ମାସେ ଭିତରେ ଦୂର ହେବ ଟିକା ଅଭାବ ସମସ୍ୟା ! କେନ୍ଦ୍ର ସରକାର ଦେବେ ପ୍ରାୟ ୬ କୋଟି ଡୋଜ

ନୂଆଦିଲ୍ଲୀ: ଖୁବଶୀଘ୍ର ଦୂର ହେବ ଭ୍ୟାକ୍ସିନ ଅଭାବ ସମସ୍ୟା । ଆସନ୍ତା ଜୁନ୍ ୧୫ ସୁଦ୍ଧା ରାଜ୍ୟଗୁଡିକୁ ମିଳିବ ୫ କୋଟି ୮୬ ଲକ୍ଷ ୨୯ ହଜାର ଡୋଜ୍ କରୋନା ଟିକା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସବୁ ଟିକା ମାଗଣାରେ ଯୋଗାଇ ଦିଆଯିବ । ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୫ ଜୁନ୍ ପର୍ଯ୍ୟନ୍ତ ରାଜ୍ୟଗୁଡିକୁ ଟିକା ଯୋଗାଣ ନେଇ ଆଗୁଆ ସୂଚନା ଦିଆଯାଇଛି । ଟିକା ଉତ୍ପାଦନକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟମାନଙ୍କ ସିଧାସଳଖ କ୍ରୟ ପାଇଁ ଜୁନ ଶେଷ ସୁଦ୍ଧା ୪ କୋଟି ୮୭ ଲକ୍ଷ ୫୫ ହଜାର ଡୋଜ୍ ଟିକା ଉପଲବ୍ଧ ହେବ ।

ସେହିପରି ଦେଶରେ ସୁରୁଖୁରୁରେ ଟିକାକରଣକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡିକୁ ବିଭିନ୍ନ ପରାମର୍ଶ ଦିଆଯାଇଛି । କୋଭିଡ୍ ଟିକା ଦେବା ପାଇଁ ଜିଲ୍ଲା ସ୍ତରୀୟ କୋଭିଡ୍ ଟିକାକରଣ କେନ୍ଦ୍ରର ଯୋଜନା ପ୍ରସ୍ତୁତ କରାଯିବ । ଲୋକଙ୍କ ମଧ୍ୟରେ ସଚେଚତନା ସୃଷ୍ଟି କରିବା ପାଇଁ ଏଭଳି ଯୋଜନା ବିଷୟରେ ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରଚାର କରିବା ଆବଶ୍ୟକ । ଉଭୟ ସରକାରୀ ଏବଂ ଘରୋଇ ଟିକାକରଣ କେନ୍ଦ୍ର, କୋଓ୍ୱିନ୍ ଡିଜିଟାଲ୍ ପ୍ଲାଟଫର୍ମରେ ଆଗୁଆ ନିଜର ଟିକାକରଣ ସୂଚୀ ପ୍ରକାଶ କରିବେ । ଟିକାକରଣ କେନ୍ଦ୍ରରେ ଯେଭଳି ଅଧିକ ଭିଡ ନ ହେବେ ଏବଂ କୋଓ୍ୱିନରେ ବୁକିଂ ପ୍ରକ୍ରିୟାରେ ଯେଭଳି କୌଣସି ଅସୁବିଧା ନ ହେବ ତାହା ନିଶ୍ଚିତ କରିବେ ।

ଅନ୍ୟପଟେ ଦେଶର କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ଏହାକୁ ରୋକିବା ପାଇଁ ବିଭିନ୍ନ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରଖିଛନ୍ତି । ଏହାସହ ବିହିତ ପଦକ୍ଷେପ ମଧ୍ୟ ନେଉଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ରାଜ୍ୟମାନେ ଚାହିଁଲେ ଲକଡାଉନ-ସଟଡାଉନ ଘୋଷଣ କରିପାରିବେ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏମିତିକି ଯେଉଁ ଅଞ୍ଚଳରେ କରୋନା ସଂକ୍ରମଣ ଅଧିକ ଦେଖାଯାଉଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି । ଖାଲି ସେତିକି ନୁହେଁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅଯଥା ବାହାରେ ବୁଲିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ଗ୍ରାମାଞ୍ଚଳ ରହିଛି । କାରଣ କରୋନା ପ୍ରଥମ ଲହରରେ ସଂକ୍ରମଣ ଗ୍ରାମାଞ୍ଚଳକୁ ଯେତିକି ପ୍ରଭାବିତ କରିନଥିଲା ଏହି ଦ୍ୱିତୀୟ ଲହରରେ ଅଧିକ ପ୍ରଭାବିତ କରିଛି । ଏବେ ଗାଁ ଗୁଡ଼ିକରେ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପୁଥିବା ଦେଖାଯାଇଛି । ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳରୁ ଏପ୍ରିଲରେ ୫୧ ପ୍ରତିଶତ ଓ ମେ’ରେ ଏଯାଏଁ ୫୭ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଆଗକୁ ଗାଁ ଗୁଡ଼ିକ ହଟସ୍ପଟ୍ ପାଲଟିବ ବୋଲି ଆଶଙ୍କା କରାଯାଉଛି । ତେଣୁ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ବ୍ୟାପକ ସର୍ଭେ, ଟେଷ୍ଟିଂ ଓ ଆଇସୋଲେସନ୍ ବ୍ୟବସ୍ଥା କରିବାକୁ ଜୋର ଦିଆଯାଉଛି ।

You might also like