ଶ୍ରୀନଗର:  ଦେଶର କିଛି ଅଞ୍ଚଳରେ ଟିକାକୁ ନେଇ ନାନା ଗୁଜବ ଦେଖାଦେଇଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ଟିକା ନେଉନାହାନ୍ତି । କିଏ ଗାଁ ଛାଡ଼ି ଚାଲି ଯାଉଛି ତ କିଏ ଯାଇ ଜଙ୍ଗଲରେ ଲୁଚୁଛି।  କିନ୍ତୁ କାଶ୍ମୀରର ଦୁର୍ଗମ ଅଞ୍ଚଳରେ କିଛି ଏଭଳି ଦୃଶ୍ୟ ଯାହା ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛି। କାଶ୍ମୀରର ଡୋଡା ଜିଲ୍ଲାରେ ୬ ଘଣ୍ଟା ଧରି ଚାଲିିକି ଯାଇ ପହଞ୍ଚିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ। ଆଉ ଟିକା ନେବାକୁ ବି ଆସିଛନ୍ତି ଲୋକେ। ବିଶ୍ୱାସ ଓ ସଂକଳ୍ପ ଏଠାରେ ଏକ ହୋଇ କାମ କରୁଛନ୍ତି।  କିପରି କରୋନାକୁ ମାତ୍ ଦେବା, ଟିକା ଅଭିଯାନକୁ ସଫଳ କରିବା ସେଥିପାଇଁ ସମସ୍ତେ ତତ୍ପର ହୋଇଛନ୍ତି।

ବାଟ ଯେତେ ଦୂର ହେଉନି କାହିଁକି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେବ। ରାସ୍ତା ଯେତେ କଷ୍ଟ ସାଧ୍ୟ ହେଉନା କାହିଁକି ଗନ୍ତବ୍ୟ ସ୍ଥଳକୁ ଯିବାକୁ ପଡ଼ିବ। ଖାଲ ଢିପ ରାସ୍ତ। ଚାଲି ଚାଲି ଯିବା ଖୁବ ବିପଦଜନକ ।  ତଥାପି ଏହାକୁ ଖାତିର ନକରି ଲୋକଙ୍କ ପାଇଁ ଆଗକୁ ବଢ଼ି ଚାଲିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ। କରୋନା ମହାମାରୀ ବିରୋଧରେ ଲଢ଼ିବାକୁ ଏ ହେଉଛି ଯୋଦ୍ଧାଙ୍କ ସଂଗ୍ରାମ।

ଜମ୍ମୁକଶ୍ମୀର ଡୋଡା ଜିଲ୍ଲା ସବୁଠାରୁ ଦୁର୍ଗମ ଅଞ୍ଚଳ। ବାହାର ଲୋକ ନାଁ ଏଠାକୁ ଯାଆନ୍ତି..ନାଁ ଅତି ଆବଶ୍ୟକ ନ ପଡ଼ିଲେ ଏଠିକା ଲୋକ କେହି ବାହାରକୁ ବାହାରନ୍ତି।  ହେଲେ ଏହି ଦୁର୍ଗମ ଇଲାକାରେ କିପରି ଲୋକଙ୍କୁ ଯେପରି ଟିକା ମିଳିବ ସେ ନେଇ ତତ୍ପର ହୋଇଛି ମେଡିକାଲ୍ ଟିମ୍।

ଯେନତେନ ପ୍ରକାରେ ୬ ଘଣ୍ଟା ଯାତ୍ରା ପରେ ଏଠାରେ ପହଞ୍ଚି ଲୋକଙ୍କୁ ଟିକା ଦେଇଥିଲେ। ଲୋକେ ବି ବେଶ ଖୁସି । କାରଣ ପ୍ରଥମ ଥର ପାଇଁ କୌଣସି ଡାକ୍ତରଙ୍କ ପାଦ ଏଠି ପଡ଼ିଛି। ଯେପରି ଟିକା ସମସ୍ତଙ୍କୁ ମିଳିବ, ଟିକା ନେବାରୁ ଯେପରି ଗୋଟିଏ ବି ଲୋକ ବଞ୍ଚିତ ରହିବେନି ସେ ପ୍ରୟାସ ଏଠି କରାଯାଉଛି। ୬ରୁ ୭ ଜଣ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଚାଲି ଚାଲି ଡୋଡାର ଦୁର୍ଗମ ଗାଁ ଗୁଡ଼ିକୁ ଯାଉଛନ୍ତି।

ସେତିକି ନୁହେଁ,  ବାଟରେ କିଛି ସ୍ଥାନୀୟ ପଶୁପାଳକ ଏମାନଙ୍କୁ ଦେଖି ସହାୟତାର ହାତ ବଢ଼ାଇଛନ୍ତି। ନିଜ ଗୃହ ପାଳିତ ପଶୁ ଯେପରି ଗଧ ଓ ଘୋଡ଼ାରେ ଏମାନଙ୍କୁ ବସାଇ ଗାଁରେ ପହଞ୍ଚାଇଛନ୍ତି। ଲୋକେ ବି ବେଶ ସଚେତନ ହୋଇ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଡାକ୍ତର ଯେପରି ତାଙ୍କ ପାଖରେ ପହଞ୍ଚିଛନ୍ତି ସେପରି ଲୋକେ ବି ନିଜ ଇଚ୍ଛାରେ ଆସି ଟିକା ନେଇଛନ୍ତି।

ଏଠି ଯେ କେବଳ ଗମନାଗମନ ସମସ୍ୟା ରହିଛି ତା ନୁହେଁ ମାତ୍ର କିଛି ମିଟର ଦୂରରେ ସୀମା। ଆର ପଟେ ପାକିସ୍ତାନ। ତେଣୁ ଆତଙ୍କୀ ଓ ଶତ୍ରୁ ଆକ୍ରମଣ ଆଶଙ୍କା ଥିବାରୁ ମେଡିକାଲ୍ ଟିମ୍‌କୁ ସୁରକ୍ଷା ଯୋଗାଉଛନ୍ତି ସଶସ୍ତ୍ର ସେନା ବାହିନୀ। ଆଗରେ ଆଉ ପଛରେ ଯବାନ । ଯାଞ୍ଚ କରି ଡାକ୍ତରୀ ଟିମ୍‌କୁ ରାସ୍ତା କଡ଼ାଇ ଦେଉଛନ୍ତି।

Other Stories