‘ଭାରତରେ ଚିହ୍ନଟ B 1.617.2 ଭାରିଏଣ୍ଟକୁ ରୋକିବା ପାଇଁ ଟିକାକରଣ କମ ପ୍ରଭାବଶାଳୀ’

ସତର୍କ କରାଇଲେ ବ୍ରିଟେନର ଶୀର୍ଷ ବୈଜ୍ଞାନିକ

  •  B 1.617.2ଭାରିଏଣ୍ଟକୁ  ନେଇ ବ୍ରିଟେନ୍ ବୈଜ୍ଞାନିକ ଏନ୍ଥନୀ ହାର୍ନଡେନଙ୍କ ଚେତାବନୀ
  • ହାର୍ନଡେନ୍ କହିଛନ୍ତି, ଭ୍ୟାକ୍ସିନ ମଧ୍ୟ ଏହି ଭାରିଏଣ୍ଟର ସଂକ୍ରମଣ ରୋକିବାରେ କମ ପ୍ରଭାବଶାଳୀ
  • କରୋନା ଭାଇରସର ଏହି ଭାରିଏଣ୍ଟ ସର୍ବପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା
  • ତେବେ ଏହି ଭାରିଏଣ୍ଟ ଅଧିକ ସଂକ୍ରାମକ ବୋଲି କୌଣସି ପ୍ରମାଣ ନାହିଁ

ଭାରତରେ ଟିକାକରଣ ଜାରି ରହିଥିବା ବେଳେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନାର ଦ୍ବିତୀୟ ଲହର ଯୋଗୁ ସମଗ୍ର ଦେଶ ଏବେ ବିପଦରେ ପଡ଼ିଛି । ଟିକାର ଦୁଇଟି ଯାଜ ଡୋଜ ନେବା ପରେ ମଧ୍ୟ ଲୋକେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି । ଏପଟେ ବ୍ରିଟେନ୍ ଟିକାକରଣ କାର୍ଯକ୍ରମ ପାଇଁ ପରାମର୍ଶ ଦେଉଥିବା ଶୀର୍ଷ ବୈଜ୍ଞାନିକ ସତର୍କ କରାଇଛନ୍ତି । କରୋନାରୁ ରକ୍ଷା ପାଇବା ପାଇଁ ନିଆଯାଉଥିବା ଟିକା  B 1.617.2 ଭାରିଏଣ୍ଟର ସଂକ୍ରମଣ ରୋକିବାରେ ସେତେଟା ପ୍ରଭାବଶାଳୀ ନୁହଁ । ଏଥିପାଇଁ ଭାରତରେ ତୀବ୍ର ବେଗରେ ସଂକ୍ରମିତ ହେଉଛନ୍ତି ଲୋକେ । କରୋନା ଭାଇରସର ଏହି ଭାରିଏଣ୍ଟ ସର୍ବପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା ।

ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ତଥା ଟିକାକରଣର ସଂଯୁକ୍ତ କମିଟିର ଅଧ୍ୟକ୍ଷ ଆନ୍ଥୋନୀ ହାର୍ନଡେନ୍ କହିଛନ୍ତି, ଇଂଲଣ୍ଡରେ କରୋନା କଟକଣା କୋହଳ କରିବା ସମୟରେ ଅତ୍ୟଧିକ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ । କାରଣ ଭାରତରେ ଚିହ୍ନଟ ହୋଇଥିବା ଭାଇରସ୍ କେତେ ଭୟଙ୍କର ଆଉ କେତେ ସଂକ୍ରାମକ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଭାଇରସର ସଂକ୍ରମଣ କ୍ଷମତା ସମ୍ପର୍କରେ କୌଣସି ସଠିକ୍ ପ୍ରମାଣ ମିଳିନାହିଁ । କେବଳ ଏତିକି ନୁହେଁ ଭାଇରସର ଏହି ଭାରିଏଣ୍ଟକୁ ଟିକାକରଣ ରୋକିପାରିବ କି ନାହିଁ ତାହା ବି ସ୍ପଷ୍ଟ ହୋଇନାହିଁ ।

ଭାରତରେ ଭାଇରସର ନୂଆ ଭାରିଏଣ୍ଟ୍ ଠାବ ପରେ ବ୍ରିଟେନରେ ଟିକାକରଣରକୁ ଜୋରଦାର କରାଯାଇଛି । ନୂଆ ଭାଇରସ୍ ପାଇଁ ଦେଶକୁ ଅନଲକ୍ କରିବାର ନିଷ୍ପତ୍ତି ଉପରେ ପୁଣି ଥରେ ବିଚାରବିମର୍ଷ  ଚାଲିଛି । ଭାରତରେ ସଂକ୍ରମଣ ବଢ଼ୁଥିବାରୁ ବ୍ରିଟେନକୁ ଅନଲକ୍ କରିବାର ସମ୍ଭାବନା କମ ରହିଛି ବୋଲି କହିଛନ୍ତି । ଏହି ଭାଇରସ୍ ଅଧିକ ସଂକ୍ରାମକ ପ୍ରମାଣିତ ହେଲେ ଆଗାମୀ ସମୟରେ ଦେଶରେ କଠୋର କଟକଣା ଲାଗୁ କରାଯିବ ।

ସେପଟେ ଭାରତରେ କରୋନା ସ୍ଥିତି ନେଇ ପୁଣି ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ କରୋନା ସ୍ଥିତି ଚିନ୍ତାଜନକ । ବିଭିନ୍ନ ରାଜ୍ୟରେ ଲଗାତାର ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ହସ୍ପିଟାଲରେ ଭର୍ତ୍ତି ହେଉ ହେଉ ଲୋକଙ୍କ ଜୀବନ ଚାଲିଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ କହିଛନ୍ତି, ମହାମାରୀର ଦ୍ୱିତୀୟ ବର୍ଷ ପ୍ରଥମ ବର୍ଷ ଅପେକ୍ଷା ବିଶ୍ୱ ପାଇଁ ଅଧିକ ମାରାତ୍ମକ ହେବ । ଭାରତରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ମୁକାବିଲା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅକ୍ସିଜେନ୍‌, ଅସ୍ଥାୟୀ ତମ୍ବୁ, ମାସ୍କ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଆଦି ଯୋଗାଉଥିବା କହିଛନ୍ତି ଡବ୍ଲୁଏଚଓ ନିର୍ଦ୍ଦେଶକ । ସେ ଆହୁରି କହିଛନ୍ତି ଭାରତରେ ସଂକ୍ରମଣ ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଅକ୍ସିଜେନ୍‌ ଅଭାବରୁ ଜଣଙ୍କ ପରେ ଜଣଙ୍କ ଜୀବନ ଯାଉଛି ।

You might also like