ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଚାଲିବ ଟିକା ଉତ୍ସବ

ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ଟିକାକରଣ ଅଭିଯାନରେ ସାମିଲ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ,ଟିକାର ଶୂନ୍ୟ ଅପଚୟ ଉପରେ ଧ୍ୟାନ ଦେବାକୁ ମୋଦିଙ୍କ ଗୁରୁତ୍ୱ 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ  ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ ପାଳନ ହେବ । ମହାନ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ  ଜୟନ୍ତୀରୁ ଏହି ଟିକା ଉତ୍ସବ ଆରମ୍ଭ ହୋଇ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶେଷ ହେବ । ଯୋଗ୍ୟ ବିବେଚିତ ଲୋକମାନଙ୍କୁ କେମିତି ଅଧିକରୁ ଅଧିକ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ ସେ ନେଇ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ଟିକାର ଶୂନ୍ୟ ଅପଚୟକୁ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଟିକା ନେଲା ପରେ ବି ମାସ୍କ ପିନ୍ଧନ୍ତୁ, ଅବହେଳା କରନ୍ତୁ ନାହିଁ  । ରାଜ୍ୟପାଳଙ୍କ ଜରିଆରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଏକାଠି କରାଯାଇ ସଚେତନତା ସୃଷ୍ଟି କରାଯାଉ ବୋଲି ମୋଦି କହିନ୍ତି ।  ଦେଶରେ କରୋନା ସ୍ଥିତି ଯେଉଁଭଳି ଭାବେ  କଠିନ ପରିସ୍ଥିତି କରୁଛି, ସେଥିପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଆଦ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ  । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟିକା ଉତ୍ସବରେ ଯୋଗଦେବାକୁ ରାଜ୍ୟର ଜନତାଙ୍କୁ ଅପିଲ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗତକାଲିର ତଥ୍ୟ ଅନୁସାରେ ଭାରତ ୮୫ ଦିନରେ ୧୦୦ କୋଟି ଲୋକଙ୍କର ଟିକାକରଣ କରାଯାଇଛି । ଫଳରେ ଭାରତ ବିଶ୍ୱର ଦ୍ରୁତତମ ଟିକାକରଣ ଅଭିଯାନ ଚଳାଉଥିବା ଦେଶରେ ପରିଣତ ହୋଇଛି।  ଆମେରିକାରେ ୧୦ କୋଟି ଡୋଜ ଟିକାକରଣ ପାଇଁ ୮୯ ଦିନ ସମୟ ଲାଗିଥିବାବେଳେ ଚୀନ୍ ଏଥିପାଇଁ ୧୦୨ ଦିନ ସମୟ ନେଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭାରତରେ ଦ୍ରୁତତମ ଟୀକାକରଣ ଦର୍ଶାଉଥିବା ଏକ ଚାର୍ଟକୁ ଟୁଇଟ୍ କରି  କୋଭିଡ୍ ମୁକ୍ତ ଭାରତ ପାଇଁ ଏହା ଶକ୍ତିଶାଳୀ ପ୍ରୟାସ ବୋଲି ଦର୍ଶାଯାଇଛି ।

ଦେଶରେ ବର୍ତ୍ତମାନ ମହାମାରୀର ସ୍ଥିତି ଭୟଙ୍କର ରହିଛି । ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ହସ୍ପିଟାଲରେ ବେଡ଼ର ଅଭାବ ମଧ୍ୟ ଦେଖାଦେଇଛି । ଗତକାଲି ଦେଶରେ ୧,୪୫,୩୮୪ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୭୯୪ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲିର ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛି।

ସେପଟେ ଗତକାଲି ଓଡ଼ିଶାରେ ପହଞ୍ଚିଛି ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ କୋଭିସିଲଡ ଟିକା ପହଞ୍ଚିବା ପରେ ଏଗୁଡିକୁ ସବୁ ଜିଲ୍ଲାକୁ ପଠାଇ ଦିଆଯାଇଛି । ଆଜି ଠାରୁ ଟିକା ଉତ୍ସବ ପାଳନ ହେଉଥିବା ବେଳେ  ସବୁ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ଦେଇଥିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।  ଅଢ଼େଇ ଲକ୍ଷ ଟିକା ଆସିଥିବା ବେଳେ ଟିକା ପର୍ଯ୍ୟାୟ କ୍ରମେ ଆସିବ ବୋଲି ସେ କହିଥିଲେ  ।

You might also like