୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ। ଟିକା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଦିଆଯିବ। ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ।

ଏପଟେ ରାଜ୍ୟରେ ପ୍ରଥମ ପଯର୍ୟାୟରେ ଟିକା ନେବାକୁ ଥିବା ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ ହୋଇଛି। ଏହାପରେ ପୋଲିସ୍, ପୌର କର୍ମଚାରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର କର୍ମକର୍ତ୍ତାଙ୍କୁ ଟିକାକରଣ କରାଯିବ।

  • ସେପଟେ କୋଭିଡ୍ ଟିକାକରଣ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଟିକା ନେଇ ଦ୍ୱନ୍ଦ୍ୱ ବି ରହିଛି ବାରମ୍ବାର ପଚରା ଯାଉଥିବା କିଛି ପ୍ରଶ୍ନ ବା FAQ ଉପରେ ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର।

ଯେମିତିକି…

ପ୍ରଶ୍ନ ୧- ଭ୍ୟାକସିନ୍ ବିପଦମୁକ୍ତ କି? 

ଏହା ବିପଦମୁକ୍ତ ଓ ଗୁଣବତ୍ତା ବି ରହିଛି

୨- ଭ୍ୟାକସିନ୍ ନେବା ବାଧ୍ୟତାମୂଳକ କି?

ନା, ଏହା ବାଧ୍ୟତାମୂଳକ ନୁହେଁ , ସ୍ୱେଚ୍ଛାକୃତ

୩- କରୋନାରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି ଟିକା ନେଇପାରିବେ କି?

ହଁ, ନେଇପାରିବେ

୪- କୋଭିଡ୍ ଆକ୍ରାନ୍ତ ବା କୋଭିଡ୍ ସନ୍ଦିଗ୍ଧ ଟିକା ନେଇ ପାରିବେ କି? 

ନେଇପାରିବେ, କିନ୍ତୁ ୧୪ ଦିନ ପରେ

୫- ବିନା ପଂଜୀକରଣରେ ଟିକା ଦିଆଯାଇ ପାରିବ କି?

ନା, ଟିକାକରଣ ପାଇଁ ପଂଜୀକରଣ ବାଧ୍ୟତାମୂଳକ

୬- କୋଭିଡ୍ ଟିକାର ସମ୍ଭାବ୍ୟ ସାଇଡ୍ ଇଫେକ୍ଟ କଣ?

ଅନ୍ୟ ଟିକା ଭଳି ଏଥିରେ ବି ସାମାନ୍ୟ ଜ୍ୱର ହୋଇପାରେ

୭- କେତେ ଡୋଜ୍ ଆବଶ୍ୟକ ଓ ଏହା ମଧ୍ୟରେ ବ୍ୟବଧାନ କେତେ ରହିବା ଆବଶ୍ୟକ?

ମୋଟ୍ ଦୁଇ ଡୋଜ୍ ଓ ୨୮ ଦିନ ବ୍ୟବଧାନ ଆବଶ୍ୟକ

୮- କେତେଦିନ ପରେ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେବ?

ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ପରେ ଆଣ୍ଟିବଡି ସୃଷ୍ଟି ହେବ

 

  • ହିତାଧିକାରୀଙ୍କୁ କେମିତି ଦିଆଯିବ ଟିକା? 

ପ୍ରଥମେ ଭ୍ୟାକସିନ୍ ଉତ୍ପାଦନକାରୀ କଂପାନୀଠାରୁ ବିମାନ ଯୋଗ ସିଧାସଳଖ ଟିକା ଆସି ପହଞ୍ଚିବ ଷ୍ଟେଟ୍ ଭ୍ୟାକସିନ୍ ଷ୍ଟୋର୍‌ରେ। ସେଠାରୁ ଭୁବନେଶ୍ୱର, କଟକ, ଗଂଜାମ, ବାଲେଶ୍ୱର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, କନ୍ଧମାଳ ଓ କୋରାପୁଟ୍, ଏହି ୯ଟି ଆଂଚଳିକ ଭ୍ୟାକସିନ୍ ଷ୍ଟୋରକୁ ସ୍ୱତନ୍ତ୍ର ଭ୍ୟାନ୍ ମଧ୍ୟମରେ ଟିକା ପହଞ୍ଚାଯିବ।

ସେଠାରୁ ପୁଣି ୩୨ଟି ଜିଲ୍ଲା ଭ୍ୟାକସିନ୍ ଷ୍ଟୋର ଓ ପରେ ସେସବୁ ଷ୍ଟୋରରୁ ୧୨ଶହ ୨୨ଟି କୋଲ୍ଡ ଚେନ୍ ପଏଣ୍ଟକୁ ଟିକା ପଠାଯିବ, ଯେଉଁଠି ଆଇସ୍ ଲାଇନ୍ଡ ରେଫ୍ରିଜେଟର୍ ବା ILR କିମ୍ବା ଡିପ୍ ଫ୍ରିଜର୍‌ରେ ଟିକା ରହିବ। ସେଠାରୁ ଭ୍ୟାକସିନ୍ କ୍ୟାରିୟର୍ ମାଧ୍ୟମରେ ସେସନ୍ ସାଇଟ୍ ବା ଟିକାକରଣ କେନ୍ଦ୍ରକୁ ଯିବ। ଯେଉଁଠି ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି।

ପ୍ରତି ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷା କକ୍ଷ, ଟିକାକରଣ ରୁମ୍ ଓ ନିରୀକ୍ଷଣ ରୁମ୍ ରହିବ। ଟିକା ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେଉଛି କି ନାହିଁ ଜାଣିବା ପାଇଁ ହିତାଧିକାରୀଙ୍କୁ ଅଧଘଣ୍ଟା ଅପେକ୍ଷା କରିବାକୁ ପଡିବ। ସଂପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ QR ବେସଡ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ।

You might also like