାବାଦରେ ଚଢଉ କରିଥିଲା।

ପୁଣେ ପୁଲିସ୍‌ ଶ୍ରୀ ରାଓଙ୍କ ପରିବାର ଓ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିବା ପରେ ତାଙ୍କୁ ହାଇଦ୍ରାବାଦ୍‌ରୁ ଗିରଫ କରିଛି। ଗିରଫ ହେବା ପରେ ଶ୍ରୀ ରାଓଙ୍କୁ ଗାନ୍ଧି ହସ୍ପିଟାଲ୍‌ରେ ମେଡିକାଲ୍‌ ଚେକ୍‌-ଅପ୍‌ ପାଇଁ ପଠାଯାଇଥିଲା। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ପୁଣେ ନିଆଯାଇଛି।

ମୋଦିଙ୍କୁ ହତ୍ୟା କରିବାକୁ ଯେଉଁ ଚିଠି ଲେଖାଯାଇଥିଲା, ତା ପଛରେ ଶ୍ରୀ ରାଓଙ୍କ ହାତ ରହିଛି ବୋଲି ପୁଲିସ୍‌ କହିଛି।

ଜୁନ୍‌ ମାସରେ ଭୀମା କୋରେଗାଓଁ ହିଂସା ଘଟଣାରେ ପୁଲିସ୍‌ ଗିରଫ କରିଥିବା ୫ ଜଣ ଅଭିଯୁକ୍ତଙ୍କ ଘରେ ପୁଣେ ପୁଲିସ୍‌ ଚଢ଼ଉ କରିଥିଲା। ଏହି ସମୟରେ ଜଣେ ଅଭିଯୁକ୍ତଙ୍କ ଘରୁ ପୁଲିସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନକ୍ସଲମାନେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିବାକୁ ଚାହୁଁଥିବା ଉଲ୍ଲେଖ ଥାଇ ଏକ ଚିଠି ଜବତ କରିଥିଲା। ଏହି ଚିଠିଟିକୁ ‘ଆର୍‌’ ନାମକ ଜଣେ ବ୍ୟକ୍ତି ଲେଖିଥିବା ଜଣାପଡ଼ିଥିଲା।

ପୁଲିସ୍‌ ଏହାକୁ ଆଧାର କରି ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଫରିଦାବାଦରୁ ସାମାଜିକ କର୍ମୀ ସୁଧା ଭରଦ୍ୱାଜ, ହାଇଦ୍ରାବାଦରୁ ଭରଭରା ରାଓ, ଦିଲ୍ଲୀରୁ ଗୌତମ ନଭଲଖା, ମୁମ୍ବାଇରୁ ଅରୁଣ ପେରିୟାର ଓ ଭେନନ୍‌ ଗନ୍‌ସାଲଭେଜଙ୍କୁ ମୁମ୍ବାଇରୁ ଗିରଫ କରାଯାଇଛି। ସେହିପରି ଫାଦର୍‌ ଷ୍ଟନ୍‌ ସ୍ୱାମୀଙ୍କୁ ରାଞ୍ଚିରୁ ଓ ତେଲେଙ୍ଗାନାରୁ କ୍ରାନ୍ତିଙ୍କୁ ମଧ୍ୟ ପୁଲିସ୍‌ ନିଜ ହେପାଜତକୁ ନେଇଛି। ଏହା ବ୍ୟତୀତ ପୁଲିସ୍‌ ଚଢଉ ହୋଇଥିବା ବିଭିନ୍ନ ସ୍ଥାନରୁ ଲ୍ୟାପଟପ୍‌, ପେନ୍‌ ଡ୍ରାଇଭ୍‌ ଓ କେତେକ ଦସ୍ତାବିଜ ଜବତ କରିଛି।

ପୁଲିସ୍‌ ଏପରି କାର୍ଯ୍ୟାନୁଷ୍ଠାନକୁ ସାମାଜିକ କର୍ମୀ ତଥା ପ୍ରଖ୍ୟାତ ଲେଖକ ଅରୁନ୍ଧତୀ ରାୟ ବିରୋଧ କରିଛନ୍ତି। ଯେଉଁମାନେ ଲୋକଙ୍କୁ ପିଟିପିଟି ହତ୍ୟା କରୁଛନ୍ତି ଏବଂ ଦିନ ଦ୍ଵିପ୍ରହରରେ ଲୋକଙ୍କୁ ହତ୍ୟା କରୁଛନ୍ତି,ପୁଲିସ୍‌ ସେମାନଙ୍କୁ ଗିରଫ କରିବା ଦରକାର। କିନ୍ତୁ ଏଠି ପୁଲିସ୍‌ ଲୋକଙ୍କ ପାଇଁ ଲଢ଼େଇ କରୁଥିବା ଲୋକଙ୍କୁ ଗିରଫ କରୁଛି ବୋଲି ସେ କହିଛନ୍ତି।

You might also like