ଭୟ ସୃଷ୍ଟି କରୁଛି ସଂକ୍ରମଣ : କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହକୁ ପ୍ରବେଶ ଉପରେ କଟକଣା

ମଙ୍ଗଳ ଆଳତିର ଟିକେଟ ବୁକିଂ ବନ୍ଦ

ବାରାଣାସୀ : ଧର୍ମନଗରୀ ବାରାଣାସୀରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏଥର ପୂର୍ବାପେକ୍ଷା କମ  ସମୟ ମଧ୍ୟରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଫଳରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୀରେ ଧୀରେ ମନ୍ଦିର ଓ ମଠ ଉପରେ ପ୍ରଭାବ ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଆସ୍ଥାର କେନ୍ଦ୍ର କାଶୀ ବିଶ୍ୱନାଥ ମନ୍ଦିର ଗର୍ଭଗୃହରେ ପ୍ରବେଶ ଉପରେ ରୋକ ଲଗାଇ ଦିଆଯାଇଛି । ନୂଆ କଟଟଣା ଜାରି ହେବା ଦ୍ୱାରା ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବପାରିବ ନାହିଁ କିମ୍ବା ଶିବଲିଙ୍ଗକୁ ସ୍ପର୍ଶ କରିପାରିବେ ନାହିଁ ।

କଟକଣାକୁ କଡ଼ାକଡ଼ି କରି ମନ୍ଦିର ବାହାରେ ନୋଟିସ୍ ଲଗାଇଦେଇଛି ମନ୍ଦିର ପ୍ରଶାସନ । ତେବେ ବାହାରେ ପାଣି ଢ଼ାଲିଲେ ଯେପରି ବାବାଙ୍କୁ ଅର୍ପିତ ହୋଇପାରିବ ସେପରି ବ୍ୟବସ୍ଥା କରାଯାଇଛି । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ କେବଳ ବାହାରୁ ଦର୍ଶନ ବ୍ୟବସ୍ଥା ହୋଇଛି । ହେଲେ ଶିବଲିଙ୍ଗକୁ ସ୍ପର୍ଶ କରିବା ସମ୍ପୂର୍ଣ୍ଣ ମନା ହୋଇଛି । ଅନ୍ୟପଟେ ମଙ୍ଗଳ ଆଳତି ପାଇଁ ମଧ୍ୟ କଟକଣା ଜାରି କରାଯାଇଛି । ମଙ୍ଗଳ ଆଳତି ପାଇଁ ଟିକେଟ ବୁକିଂ ବନ୍ଦ କିରି ଦିଆଯାଇଛି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବନ୍ଦ ରହିବ । ପ୍ରତିଦିନ ଏଠାକୁ ହଜାର ହଜାର ଭକ୍ତି ଦର୍ଶନ କରିବା ପାଇଁ ଆସୁଥିବାରୁ ସଂକ୍ରମଣ ଆଶଙ୍କା ବଢ଼ି ଯାଇଛି, ଆଉ ଏଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।

କେବଳ କାଶୀ ବିଶ୍ୱନାଥ ମନ୍ଦିର ନୁହେଁ ସଙ୍କଟ ମୋଚକଙ୍କ ମନ୍ଦିରରେ ମଧ୍ୟ କରୋନା ପ୍ରଭାବ ପଡ଼ିଛି । ଏବେ ଠାରୁ ଆଉ ପ୍ରସାଦ ଭାବରେ ମିଳୁଥିବା ଚରଣାମୃତ ମିଳିବ ନାହିଁ । କେବଳ ଏତିକି ନୁହେଁ ଭଗବାନଙ୍କ ନିକଟରେ ଲାଗି ହେଉଥିବା ଫୁଲ ଏବଂ ଫୁଲମାଳ ଆଣିବା ପାଇଁ ମଧ୍ୟ ଭିନ୍ନ ନିର୍ଦ୍ଦେଶ ଦିଆଯାଇଛି । ସଙ୍କଟ ମୋଚକ ମନ୍ଦିରରେ ଫୁଲ ମାଳ ଫୁଲ ଟୋକେଇରେ ରଖିବାକୁ ପଡ଼ିବ, ଯାହା ପ୍ରତି ୪ ଘଣ୍ଟାରେ ହନୁମାନଜୀଙ୍କୁ ଚଢ଼ାଯିବ । ଭିତରକୁ କେହି ପ୍ରବେଶ କରିବେ ନାହିଁ । ସଙ୍କଟ ମୋଚକଙ୍କ ସକାଳ ଓ ରାତି ଆଳତିରେ କେବଳ ଦୁଇରୁ ୩ ଜଣ ପୂଜକ ସାମିଲ ହେବେ ।

ଗତକାଲି  ୯୨୯ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବାରାଣାସୀରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି ମହାମାରୀ । ପୂର୍ବରୁ ଗୋଟିଏ ଦିନରେ କେବେ ଏତେ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ସେହିପରି ଗତକାଲି ମହାମାରୀ ଜଣଙ୍କର ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ଏଠାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ ହଜାର ଛୁଇଁଛି। ଏହାରି ମଧ୍ୟରେ ବାରାଣାସୀ ଡିଏମ  କୋଶଲରାଜ ଶର୍ମା ମଧ୍ୟ ଅସୁସ୍ଥ ହୋଇପଡିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈକରେ ମଧ୍ୟ ପହଞ୍ଚି ପାରିନାହାନ୍ତି । ତେବେ କୋଶଲରାଜ  କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଏ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଆସିନାହିଁ।

 

 

You might also like