ବାଜପେୟୀଙ୍କ ଅସ୍ଥି ବିସର୍ଜନ ପାଇଁ ବିଶାଳ ଶୋଭାଯାତ୍ରା

ଜନସମୁଦ୍ର ପାଲଟିଲା ହରିଦ୍ୱାର ସହର

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ସମ୍ମାନ ଜଣାଇ ଜନସମୁଦ୍ର ପାଲଟିଲା ହରିଦ୍ୱାର ସହର। ଝିଅ ନମିତା ଭଟ୍ଟାଚାର୍ଯ୍ୟ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରୁ ତାଙ୍କ ଅସ୍ଥି ସଂଗ୍ରହ କରିବା ପରେ ହରିଦ୍ୱାର ଯାଇଥିଲେ। ଏଥିପାଇଁ ହରିଦ୍ୱାରରେ ବ୍ୟାପକ ଅାୟୋଜନ କରାଯାଇଥିଲା।

ବାଜପେୟୀଙ୍କ ଅସ୍ଥିକୁ ଏକ ବିରାଟ ଶୋଭାଯାତ୍ରାରେ ଗଙ୍ଗାଘାଟକୁ ନିଅାଯାଇଥିଲା। ହଜାର ହଜାର ଜନତା ଏଥିରେ ସାମିଲ ହୋଇଥିଲେ। ଏଥିରେ ଯୋଗ ଦେଇଥିଲେ ବିଜେପି ସଭାପତି ଅମିତ ଶାହା, କେନ୍ଦ୍ରଗୃହମନ୍ତ୍ରୀ ରାଜନାଥ ସିଂହ, ୟୁପିର ମୁଖ୍ୟମନ୍ତ୍ରୀ ଯୋଗି ଅାଦିତ୍ୟନାଥ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଗଙ୍ଗାନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯାଇଛି।


ବାଜପେୟୀଙ୍କ ରାଜନୈତିକ ଜୀବନର ବହୁ ସମୟ ଉତ୍ତରପ୍ରଦେଶରେ କଟିଛି। ତେଣୁ ୟୁପି ସରକାର ନିଜ ରାଜ୍ୟର ବିଭିନ୍ନ ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ ପାଇଁ ସ୍ୱତନ୍ତ୍ର ଅାୟୋଜନ କରିଛନ୍ତି। କେବଳ ୟୁପି ନୁହେଁ ଅାନ୍ଧ୍ରପ୍ରଦେଶ, ଗୁଜରାଟ, ଓଡ଼ିଶା, ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ତେଲେଙ୍ଗାନାର ବିଭିନ୍ନ ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ। ଦେଶର ୧୦୦ଟି ସ୍ଥାନରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରିବାର ଯୋଜନା କରିଛି ବିଜେପି।

ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ତିନି ଦିନ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦିଲ୍ଲୀ ଏମ୍‌ସରେ ପରଲୋକ ହୋଇଥିଲା। ଏହା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନ ଜଣାଇ ୭ଦିନିଅା ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।

You might also like